ଆଇପିଏଲ୍‌ ଖେଳାଳି ନିଲାମ ତାଲିକାରେ ଶୁଭ୍ରା˚ଶୁ, ଅଭିଷେକ

ସର୍ବୋଚ୍ଚ ମୂଳ ନିଲାମ ରାଶିରେ ଧାୱନ, ଆୟର, ଅଶ୍ବିନ

କଟକ: ଆଇପିଏଲ୍‌ ଖେଳାଳି ନିଲାମରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି। ଖେଳାଳି ନିଲାମ ପାଇଁ ବିିସିସିଆଇ ପକ୍ଷରୁ ୫୯୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତା ୧୨ ଓ ୧୩ ତାରିଖରେ ହେବାକୁଥିବା ନିଲାମ ତାଲିକାରେ ଶୁଭ୍ରା˚ଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାମ ସାମିଲ ରହିଛି। ଏମାନଙ୍କର ମୂଳ ଦର ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଖେଳାଳି ନିଲାମ ପାଇଁ ଓଡ଼ିଶାରୁ ୫ ଜଣ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି ଚୂଡ଼ାନ୍ତ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଚଳିତ ଋତୁର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଅଭିଷେକ ୫ ମ୍ୟାଚରୁ ୧୭୧ ଓ ଶୁଭ୍ରା˚ଶୁ ୧୩୮ ରନ୍‌ ସ˚ଗ୍ରହ କରିଥିଲେ। ଅଭିଷେକ ଓ ଶୁଭ୍ରା˚ଶୁ ଅର୍ଧଶତକ ଅର୍ଜନ କରି ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ।

ପୂର୍ବରୁ ଅଭିଷେକଙ୍କର ଆଇପିଏଲ୍‌ ଅଭିଜ୍ଞତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ୨୨ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୨୧.୬ ହାରରେ ୧୯୪ ରନ୍‌ କରିଥିଲେ। ଆଇପିଏଲ୍‌ରେ ଅଭିଷେକ ୨୦୦୯ ପରଠୁ ଚୂଡ଼ାନ୍ତ ଦଳରେ ଖେଳିଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିଲେ। ୨୦୧୩ରେ ଦଳରେ ଥିଲେ ମଧ୍ୟ କୌଣସି ମ୍ୟାଚ୍‌ ଖେଳିପାରିନଥିଲେ। ଏହାପରଠୁ ତାଙ୍କର ଆଇପିଏଲ୍‌ ଜୀବନରେ ବିରାମ ଲାଗିଛି। ବାରମ୍ବାର ରାଜ୍ୟ ଦଳ ବଦଳାଇବା ପରେ ଶେଷରେ ୨୦୧୭ରେ ଓଡ଼ିଶାକୁ ଆସି ଏଠାରେ ଭାଗ୍ୟ ପରୀକ୍ଷା କରାଇଥିଲେ। ସେବେଠାରୁ ଓଡ଼ିଶାର ସୀମିତ ଓଭର ଦଳରେ ସେ ନିୟମିତ ସଦସ୍ୟ ହୋଇପାରିଛନ୍ତି। ଅନ୍ୟପକ୍ଷରେ ଶୁଭ୍ରା˚ଶୁ ସେନାପତି ପୁଣି ଥରେ ନିଲାମ ତାଲିକାରେ ସ୍ଥାନ ପାଇଥିବାରୁ ଆଶାବାଦୀ ଅଛନ୍ତି। ଉଭୟ ଖେଳାଳିଙ୍କ ନାମ ପୂର୍ବରୁ ମଧ୍ୟ ତାଲିକା ମଣ୍ତନ କରୁଥିଲେ ସୁଦ୍ଧା ନିଲାମ ହୋଇପାରିନଥିଲେ।
ପୂର୍ବରୁ ଆଇପିଏଲ୍‌ରେ ଓଡ଼ିଶାରୁ ମାତ୍ର ଦୁଇ ଜଣ ଖେଳାଳି ଖେଳିବାକୁ ସୁଯୋଗ ପାଇଛନ୍ତି। ପ୍ରଥମ ସ˚ସ୍କରଣରେ ହଳଧର ଦାସ ଡେକାନ ଚାର୍ଜର୍ସ ପାଇଁ ଏବ˚ ପରେ ବିପ୍ଲବ ସାମନ୍ତରାୟ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍‌ରେ ଖେଳିଥିଲେ। ନଟରାଜ ବେହେରା କୋଲକାତା ନାଇଟ ରାଇଡର୍ସ ପାଇଁ ଚୟନ ହୋଇଥିଲେ ସୁଦ୍ଧା ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରିନଥିଲେ। ଗତ ସ˚ସ୍କରଣରେ ରାଜେଶ ମହାନ୍ତିଙ୍କୁ ନେଟ ବୋଲର ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ସାଥିରେ ରଖିଥିଲେ ବି ଦଳରେ ନେଇନଥିଲା।

ସର୍ବୋଚ୍ଚ ମୂଳ ନିଲାମ ରାଶିରେ ଧାୱନ, ଆୟର, ଅଶ୍ବିନ

ମୁମ୍ବାଇ: ଆଇପିଏଲ୍‌ର ମେଗା ନିଲାମ ପାଇଁ କିଛି ପ୍ରମୁଖ ଖେଳାଳିଙ୍କ ମୂଳ ନିଲାମ ରାଶି ରଖାଯାଇଛି ୨ କୋଟି ଟଙ୍କା। ଏହି ରାଶି‌ର ବନ୍ଧନୀ ଭିତରେ ବହୁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶିଖର ଧାୱନ, ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ବିନ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ପ୍ୟାଟ୍ କମିନ୍ସ, କାଗିସୋ ରବାଦା, ମିଚେଲ୍ ମାର୍ସ ଏବଂ ଷ୍ଟିଭେନ୍ ସ୍ମିଥ୍ ପ୍ରମୁଖଙ୍କ ପାଇଁ ମଧ୍ୟ ଏହି ମୂଳ ରାଶି ରହିଛି। ଶୀର୍ଷ ବନ୍ଧନୀର ୨ କୋଟି ମୂଳ ରାଶି ତାଲିକାରେ ମଧ୍ୟ ମହମ୍ମଦ ସାମି, ଭୁବନେଶ୍ବର କୁମାର, ଦେବଦତ୍ତ ପଡ଼ିକଲ, ୟୁଝବେନ୍ଦ୍ର ଚହଲ, ଶାର୍ଦୁଳ ଠାକୁର ରହିଛନ୍ତି। ବେଙ୍ଗାଲୁରୁରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ହେବାକୁ ଥିବା ନିଲାମରେ କେଉଁ ଖେଳାଳି କେତେରେ ଯିବେ ଦେଖିବାର ଅଛି। ଏହି ଦୁଇ ଦିନିଆ ମେଗା ନିଲାମ ପାଇଁ ମୋଟ ୧୨୧୪ ଖେଳାଳି ପଞ୍ଜିକୃତ ହୋଇଥିବା ବେଳେ ୫୯୦ ଜଣ ଚୂଡାନ୍ତ ନିଲାମକୁ ମନୋନୀତ ହୋଇଛନ୍ତି। ଏହା ମଧ୍ୟରେ ୨୨୮ କ୍ୟାପ୍‌ଡ, ୩୫୫ ଅନକ୍ୟାପ୍‌ଡ ଓ ୭ ଜଣ ସହଯୋଗୀ ଦେଶର ‌ଖେଳାଳି ଅଛନ୍ତି। ୨ କୋଟି ଟଙ୍କାର ମୂଳ ରାଶିରେ ମୋଟ ୪୮ ଜଣ ଖେଳାଳି ରହିଥିଲା ବେଳେ ୧.୫ କୋଟିରେ ୨୦ ଜଣ ଏବଂ ୧‌ କୋଟିରେ ୩୪ ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର