ଶିବ ପ୍ରସାଦ, ଅଶୋକ ମହାନ୍ତି ପାଇବେ କମଲ ଗାଙ୍ଗୁଲି ପୁରସ୍କାର

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ବରର ସହିଦ ସ୍ପୋର୍ଟିଂ ପକ୍ଷରୁ ଚଳିତ ବର୍ଷ ପାଇଁ ଶିବ ପ୍ରସାଦ ଦାସ ଓ ଅଶୋକ ମହାନ୍ତି କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ରାଜ୍ୟର ଅନ୍ୟତମ ସଫଳ କ୍ରିକେଟ୍‌ ପ୍ରଶିକ୍ଷକ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ୨୦୧୨ରୁ ପ୍ରଶିକ୍ଷକ ଏବଂ ୨୦୧୪ରୁ କ୍ରୀଡ଼ା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ବାର୍ଷିକ ପୁରସ୍କାର ଦିଆଯାଉଛି। ଏହି କ୍ରମରେ ଚଳିତ ବର୍ଷ ଶିବ ପ୍ରସାଦଙ୍କୁ ପ୍ରଶିକ୍ଷକ ଓ ଅଶୋକଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର ପ୍ରଦାନ କରାଯିବ।

ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍‌ମିଣ୍ଟନ୍‌ ‌‌କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ ପାଇଁ ସଂକଳ୍ପବଦ୍ଧ ହୋଇ ଲାଗିଛନ୍ତି ପ୍ରଶିକ୍ଷକ ଶିବ ପ୍ରସାଦ। ଗତ ୧୧ ବର୍ଷ ଧରି ସେ ନିରନ୍ତର ଭାବେ ଅନୁଗୁଳରେ ରହି ଖେଳାଳିମାନଙ୍କୁ ତାଲିମ ଦେଉଛନ୍ତି। ଗତ ବର୍ଷ ଅର୍ଜୁନ ପୁରସ୍କାର ପାଇଥିବା ପ୍ରମୋଦ ଭଗତଙ୍କ ଅଦ୍ୟ ଗୁରୁ ଓ ମାର୍ଗଦର୍ଶକ ହେଉଛନ୍ତି ଶିବ ପ୍ରସାଦ। ସେ ମଧ୍ୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ସେହିଭଳି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗରେ ଦୀର୍ଘ ବର୍ଷ କାର୍ଯ୍ୟକରି ସହକାରୀ କ୍ରୀଡ଼ା ନିର୍ଦେଶକ ଭାବେ ଅବସର ନେଇଥିବା ଅଶୋକ ମହାନ୍ତି ଓଡ଼ିଶା କ୍ରୀଡ଼ା ପ୍ରଶାସନ ଧାରା‌ର ଜଣେ ମୂଳ ଖମ୍ବ। ବିଭିନ୍ନ କ୍ରୀଡ଼ା ଯୋଜନା ପ୍ରଣୟନରେ ତାଙ୍କ ଯୋଗଦାନ ରହି ଆସିଛି। ବିଶେଷ କରି ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଖେଳାଳି ଏବଂ କ୍ରୀଡ଼ା ସଂଗଠନଗୁଡ଼ିକୁ ସେ ମାର୍ଗଦର୍ଶନ କରିଆସିଛନ୍ତି।

ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକ, ସୁଶାନ୍ତ ମହାନ୍ତି, ସନାତନ ପାଣି, ସୁରେଶ ସ୍ବାଇଁ, ନିରଞ୍ଜନ ରେଡ୍ଡୀ, ସମୀକ୍ଷା ପଟ୍ଟନାୟକ, ତପନ ସ୍ବାଇଁ, ଉମାକାନ୍ତ ମିଶ୍ର, ସମୀର ରାଉତ, ସଂଜୀବ ବିଶ୍ବାଳ, ସଂବିତ ମହାପାତ୍ର ଓ ମାରୁତି ଇଷ୍ଟେଟ୍‌ର ଏମ୍‌ଡିଙ୍କୁ ନେଇ ‌ନେଇ ଗଠିତ ଚୟନ ସମିତି ପୁରସ୍କାର ପାଇଁ ଶିବ ପ୍ରସାଦ ଦାସ ଓ ଅଶୋକ ମହାନ୍ତିଙ୍କ ନାମ ବାଛିଥିଲେ। ପୂର୍ବରୁ କିଶୋର ମାଣିଆ, ଜୋସ୍‌ ଜାକବ୍‌, ନନ୍ଦକିଶୋର ପଟ୍ଟନାୟକ, ନୀଳମାଧବ ଦେଓ, ଅଶୋକ ମିଶ୍ର ଓ ରଶ୍ମିତା ମହାନ୍ତି କ୍ରମାନ୍ବୟରେ ପ୍ରଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ। ସେହିଭଳି ମଦନମୋହନ ମହାନ୍ତି, ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ ଓ ଅଶୋକାନନ୍ଦ ଜେନା ଜୀବନବ୍ୟାପୀ ଯୋଗଦାନ ପାଇଁ ପୁରସ୍କୃତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର