ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

ହାଇଦ୍ରାବାଦ: ନିଜ ଅଶୋଭନୀୟ ଏବଂ ଅପମାନଜନକ ଟ୍ବିଟ୍ ପାଇଁ ଅଭିନେତା ସିଦ୍ଧାର୍ଥ ବ୍ୟାଡମିଣ୍ଟନ୍ ରାଣୀ ସାଇନା ନେହୱାଲଙ୍କୁ କ୍ଷମା ମାଗିଛନ୍ତି। ନିଜ ଟ୍ବିଟର ପୃଷ୍ଠାରେ ସାଇନାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଲମ୍ବା ପତ୍ରରେ ସେ ଲେଖିଛନ୍ତି ଯେ ସ୍ନେହର ସାଇନା, ଶିଷ୍ଟାଚାରବିହୀନ ଥଟ୍ଟାମଜା ପାଇଁ ମୁଁ କ୍ଷମା ମାଗୁଛି। ମୁଁ ତୁମ ଟ୍ବିଟ୍‌ର ପ୍ରତିକ୍ରିୟା ଦେବାକୁ ଯାଇ ଏହି ଟ୍ବିଟ୍ କରିଥିଲି। ମୁଁ ହୁଏତ ଅନେକ କଥାରେ ତୁମ ସହ ଏକମତ ହୋଇନପାରେ। ତଥାପି ତୁମ ଟ୍ବିଟ୍ ପଢ଼ି ମନ ଭିତରେ ସୃଷ୍ଟି ହୋଇଥିବା ହତାଶାଭାବ ଓ ରାଗ ସତ୍ତ୍ବେ ଏଭଳି ଭାଷା ପ୍ରୟୋଗ କରିବାର ନଥିଲା। ମୁଁ ଜାଣିଛି ମୋ ଭିତରେ ତା’ଠାରୁ ଉନ୍ନତ ଭାବନା ଭରି ରଖିଛି। ସେହି ଅପମାନଜନକ କଥା ଲାଗି ମୁଁ ପୁଣି ଥରେ ଦୁଃଖ ପ୍ରକାଶ କରୁଛି। ତୁମେ ସବୁବେଳେ ମୋ ପାଇଁ ଜଣେ ତାରକା ହୋଇ ରହିବ। ସୂଚନାଯୋଗ୍ୟ ଯେ ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଅକ୍ଷମଣୀୟ ତ୍ରୁଟିକୁ ସାଇନା ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଟ୍ବିଟ୍ କରିଥିଲେ। ଏହା ଉପରେ ଉତ୍ତର ରଖିବାକୁ ଯାଇ ସିଦ୍ଧାର୍ଥ ଅତି ଖରାପ ଭାଷା ପ୍ରୟୋଗ କରିଥିଲେ। ଏହା ପରେ ତାଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେବାକୁ ଜାତୀୟ ମହିଳା କମିସନ ଟ୍ବିଟର୍‌କୁ ଦାବି କରିଥିଲା।

ସମ୍ବନ୍ଧିତ ଖବର