ଭୁବନେଶ୍ବର: ଚଳିତ ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୩ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସୋମବାର ପାରାମାଉଣ୍ଟ୍ ୧୦ ୱିକେଟ୍ରେ ଏମ୍ସିସିକୁ ଏବଂ ସହିଦ ସ୍ପୋର୍ଟିଂ ୪ ୱିକେଟ୍ରେ ବିବିସିଏକୁ ପରାସ୍ତ କରିଛି। ବିବିସିଏ ସାରାଂଶ ରାଉତ (୬୯, ୪୧ ବଲ୍)ଙ୍କ ଅର୍ଧଶତକ ବଳରେ ୮ ୱିକେଟ୍ ହରାଇ ୧୧୨ ରନ୍ କରିଥିଲା। ସୌର୍ଯ୍ୟ ସୌନ୍ଦର୍ଯ୍ୟ ଜେନା, ଦେବଜ୍ୟୋତି ଦାସ ପଟ୍ଟନାୟକ ଓ ପ୍ରତୀକ ସୋହମ ୩ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୧୯.୪ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଶାଶ୍ବତ ରାଉତ (୭୬, ୫୨ ବଲ୍) ଅର୍ଧଶତକ ହାସଲ କରି ଦଳକୁ ବିଜୟୀ କରିବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶିଶିର ପଟ୍ଟନାୟକଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ମିଳିଥିଲା। ଅମର ମହାପାତ୍ର ଏବଂ ଦେବୀଦତ୍ତ ବାବୁ ପୁରସ୍କାର ପ୍ରଦାନ କରିଥିଲେ।
ଦ୍ବିତୀୟ ମ୍ୟାଚ୍ରେ ଏମ୍ସିସି ୯୮/୭ କରିଥିଲା। ସମରପ୍ରୀତ ପଟେଲ ୩୭ ରନ୍ କରିଥିଲା ବେଳେ ପାରାମାଉଣ୍ଟ୍ ପକ୍ଷରୁ ସଏଦ ତୌଫୁଲ ଅହମ୍ମଦ ଓ ଆଶିଷ ରାଉତ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସିଦ୍ଧାର୍ଥ ଶଙ୍କର ବେହେରା (୪୨) ଓ ଦିଲଖୁସ କୁମାର (୩୨) ଅପରାଜିତ ରହି ପାରାମାଉଣ୍ଟ୍କୁ ୧୪.୩ ଓଭରରେ ବିଜୟୀ କରାଇଥିଲେ। ସିଦ୍ଧାର୍ଥଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ସ୍ବାଗତ ସୌରଭ ମିଶ୍ର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ଅଶୋକ କୁମାର ପାତ୍ର ଏହି ପୁରାସ୍କାର ପ୍ରଦାନ କରିଥିଲେ।