ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ କପ୍ ଜିତି ନେଇଛି। ପାରମାଉଣ୍ଟ୍ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ୧୩ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ରବିବାର ଫାଇନାଲ୍ରେ ପାରାମାଉଣ୍ଟ୍ ଦଳକୁ ୪ ୱିକେଟ୍ରେ ପରାସ୍ତ କରି ସହିଦ ସ୍ପୋର୍ଟିଂ ବିଜେତା ଆଖ୍ୟା ହାସଲ କରିଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ପାରାମାଉଣ୍ଟ ପ୍ରିୟାଂଶୁ ରଞ୍ଜନ ସାହୁ (୪୭), ସିଦ୍ଧାର୍ଥ ବେହେରା (୨୦), ଦିଲ୍ଖୁସ କୁମାର (୧୯), ସୟଦ୍ ତୁଫୈଲ ଅହମ୍ମଦ (୧୨)ଙ୍କ ବଳରେ ୩୫ ଓଭରରେ ୭ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା। ସହିଦ ସ୍ପୋର୍ଟିଂ ପକ୍ଷରୁ ସୁଜନ କିର୍ଟି (୫-୦-୨୧-୩) ସଫଳ ବୋଲର ରହିଥିଲେ। ଜବାବରେ ତୁଫୈଲ (୭-୨-୨୪-୨) ଓ ପ୍ରତ୍ୟୁଷ ପ୍ରକାଶ ସାହୁ (୭-୨-୨୧-୨)ଙ୍କ ଭଲ ବୋଲିଂ ସତ୍ତ୍ବେ ସହିଦ ସ୍ପୋର୍ଟିଂ ୩୪.୧ ଓଭରରେ ୬ ୱିକେଟ୍ ବିନିମୟରେ ୧୫୪ ରନ୍ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଜନ୍ମେଜୟ ସାହୁ ଅପରାଜିତ ୫୩, ଦେବଜ୍ୟୋତି ଦାସ ପଟ୍ଟନାୟକ ୪୭, ପ୍ରଦୀପ ସୋହମ ୩୧, ଏସ୍ଏସ୍ ଜେନା ଅପରାଜିତ ୨୪, ଶିବମ୍ ଗୁପ୍ତା ୨୩, ଶାଶ୍ବତ ରାଉତ ୧୪ ରନ୍ ସହିଦ ସ୍ପୋର୍ଟିଂକୁ ବିଜେତା କରାଇଥିଲେ। ବିଜେତା ଦଳର ଜନ୍ମେଜୟ ସାହୁ ଫାଇନାଲ୍ର ଶ୍ରେଷ୍ଠ ଓ ଶାଶ୍ବତ ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ପ୍ରଗତି ସ୍ପୋର୍ଟିଂର ଆୟୂଷ ସୁତାର ଓ ପାରାମାଉଣ୍ଟର ସୟଦ୍ ତୁଫୈଲ ଅହମ୍ମଦ ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ଶ୍ରେଷ୍ଠ ବୋଲର, ପାରାମାଉଣ୍ଟର ଦୁର୍ଗାପ୍ରସାଦ ମଲ୍ଲିକ ଓ ସ୍ବାଗତ ସୌରଭ ମିଶ୍ର ଯଥାକ୍ରମେ ଫାଇନାଲ୍ର ଓ ପ୍ରତିଯୋଗିତାର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ହାତେଇଥିଲେ। ବିଜେତା ଦଳର ଦେବଜ୍ୟୋତି ଦାସପଟ୍ଟନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ୱିକେଟ୍ରକ୍ଷକ ଭାବେ ପୁରସ୍କୃତ ହୋଇଥିଲେ। ଚଣ୍ଡିପ୍ରସନ୍ନ ମହାପାତ୍ର ଓ ସୁଶାନ୍ତ ଦାଶ ଫାଇନାଲ୍ ମ୍ୟାଚ୍କୁ ପରିଚାଳନା କରିଥିଲେ। ସ୍କୋରର୍ ଥିଲେ ରମେଶ ନାୟକ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଫାଇନାଲ୍ ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ। କ୍ଲବ୍ର ସଭାପତି ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଜେବିନଗର ପିପୁଲ୍ସ ଆସୋସିଏସନ୍ ସଭାପତି ରଘୁନାଥ ପାତ୍ର, ଅବସରପ୍ରାପ୍ତ ପ୍ରଶିକ୍ଷକ କିଶୋର ମାଣିଆ, ଭୁବନେଶ୍ବର ଦୌଡ଼କୁଦ ସଂଘର ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ସ୍ବର୍ଗତ ସିଦ୍ଧାନ୍ତଙ୍କ ମା’ ଉଷା ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ କ୍ଲବ୍ର କ୍ରିକେଟ୍ ସଂପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ।
ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍ କପ୍ ଜିତିଲା ସହିଦ ସ୍ପୋର୍ଟିଂ
/sambad/media/post_attachments/wp-content/uploads/2020/01/sfh4f98sh7sf897hsf987h4sf85hsfhsfhsfhhhhhhhhhhhhhhhhhhhh.jpg)