ସୁଶୀଲଙ୍କୁ ଦେଖି ମନେପଡ଼ିଲେ ସିଦ୍ଧୁ; ସିଦ୍ଧୁଙ୍କ ବିରୋଧରେ ବି ଆସିଥିଲା ହତ୍ୟା ଅଭିଯୋଗ

ସୁଶୀଲଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ଅଲିମ୍ପିଆନ୍ ତଥା ଭାରତର ସଫଳତମ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିବା ପରେ ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଜସ୍ର ସଫଳତା ସାଉଣ୍ଟିବା ପରେ ମାତ୍ର ଗୋଟିଏ ଭୁଲ ପାଇଁ ଗିରଫ ହୋଇ ପୁଲିସ ହାଜତରେ ଅଛନ୍ତି ସେ। ଏଥିଲାଗି ସୁଶୀଲଙ୍କ ମାନସମ୍ମାନ ମାଟିରେ ମିଶିଛି। ତାଙ୍କ ଭଳି ଜଣେ ବିଶ୍ବସ୍ତରୀୟ ଓ ମହାନ ଖେଳାଳି ଜଣେ ଯୁବ ଓ ଉଦୀୟମାନ କୁସ୍ତି ତାରକାଙ୍କ ହତ୍ୟାରେ ଜଡ଼ିତ ହେବା କଥାକୁ କେହି ଯେମିତି ଆଦୌ ବିଶ୍ବାସ କରି ପାରୁ ନାହାନ୍ତି। ତେବେ ଦିନକୁ ଦିନ ତାଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ମିଳୁଥିବାରୁ ସୁଶୀଲ ସହଜରେ ଏହି ମାମଲାରୁ ଖସିଯିବା ଭଳି ମନେ ହେଉନି। ଏକମାତ୍ର ଖେଳାଳି ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିବା ସୁଶୀଲ ହତ୍ୟା ମାମଲାରେ ଜଡ଼ିତ ହେବା ପରେ କିନ୍ତୁ କ୍ରୀଡ଼ାପ୍ରେମୀଙ୍କର ଦୀର୍ଘ ୩୩ ବର୍ଷ ତଳେ ଘଟିଥିବା ଆଉ ଏକ ଘଟଣା ମନେ ପଡ଼ିଯାଇଛି। ୧୯୮୭ ମସିହାରେ କ୍ରିକେଟର ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ମଧ୍ୟ ଏହିଭଳି ଏକ ହତ୍ୟା ଅଭିଯୋଗ ଆସିଥିଲା। ସେତେବେଳେ ସାମାଜିକ ଗଣମାଧ୍ୟମ ନଥିବାରୁ ଏବଂ ଯୋଗାଯୋଗର ସୀମିତ ମାଧ୍ୟମ ଥିବାରୁ ଏହି ମାମଲା ସେତେଟା ଚର୍ଚ୍ଚାକୁ ଆସି ନଥିଲା। ସିଦ୍ଧୁ ଅବଶ୍ୟ ପରେ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ। ଉଭୟ ଘଟଣାରେ କିନ୍ତୁ ଦୁଇ ପକ୍ଷର ମାରପିଟରେ ଜଣଙ୍କର ଅମୂଲ୍ୟ ଜୀବନ ଚାଲି ଯାଇଛି।

ସିଦ୍ଧୁଙ୍କ ବିରୋଧରେ ବି ଆସିଥିଲା ହତ୍ୟା ଅଭିଯୋଗ

କ୍ରିକେଟରରୁ ରାଜନେତା ପାଲଟିଥିବା ସିଦ୍ଧୁ ଓ ତାଙ୍କ ନିକଟତମ ବନ୍ଧୁ ରୂପୀନ୍ଦର ସିଂହ ସାନ୍ଧୁ ଏବଂ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଟ୍ରାଫିକ୍ ପୋଷ୍ଟ ନିକଟରେ ବଚସା ଓ ମାରପିଟ ହୋଇଥିଲା। ଏଥିରେ ଗୁରୁତର ଆହତ ଗୁରନାମଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସତ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଫଳରେ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ପଞ୍ଜାବ ପୁଲିସ ଭାରତୀୟ ପିଙ୍ଗଲ କୋଡ୍‌ର ଧାରା ୩୦୨ରେ ମାମଲା ଦାୟର କରିଥିଲା। ଘଟଣାର ଠିକ୍ ପରେ ପରେ ରୂପୀନ୍ଦର ଓ ସିଦ୍ଧୁ ଫେରାର ହୋଇ ଯାଇଥିଲେ। ୭ ଦିନ ଅଣ୍ଡରଗ୍ରାଉଣ୍ଡ ହେବା ପରେ ପୁଲିସ ହାତରେ ଧରାପଡ଼ିଥିଲେ। ଗୁରନାମଙ୍କ ମୃତ୍ୟୁ କିନ୍ତୁ ସିଦ୍ଧୁଙ୍କ ମୁଥରେ ନୁ‌େହଁ, ହୃତଘାତରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ପ୍ରମାଣିତ ହେବା ପରେ ଜାମିନ ପାଇବା ତାଙ୍କ ପାଇଁ ସହଜ ହୋଇଥିଲା। ହେଲେ ଢେର କିଛି ଦିନ ସେ ପାତିଆଲା ଜେଲରେ କଟାଇଥିଲେ। ଆରମ୍ଭ ହେବାର ମାତ୍ର କିଛି ଦିନ ଭିତରେ ତାଙ୍କ କ୍ରିକେଟ୍ ଜୀବନ ବି ଶେଷ ହୋଇଯିବାର ଆଶଙ୍କା ଦେଖା ଦେଇଥିଲା। ପରବର୍ତ୍ତୀ ସମୟରେ ସିଦ୍ଧୁ ଅବଶ୍ୟ ଏହି ମାମଲାରେ କ୍ଲିନ୍ ଚିଟ୍ ପାଇ ଯାଇଥିଲେ। ହେଲେ ଘଟଣା ଘଟିବାର ପାଖାପାଖି ୩୦ ବର୍ଷ ପରେ ଗୁରନାମଙ୍କ ପରିବାର ସୁପ୍ରିମାକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାୟର କରି ମାମଲାର ପୁନର୍ବିଚାର କରିବାକୁ ଗୁହାରି କରିଥିଲେ।

ସୁଶୀଲଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ

ଯୁବ କୁସ୍ତି ତାରକା ସାଗର ଧନକର ହତ୍ୟା ମାମଲାରେ ଗିରଫ ହୋଇ ପୁଲିସ ହାଜତରେ ଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜଣେ ତେଜରାତି ଦୋକାନୀ ଗୁରୁତର ଅଭିଯୋଗ ଆଣିଛନ୍ତି। ବକେୟା ଟଙ୍କା ମଗିବା ପରେ ସୁଶୀଲ ତାଙ୍କୁ ଗତବର୍ଷ ନିର୍ଧୂମ ପିଟିବା ସହ ଜୀବନରେ ମାରିଦେବାର ଧମକ ଦେଇଥିବା ସେ କହିଛନ୍ତି। ଏପରିକି ଏଥିନେଇ ସେ ଦିଲ୍ଲୀର ମଡେଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତ୍ବେ ପୁଲିସ ସୁଶୀଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସତୀଶ ଗୋଏଲ ନାମକ ଏହି ଦୋକାନୀ ଜଣକ। ସେ ମଧ୍ୟ ଥାନା‌‌ରେ ଦେଇଥିବା ଏତଲାର ନକଲ ଗଣାମଧ୍ୟମକୁ ଦେଖାଇଛନ୍ତି।

ସତୀଶ କହିଛନ୍ତି ଯେ ମୁଁ ୧୮ ବର୍ଷ ଧରି ଛତ୍ରଶାଲ ଷ୍ଟାଡିୟମ୍‌କୁ ରାସନ ଯୋଗାଇ ଆସୁଥିଲି। ସୁଶୀଲଙ୍କ ଶ୍ବଶୁର ସତପାଲ ସିଂହଙ୍କ ବେଳରୁ ଏହି ଧାରା ଜାରି ରହିଥିଲା। ବୀରେନ୍ଦ୍ର ନାମକ ଜଣେ ପ୍ରଶିକ୍ଷକ ଗତବର୍ଷର କୋଭିଡ୍ ଲକଡାଉନ୍ ବେଳେ ମୋ ଠାରୁ ୪ ଲକ୍ଷ ଟଙ୍କାର ଖାଇବା ସାମଗ୍ରୀ‌ ନେଇଥିଲେ। ଏହାର ଠିକ୍ ପରେ ପରେ ତାଙ୍କର ବଦଳି ହୋଇଯାଇଥିଲା। ନୂଆ ପ୍ରଶିକ୍ଷକଙ୍କୁ ଟଙ୍କା ମାଗି ମାଗି ଥକି ଯିବା ପରେ ସୁଶୀଲଙ୍କୁ ସେ ଏହି ବିଷୟରେ ଜଣାଇଥିଲି। ଦିନେ ଅଶୋକ ନାମକ ଜଣେ ବ୍ୟକ୍ତି ମୋତେ ଷ୍ଟାଡିୟମ୍‌କୁ ଡାକି ସମସ୍ତ ବିଲ୍‌ ନେଇ ଯାଇଥିଲେ। ପରଦିନ ଧର୍ମା ନାମକ ଆଉ ଜଣେ ବ୍ୟକ୍ତି ଫୋନ୍ କରି ସୁଶୀଲଙ୍କ ସମ୍ମୁଖରେ ହାଜର ହେବାକୁ କହିଥି‌ଲେ। ଷ୍ଟାଡିୟମ୍ ପହଞ୍ଚିବା ପରେ ବକେୟା ଅର୍ଥ କରାଇ ଦେବାକୁ ମୁଁ ସୁଶୀଲଙ୍କ ନିକଟରେ କାକୁତି ମିନତି ହୋଇଥିଲି। ଏପରିକି ଟଙ୍କା ନମିଳିଲେ ମୁଁ ମରିଯିବି ବୋଲି କହିଥିଲି। ହେଲେ ସୁଶୀଲ ଓ ତାଙ୍କ ସାଥୀ‌ ମୋତେ ପିଟିପିଟି ଲହୁ ଲୁହାଣ କରିଦେବା ସହ ତୁ ମରିଗଲେ ମର ବୋଲି କହିଥିଲେ। ଏପରିକି ସୁଶୀଲଙ୍କୁ ଡରି ଦୁଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୁଁ ଘରେ ଲୁଚି ରହିଥିଲି।

ଘଟଣାକ୍ରମ

 ଡିସେମ୍ବର ୨୭, ୧୯୮୮: ସିଦ୍ଧୁ ଓ ତାଙ୍କ ବନ୍ଧୁ ରୂପୀନ୍ଦର ସିଂହ ସାନ୍ଧୁଙ୍କ ବିରୋଧରେ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ଆସିଲା।
 ସେପ୍ଟେମ୍ବର ୧୯୯୯: ପ୍ରମାଣର ଅଭାବ ଦର୍ଶାଇ ପାତିଆଲା ଡିଷ୍ଟ୍ରିକ୍ଟ ଓ ସେସନ୍ସ କୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ନିର୍ଦ୍ଦୋଶରେ ଖଲାସ କଲେ।
 ୨୦୦୨: ଅଦାଲତଙ୍କ ଏହି ରାୟ ବିରୋଧରେ ପଞ୍ଜାବ ସରକାର ହାଇକୋର୍ଟରେ ଅପିଲ କଲେ।
 ଡିସେମ୍ବର ୧, ୨୦୦୬: ପଞ୍ଜାବ ଓ ହରିଆଣା ହାଇକୋର୍ଟ ସିଦ୍ଧୁ ଓ ସାନ୍ଧୁଙ୍କୁ ଅଜାଣତରେ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ଜେଲ ଦଣ୍ଡ ଦେଲେ। ସିଦ୍ଧୁ ଅମୃତସର ସାଂସଦ ପଦରୁ ଇସ୍ତଫା ଦେଲେ
 ଜାନୁଆରି ୧୧, ୨୦୦୭: ସିଦ୍ଧୁ ଏହି ମାମଲାରେ ଆତ୍ମସମର୍ପଣ କଲେ।
 ଜାନୁଆରି ୧୨, ୨୦୦୭: ଅରୁଣ ଜେଟଲିଙ୍କ ମାଧ୍ୟମରେ ସିଦ୍ଧୁ ସୁପ୍ରିମକୋର୍ଟ ଗଲେ। ଉଭୟଙ୍କୁ ଜାମିନ ମିଳିଲା। ଅମୃତସର ଉନନିର୍ବାଚନରେ ସିଦ୍ଧୁ ଦ୍ବିତୀୟ ଥର ପାଇଁ ବିଜେପି ଟିକେଟରେ ବିଜୟୀ ହେଲେ। ଗୁରନାମଙ୍କ ପରିବାର ସିଦ୍ଧୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ।
 ଡିସେମ୍ବର ୨୦୧୭-ମାର୍ଚ ୨୦୧୮: ସିଦ୍ଧୁ ବିଜେପି ଛାଡ଼ି କଂ‌ଗ୍ରେସରେ ଯୋଗଦେଲେ, ବିଧାନସଭା ନିର୍ବାଚନ ଜିତି ପଞ୍ଜାବ ସରକାରରେ ମନ୍ତ୍ରୀ ହେଲେ।
 ଏପ୍ରିଲ ୧୨, ୨୦୧୮: ମାମଲାର ଶୁଣାଣି ବେଳେ ସିଦ୍ଧୁଙ୍କୁ ଦୋଷୀ ଘୋଷଣା କରିବାକୁ ପଞ୍ଜାବ ସରକାରଙ୍କ ସୁପ୍ରିମକୋର୍ଟଙ୍କୁ ଅନୁରୋଧ।
 ମେ ୧୫, ୨୦୧୮: ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଧାରା ୩୦୪ରୁ ମୁକ୍ତ କଲେ। ଗୁରନାମଙ୍କୁ ଆଘାତ ପହଞ୍ଚାଇଥିବାରୁ ମାତ୍ର ୧,୦୦୦ ଟଙ୍କାର ଆର୍ଥିକ ଦଣ୍ଡ ଦେଲେ।
 ସେପ୍ଟେମ୍ବର ୧୨, ୨୦୧୮: ଗୁରନାମଙ୍କ ପରିବାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କଲେ। ସୁପ୍ରିମକୋର୍ଟ ପିଟିସନକୁ ଗ୍ରହଣ କରି ସିଦ୍ଧୁ ଓ ସାନ୍ଧୁଙ୍କୁ ନୋଟିସ୍ ଜାରି କଲେ।

ସମ୍ବନ୍ଧିତ ଖବର