ଆଶା ଓ ଆଶଙ୍କାରେ ସିଡ୍‌ନି ଭାଗ୍ୟ: ଲକ୍ଷ୍ୟ ୪୦୭, ଭାରତ ୯୮/୨

ସିଡ୍‌ନି: ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟ୍‌ର ଭାଗ୍ୟ ଏବେ ଭାରତ ପାଇଁ ଆଶା ଓ ଆଶଙ୍କା ଭିତରେ ରହିଛି। ଅଜିଙ୍କ୍ୟ ରାହାଣେଙ୍କ ଦଳ ସମ୍ମୁଖରେ ୪୦୭ ରନ୍‌ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍‌ ବିନିମୟରେ ୯୮ ରନ୍ ସଂଗ୍ରହ କରିଛି। ଆଘାତପ୍ରାପ୍ତ ରବୀନ୍ଦ୍ର ଜାଦେଜା ବ୍ୟାଟିଂ କରିବା ନେଇ ଆଶଙ୍କା ଜାରି ରହିଥିବାରୁ ଭାରତ ଏହି ମ୍ୟାଚ୍‌ ଜିତିବା ଅପେକ୍ଷା ଅମୀମାଂସିତ ରଖିପାରୁଛି କି ନା ସେହି ପ୍ରଶ୍ନ ଉଠିଛି। ଏହି ଟେଷ୍ଟ୍ ଜିତି ଶୃଙ୍ଖଳାରେ ଆଗୁଆ ହେବା ଲାଗି ଭାରତକୁ ସୋମବାରର ପଞ୍ଚମ ତଥା ଶେଷ ଦିନରେ ଆଉ ୩୦୯ ରନ୍ ଆବଶ୍ୟକ ପଡୁଥିବା ବେଳେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ ଝଟକାଇବାକୁ ପଡିବ।

ସ୍ମିଥ୍ ଓ ଗ୍ରିନ୍‌ ଲଢ଼ିଲେ: ରବିବାର ଅଷ୍ଟ୍ରେଲିଆ ୧୦୩/୨ରୁ ଖେଳ ଆରମ୍ଭ କରିଥିବା ବେଳେ ଲାବୁସେନ୍‌ (୭୩, ୧୧୮ ବଲ୍‌, ୯ ଚୌକା), ଷ୍ଟିଭେନ୍ ସ୍ମିଥ୍‌ (୮୧, ୧୬୭ ବଲ୍‌, ୮ ଚୌକା, ୧ ଛକା) ଏବଂ କାମେରନ୍ ଗ୍ରିନ୍‌ (୮୪, ୧୩୨ ବଲ୍‌, ୮ ଚୌକା, ୪ ଛକା)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୩୧୨/୬ରେ ପାଳି ଘୋଷଣା କରିଥିଲା। ପୁଣି ଥରେ ଷ୍ଟି‌ଭେନ୍ ସ୍ମିଥ୍‌ଙ୍କୁ (ଲଗାତାର ୩ ଟେଷ୍ଟ୍‌ରେ) ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଆଉଟ୍‌ କରିଥିଲେ। ଲାବୁସେନ୍‌ ଓ ସ୍ମିଥ୍‌ ତୃତୀୟ ୱିକେଟ୍‌ରେ ୧୦୩ ରନ୍‌ ଯୋଡ଼ିବା ପରେ ଶେଷକୁ କାମେରନ୍ ଗ୍ରିନ୍ ଏବଂ ଅଧିନାୟକ ଟିମ୍ ପେନ୍‌ ଷଷ୍ଠ ୱିକେଟ୍‌ ପାଇଁ ୧୯ ଓଭରରେ ୧୦୪ ରନ୍ ଯୋଡ଼ି ଅଷ୍ଟ୍ରେଲିଆର ଆଗୁଆ ଘୋଷଣାକୁ ଉତ୍ସାହିତ କରିଥିଲେ। ପ୍ରଥମ ଟେଷ୍ଟ୍‌ ଅର୍ଧଶତକ ପରେ ଛକା ଅଭିମୁଖ୍ୟ ନେଇଥିବା ଗ୍ରିନ୍‌ଙ୍କୁ ବୁମରା ରୋକିଥିଲେ। ତାଙ୍କ ବଲ୍‌ରେ ଗ୍ରିନ୍‌ଙ୍କ କ୍ୟାଚ୍‌ ଋଦ୍ଧିମାନ ସାହା ନେବା ମାତ୍ରେ ଚା’ପାନ ବିରତି ଏବଂ ଅଷ୍ଟ୍ରେଲିଆର ପାଳି ଘୋଷଣା ଖବର ଆସିଥିଲା।

ସାହାଙ୍କ ୪ କ୍ୟାଚ୍‌: ଆହତ ଋଷବ ପନ୍ତଙ୍କ ବଦଳରେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ସମ୍ପୂର୍ଣ୍ଣ ୱିକେଟ୍‌ରକ୍ଷଣ ଦାୟିତ୍ବ ସମ୍ଭାଳିଥିବା ଋଦ୍ଧିମାନ ସାହା ନିଜ ଦକ୍ଷତାର ଭରପୁର ପ୍ରମାଣ ଛାଡ଼ିଛନ୍ତି। ଏହି ପାଳି ଅବସରରେ ତ୍ରୁଟିଶୂନ୍ୟ ୱିକେଟ୍‌ରକ୍ଷଣ କରିବା ସହ ୪ଟି ପ୍ରମୁଖ କ୍ୟାଚ୍‌ ନେବାର ଯୋଗଦାନ ରଖିଛନ୍ତି। ଶନିବାର ୱିଲ୍‌ ପୁକସ୍କିଙ୍କ କ୍ୟାଚ୍‌ ନେଇଥିବା ସାହା ରବିବାର ୱିକେଟ୍‌ ପଛପଟେ ଆଉ ୩ କ୍ୟାଚ୍‌ କାବୁ କରିଥିଲେ। ମାର୍ନସ ଲାବୁସେନ୍‌, ମାଥ୍ୟୁ ୱାଦେ, କାମେରନ୍ ଗ୍ରିନ୍‌ଙ୍କ କ୍ୟାଚ୍‌ ମଧ୍ୟ‌ ସେ ଧରିଥିଲେ। ବଦଳ ଖେଳାଳି ଭାବେ ଆସି ସାହା ମୋଟ ୪ କ୍ୟାଚ୍‌ ନେବା ଉଲ୍ଲେଖନୀୟ ସଫଳତା ହୋଇଛି। ଫଳରେ ଚତୁର୍ଥ ଟେଷ୍ଟ୍ ପାଇଁ ମଧ୍ୟ ସେ ନିଜ ଦାବିଦାର ଉପସ୍ଥାପନ କରିଛନ୍ତି। ପ୍ରଥମ ଟେଷ୍ଟ୍ ଭଳି ଭାରତର କ୍ୟାଚ୍‌ କାବୁ ବିଫଳତା ସିଡ୍‌ନିରେ ପ୍ରତିଧ୍ବନିତ ହୋଇଛି। ହନୁମା ବିହାରୀ ଦୁଇଟି ନିଶ୍ଚିତ କ୍ୟାଚ୍‌ ସୁଯୋଗ ହାତଛଡ଼ା କରିଥିବା ବେଳେ ରାହାଣେ ମଧ୍ୟ କ୍ୟାଚ୍‌ ହାତଛଡ଼ା ତାଲିକାରେ ନିଜ ନାମକୁ ଯୋଡ଼ିଛନ୍ତି। ଏହି କାରଣରୁ ବୁମରାଙ୍କ ୱିକେଟ୍‌ ଗୋଟିଏରେ ସୀମିତ ରହିଥିଲା।

ଶୁଭାରମ୍ଭ ପୁଣି ବେକାର: ୪୦୭ ରନ୍‌ ବିଜୟ ଲକ୍ଷ୍ୟରେ ଚା’ପାନ ବିରତି ପରଠୁ ଭ୍ରମଣକାରୀ ଦଳ ପଶ୍ଚାତଧାବନ ଆରମ୍ଭ କରିଥିଲା। ପ୍ରଥମ ପାଳି ଭଳି ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍‌ ଲଗାତାର ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ ମଧ୍ୟ ଏହାକୁ ଆଗକୁ ନେଇପାରିନଥିଲେ। ଉଭୟ ଥର ସତୁରି (୭୦, ୭୧) ଛୁଇଁଥିଲେ ମଧ୍ୟ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ୫୩ ବର୍ଷ ପରେ ଏକ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଅଷ୍ଟ୍ରେଲିଆରେ ଉଭୟ ପାଳିରେ ୫୦+ ଭାଗୀଦାରି କରିଥିଲେ। ଶେଷ ଥର ପାଇଁ ସେହି ସିଡ୍‌ନିରେ ଫାରୁକ ଇଂଜିନିୟର ଓ ସୟଦ ଅବିଦ ଅଲୀ ଏଭଳି କରିଥିଲେ ମଧ୍ୟ ଭାରତ‌ ସେଥର ହାରିଥିଲା। ରବିବାର ଗିଲ୍‌ (୩୧, ୬୪ ବଲ୍‌, ୪ ଚୌକା)ଙ୍କୁ ହାଜେଲଉଡ୍‌ ଏବଂ ରୋହିତ ଶର୍ମା (୫୨, ୯୮ ବଲ୍, ୫ ଚୌକା, ୧ ଛକା)ଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରି ଭାରତକୁ ଯୁଗଳ ଝଟ୍‌କା‌ ଦେଇଛନ୍ତି। ଚେତେଶ୍ବର ପୂଜାରା (୯*, ୨୯ ବଲ୍‌) ଏବଂ ଅଜିଙ୍କ୍ୟ ରାହାଣେ (୪*, ୧୪ ବଲ) ବ୍ୟାଟିଂ କରୁଥିବାରୁ ଭାରତର ଭାଗ୍ୟ ଏହି ଯୋଡ଼ି ଉପରେ ଅଧିକ ନିର୍ଭରଶୀଳ ରହିଛି।

ସମ୍ବନ୍ଧିତ ଖବର