ନୂଆଦିଲ୍ଲୀ : ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ନିଜ କ୍ରିକେଟ୍ ଜୀବନରେ ଭାରତ ପାଇଁ ସବୁ ଫର୍ମାଟ୍ (ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ଜଣେ ମ୍ୟାଚ୍ ବିଜେତାର ଭୂମିକା ନିଭାଇଛନ୍ତି। ବିଶେଷକରି ଆଇସିସି ପ୍ରତିଯୋଗିତାଗୁଡ଼ିକରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର। ତେବେ ସେ ମଧ୍ୟରୁ ଗତବର୍ଷ ଦିନିକିଆ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ହିଁ ତାଙ୍କର ସବୁଠୁ ଶ୍ରେଷ୍ଠ ପାଳି ଥିଲା ବୋଲି ଧାୱନ୍ କହିଛନ୍ତି। ଗତବର୍ଷର ସେହି ବିଶ୍ବକପ୍ରେ ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆକୁ ଦି ଓଭାଲରେ ଭେଟି ଭାରତ ଅଭିଯାନ ଆରମ୍ଭ କରିଥିଲା। ସେହି ମ୍ୟାଚ୍ରେ ଘରୋଇ ଦଳର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଘାତକ ବୋଲିଂ କରି ଧାୱନ୍ଙ୍କ ହାତରେ ବଲ୍ ବଜାଇଥିଲେ। ଯାହା ଫଳରେ ଧାୱନ୍ ବାମ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାସତ୍ତ୍ବେ ସେ ୧୦୯ ବଲ୍ରୁ ୧୧୭ ରନ୍ କରିବାରୁ ଭାରତ ୫୦ ଓଭରରେ ୩୫୨/୫ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୩୧୬ ରନ୍ରେ ସମସ୍ତ ୱିକେଟ୍ ହରାଇ ୩୬ ରନ୍ର ପରାଜୟ ବରଣ କରିଥିଲା। ଏହି ମ୍ୟାଚ୍ ପରେ କିନ୍ତୁ ବାମ ହାତ ହାଡ଼ ଭାଙ୍ଗିଥିବା ରିପୋର୍ଟ ଭିତ୍ତିରେ ଧାୱନ୍ ସେହି ବିଶ୍ବକପ୍ରୁ ବାଦ୍ ପଡ଼ିଥିଲେ। ଭାରତୀୟ ଦଳର ଅନ୍ୟତମ ଯୁବ ତାରକା ଶ୍ରେୟସ ଆୟରଙ୍କ ସହ ଇନ୍ଷ୍ଟାଗ୍ରାମ୍ ଲାଇଭ୍ ଆଲୋଚନା ବେଳେ ୩୪ ବର୍ଷ ବୟସ୍କ ଧାୱନ୍ ତାଙ୍କର ଏହି ସବୁଠୁ ଶ୍ରେଷ୍ଠ ପାଳି ସଂପର୍କରେ ଅବତାରଣା କରିଥିଲେ।
ତେବେ ସେ ଖେଳିଥିବା ସବୁଠୁ ବିପଜ୍ଜନକ ବୋଲର କିଏ ବୋଲି ଆୟର ପଚାରିଥିଲା ବେଳେ ଧାୱନ୍ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ଙ୍କ ନାମ ନେଇଥିଲେ। ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଥିଲେ। ସେହିପରି ଅଫ୍ ସ୍ପିନରଙ୍କୁ ମଧ୍ୟ ଟର୍ନିଂ ୱିକେଟ୍ରେ ସାମ୍ନା କରିବା କଷ୍ଟକର ବୋଲି ଧାୱନ୍ କହିଥିଲେ। ଏବେ ଲକ୍ଡାଉନ୍ ସମୟରେ ସେ ମ୍ୟୁଜିକାଲ ସାମର୍ଥ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ସଂଗୀତ ତୁମକୁ ଶାନ୍ତି ଦେଇଥାଏ ଏବଂ ପ୍ରତ୍ୟେକ ଏବେ କିପରି ମ୍ୟୁଜିକ୍ ସରଞ୍ଜାମରେ ଖେଳାଯାଇପାରିବ ସେନେଇ ଶିଖିବା ଉଚିତ ବୋଲି ଧାୱନ୍ କହିଛନ୍ତି। ବିଶେଷକରି ଲକ୍ଡାଉନ୍ ସମୟରେ ଘରେ ରହିବାକୁ ଅଧିକ ସମୟ ମିଳୁଥିବାରୁ ଯନ୍ତ୍ର ସଂଗୀତ ଖେଳରେ ମନୋନିବେଶ କରିବାକୁ ଧାୱନ୍ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Dhawan.jpg)