ଭୁବନେଶ୍ୱର: ଅଧିନାୟକ ସାମୁଏଲ୍ ଲାଲମୁନ୍ପୁଇଆଙ୍କ ଶେଷ ମିନିଟ୍ ଗୋଲ୍ରେ ସିଲଂ ଲାଜଙ୍ଗ୍ ଷଷ୍ଠ ଦଳ ଭାବେ ଚଳିତ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି। ମଙ୍ଗଳବାର ମ୍ୟାଚ୍ରେ ଅଇଲିଗ୍ର ଏହି ଦଳ ୩-୨ ଗୋଲ୍ରେ ପୁନେ ସିଟିକୁ ପରାସ୍ତ କରଛି। ଝିପି ଝିପି ବର୍ଷା ସତ୍ତ୍ୱେ ମଙ୍ଗଳବାରର ଏହି ପ୍ରି କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ନିର୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ଓଦା ପଡ଼ିଆ ଯୋଗୁଁ କିନ୍ତୁ ଠିକ୍ରେ ବଲ୍ ଗଡ଼ୁନଥିଲା, ପାସ୍ ଦେବାରେ ମଧ୍ୟ ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଚତୁର୍ଦଶ ମିନିଟ୍ରେ ଏହି ଗତିରୋଧ ଦୂର ହୋଇଥିଲା। ପୁନେ ଅଧିନାୟକ ମାର୍ସିଲୋ ଲିଟି ପେରୋରାଙ୍କୁ ସିଲଂ ଖେଳାଳି ବିପଜ୍ଜନକ ଭାବେ ଫାଉଲ୍ ମାରି ସେହି ଦଳକୁ ଫ୍ରି କିକ୍ ଉପହାର ଦେଇଥିଲେ। ଏହାକୁ ଗୋଲ୍ରେ ରୂପାନ୍ତର କରିବାରେ ଇଟାଲି ତାରକା ଜୋନାଥନ ଲୁକା (୧୭ ମିନିଟ୍) କୌଣସି ତ୍ରୁଟି କରି ନଥିଲେ। ଫଳରେ ପୁନେ ୧-୦ରେ ଆଗୁଆ ହୋଇ ଯାଇଥିଲା। ମାତ୍ର ୫ ମିନିଟ୍ ପରେ ବ୍ରାଜିଲୀୟ ଖେଳାଳି ମାର୍ସିଲୋ (୨୨ ମିନିଟ୍) ଦେଇଥିବା ଆଉ ଏକ ଗୋଲ୍ ବଳରେ ପୁନେ ୨-୦ରେ ଆଗୁଆ ହୋଇ ଯାଇଥିଲା। ତେବେ ପୁନେର ଏହି ଖୁସି ବେଶି ସମୟ ତିଷ୍ଠି ରହିନଥିଲା। ୨୯ତମ ମିନିଟ୍ରେ ସିଲଂର ଆଇଭରିକୋଷ୍ଟ ତାରକା ଅବ୍ଦୌଲାଏ କୋଫି ସେଥିରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ଫଳରେ ପ୍ରଥମାର୍ଧ ସୁଦ୍ଧା ମ୍ୟାଚ୍ ସ୍ଥିତି ୨-୧ ରହିଥିଲା। ଦ୍ୱିତୀୟାର୍ଧରେ ସିଲଂର ଅଗ୍ରଭାଗ ଖେଳାଳି ରାକେଶ ପ୍ରଧାନ (୬୧ ମିନିଟ୍) ଦ୍ୱିତୀୟ ଗୋଲ୍ଟିକୁ ମଧ୍ୟ ଶୁଝି ଦେଇଥିଲେ। ଫଳରେ ସ୍ଥିତି ୨-୨ ହୋଇ ଯାଇଥିଲା। ଏହା ପରେ ଉଭୟ ଦଳ ପରସ୍ପରକୁ ଜୋର୍ଦାର ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ। ତେବେ ୮୯ ମିନିଟ୍ ପର୍ଯ୍ୟନ୍ତ ପୂର୍ବ ସ୍ଥିତି ଅପରିବର୍ତିତ ରହିଥିଲା। ୯୦ ମିନିଟ୍ରେ ସିଲଂର ଅଧିନାୟକ ସାମୁଏଲ୍ ଗୋଲ୍ ପୋଷ୍ଟ୍ ନିକଟକୁ ବଲ୍ ନେଇ ଯାଉଥିଲା ବେଳେ ତାଙ୍କୁ ପୁନେ ଗୋଲ୍ ରକ୍ଷକ ଠେଲି ଦେଇଥିଲେ। ଫଳରେ ସିଲଂକୁ ନିର୍ଣ୍ଣାୟକ ପେନାଲ୍ଟି ମିଳିଥିଲା। ଏହାକୁ ସାମୁଏଲ୍ ସିଧା ଗୋଲ୍ ପୋଷ୍ଟ୍କୁ ପଠାଇ ନିଜ ଦଳକୁ ବିଜୟ ଦ୍ୱାରରେ ପଞ୍ଚାଇ ଦେଇଥିଲେ। ଆହତ ସମୟରେ ପୁନେ ସିଲଂର ଗୋଲ୍ ପୋଷ୍ଟ୍କୁ ଘନ ଘନ ଆକ୍ରମଣ କରିଥିଲା। କିନ୍ତୁ ଗୋଲ୍ ଦେବାକୁ ସକ୍ଷମ ନ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ସିଲଂ ଅଧିନାୟକ ସାମୁଏଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ରାକେଶ ରଚିବେ ଇତିହାସ
ସମ୍ବଲପୁର: ଆଇ-ଲିଗ୍ ବନାମ ଆଇଏସ୍ଏଲ୍। ଏଭଳି ଏକ ପରିକଳ୍ପନାକୁ ନେଇ ପ୍ରଥମ କରି ଆୟୋଜନ ହେଉଛି ଇଣ୍ଡିଆନ ସୁପର କପ୍। ଭାରତର ଦୁଇଟି ପ୍ରମୁଖ ଫୁଟ୍ବଲ୍ ଲିଗ୍ କୁହା ଯାଉଥିବା ଆଇ-ଲିଗ୍ ଓ ଆଇଏସ୍ଏଲ୍ ମଧ୍ୟରେ କେଉଁଟି ଶ୍ରେଷ୍ଠ ତାହା ଜଣାପଡ଼ିବ ସୁପର୍ କପ୍ର ଫଳାଫଳରୁ। ଉଭୟ ଲିଗ୍ର ଶୀର୍ଷ ଦଳମାନଙ୍କୁ ନେଇ ହେଉଥିବା ଏହି ଲଢ଼େଇ ଆୟୋଜନର ସୌଭାଗ୍ୟ ମିଳିଛି ଓଡ଼ିଶାକୁ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ସୁପର୍ କପ୍ରେ କିନ୍ତୁ ଓଡ଼ିଶାର କୌଣସି ଦଳ ନାହିିଁ। ହେଲେ ଓଡ଼ିଶାର ପ୍ରତିନିଧିତ୍ୱ କରିପାରନ୍ତି ଓଡ଼ିଆ ପୁଅ ରାକେଶ ଓରାମ। ରାକେଶ ଆଇଏସ୍ଏଲ୍ ଦଳ ମୁମ୍ବାଇ ସିଟି ଏଫ୍ସିର ୧୮ ଜଣିଆ ଦଳରେ ଥିଲା ବେଳେ ଗୁରୁବାର ସେ ଇଷ୍ଟବେଙ୍ଗଲ ଦଳ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରନ୍ତି। ରାକେଶଙ୍କ ଫୁଟ୍ବଲ୍ ଜୀବନ ଆରମ୍ଭ ହୋଇଥିଲା ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରୁ। କ୍ରୀଡ଼ା ବିଭାଗର ଫୁଟ୍ବଲ୍ ପ୍ରଶିକ୍ଷକ ଗଂଗାଧର ବେହେରା ହେଉଛନ୍ତି ତାଙ୍କ ଆଦ୍ୟ ଗୁରୁ।
ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍) ଖେଳିବାରେ ଓଡ଼ିଶାର ପ୍ରଥମ ଓ ଏଯାବତ ଏକମାତ୍ର ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ରାକେଶ । ୩୧ ଅକ୍ଟୋବର ୧୯୯୭ରେ ଝାରସୁଗୁଡ଼ା ସହର ଚିଥୁଆପଡ଼ାରେ ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ରାକେଶ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଫୁଟବଲ୍କୁ ଅପଣାଇଥିଲେ। ସ୍ୱର୍ଗତ ଗୋପାଳ ଓରାମ ଏବଂ କଲା ଓରାମଙ୍କ ପୁତ୍ର ରାକେଶ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସରେ ପାଦ ଥାପି ଥିଲେ ୨୦୧୦ରେ। ସେଠାରେ ଦୁଇ ବର୍ଷର ରହଣୀ ସମୟରେ ଗଂଗାଧର ବେହେରାଙ୍କ ପ୍ରଶିକ୍ଷଣରେ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ୨୦୧୨ରେ ସେ ସର୍ବଭାରତୀୟ ଫୁଟବଲ୍ ମହାସଂଘ ପରିଚାଳିତ ଆଞ୍ଚଳିକ ଏକାଡେମି ମୁମ୍ବାଇରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ। ୨୦୧୪ ଓ ୨୦୧୫ରେ ସେ ୧୮ ଓ ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ସାମିଲ ହୋଇ ମାଲେସିଆରେ ଫ୍ରେଣ୍ଡ୍ଜ ଇଣ୍ଟରନେସନାଲ୍ କପ୍, ଏସୀୟ ଚାମ୍ପିଅନ୍ସ ଟ୍ରଫି, ପାଲେଷ୍ଟାଇନ୍ରେ ଏଏଫ୍ସି କପ୍ ଯୋଗ୍ୟତା ପ୍ରତିଯୋଗିତା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିଲେ। ୨୦୧୬ରେ ରାକେଶ ପ୍ରଥମ ଓଡ଼ିଆ ଖେଳାଳିଭାବେ ଆଇଏସ୍ଏଲ୍ ଦଳ ମୁମ୍ବାଇ ସିଟି ଏଫ୍ସି ସହ ଚୁକ୍ତିବଦ୍ଧ ହୋଇଥିଲେ। ଗୋଆ ବିପକ୍ଷରେ ସେ ଆଇଏସ୍ଏଲ୍ ପଦାର୍ପଣ କରିଥିଲେ। ଦୁଇ ବର୍ଷ ପାଇଁ ମୁମ୍ବାଇ ସିଟି ଏଫ୍ସି ସହ ଚୁକ୍ତିବଦ୍ଧ ହୋଇଥିବା ରାକେଶଙ୍କ ଚୁକ୍ତି ଏବର୍ଷ ସରିବାକୁ ଯାଉଛି। ଏହା ପୂର୍ବରୁ ସେ ନିଜ ମାଟିରେ ହେଉଥିବା ସୁପର୍ କପ୍ରେ ପଡ଼ିଆକୁ ଓହ୍ଲାଇବା ନେଇ ଆଶାବାଦୀ ଅଛନ୍ତି। ୨୦୧୬-୧୭ରେ ମିନେର୍ଭା ପଞ୍ଜାବ ଆଇ-ଲିଗ୍ ଦଳରେ ସାମିଲ ହୋଇଥିଲେ ବି ଖେଳିବାକୁ ସୁଯୋଗ ପାଇ ନଥିଲେ ରାକେଶ। ଆଗକୁ ବରିଷ୍ଠ ଜାତୀୟ ଦଳରେ ସାମିଲ ହେବାର ଲକ୍ଷ୍ୟ ରଖିଥିବା ଏହି ଆଦିବାସୀ ଖେଳାଳି ବର୍ତମାନ ଚାକିରି ପାଇଁ ଚିନ୍ତା ନକରି କେବଳ ଖେଳରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଭୁବନେଶ୍ୱରର ଭିତ୍ତିଭୂମି ଅନ୍ତର୍ଜାତୀୟ ମାନର ହୋଇଥିଲାବେଳେ ଏଠାରେ ଆଇଏସ୍ଏଲ୍ ଓ ସୁପର୍ କପ୍ ଭଳି ପ୍ରତିଯୋଗିତା ଆୟୋଜନ ରାଜ୍ୟର ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି କହନ୍ତି ରାକେଶ। ତେବେ ଓଡ଼ିଶାର ନିଜସ୍ୱ ଆଇଏସ୍ଏଲ୍ ଓ ଆଇ-ଲିଗ୍ ଦଳ ହେଲେ ରାଜ୍ୟରେ ଫୁଟ୍ବଲ୍ ବିକଶିତ ହେବ ବୋଲି ମତ ଦିଅନ୍ତି।