ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଏସିଆ କପ୍ ଓ ଦିନିକିଆ ବିଶ୍ବକପ୍‌ର ଭାରତୀୟ ଦଳରେ ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିନଥିଲା। ଏବେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି କେବଳ ଦିନିକିଆ ଦଳରେ ସାମିଲ କରାଯାଇଛି। ସବୁଠାରୁ ମଜାଦାର କଥା ହେଉଛି ଚୟନକର୍ତାମାନେ ତାଙ୍କୁ‌ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ଦେଇନାହାନ୍ତି। ଏଭଳି ନିଷ୍ପତ୍ତିକୁ ପୂର୍ବତନ ଭାରତୀୟ ଅଫସ୍ପିନର୍‌ ହରଭଜନ ସିଂହ ସହଜରେ ଗ୍ରହଣ କରିପାରିନାହାନ୍ତି। ଆଶ୍ଚର୍ଯ୍ୟ ପ୍ରକଟ କରି ହରଭଜନ କହିଛନ୍ତି ‘ଚହଲ ଟ୍ବେଣ୍ଟି-୨୦ ଫର୍ମାଟ ଦଳରେ ନାହାନ୍ତି, ତାଙ୍କୁ କାହିଁକି ଦୂରେଇ ରଖାଯାଇଛି ମୁଁ ଜାଣିପାରିନି। ତାଙ୍କୁ ଦିନିକିଆ ଦଳରେ ସାମିଲ କରି କେବଳ ‘ଲଲିପପ୍’ ଧରାଇ ଚୁଚୁମିବାକୁ କୁହାଯାଇଛି। ଯେଉଁ ଫର୍ମାଟରେ ସେ ଭଲ କରନ୍ତି ତାଙ୍କୁ‌ ସେଥିରେ ନିଆନଯିବା ମୋ ପାଇଁ ଅବୁଝା’। ସେହିଭଳି ଟେଷ୍ଟ୍ ଦଳରେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ,‌ ଉମେଶ ଯାଦବଙ୍କୁ ସାମିଲ କରା ନଯିବା ମଧ୍ୟ ଭଜିଙ୍କୁ ଭଲ ଲାଗି ନାହିଁ। ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳିବା ଭଲ କଥା। କିନ୍ତୁ ଏହି ବରିଷ୍ଠ ଖେଳାଳିଙ୍କ ସହ ବିସିସିଆଇ କଥାବାର୍ତା କରିବାର ଥିଲା। ସେଭଳି କରାଯାଇଛି କି ନା ମୁଁ ଜାଣିନାହିଁ। ସମ୍ଭବତଃ ଚଳିତ ବର୍ଷର ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଏହି ୩ ଖେଳାଳିଙ୍କ ଖେଳ ଜୀବନର ଶେଷ ମ୍ୟାଚ୍‌ ହେବ। ଫାଇନାଲ୍‌ରେ ରାହାଣେ ଭାରତ ପାଳିର ସର୍ବାଧିକ ବ୍ୟକ୍ତିଗତ ୮୯ ରନ୍‌ କରିଥିଲେ। ଏମା‌ନଙ୍କ ପାଇଁ ପ୍ରତ୍ୟାବର୍ତନ ନିଶ୍ଚିତ କଷ୍ଟକର ହେବ। ଏମାନେ ଭାରତୀୟ କ୍ରିକେଟ୍‌କୁ ସେବା ଯୋଗାଇଥିବା ପ୍ରମୁଖ ଖେଳାଳି। ବୋର୍ଡ ‌ସେମାନଙ୍କ ଭବିଷ୍ୟତ ଖେଳ ଜୀବନ କଥା ଆଲୋଚନା କରିବା ସହ ଅବଗତ କରାଇବା କଥା। ଦକ୍ଷିଣ ଆଫ୍ରିକା ଗସ୍ତ ନିଶ୍ଚିତ ଭାବେ ବ୍ୟାଟରଙ୍କ ପାଇଁ କଠୋର ହୋଇଥାଏ। ଚୟନକର୍ତାମାନେ କିନ୍ତୁ ପୂଜାରା, ରାହାଣେ, ଉମେଶଙ୍କ ସହ ଆଲୋଚନା କରିବା ଉଚିତ ଥିଲା ବୋଲି ଭଜି ତାଙ୍କ ୟୁଟ୍ୟୁବ ଚାନେଲରେ କହିଛନ୍ତି।

Advertisment

ନୂଆଦିଲ୍ଲୀ: ଭାରତର ନୂଆ କ୍ରୀଡ଼ା ସେନ୍‌ସେସନ୍‌ ନୀରଜ ଚୋପ୍ର‌ା ଯଦି ଜାଲଭିନ୍ ଫିଙ୍ଗି ନଥାନ୍ତେ ତେବେ କ୍ରିକେଟ୍‌ ଖେଳିଥାନ୍ତେ, ନ ହେଲେ ଫଟୋଗ୍ରାଫର ହୋଇଥାନ୍ତେ। ଏହା ସେ ନିଜେ କହିଛନ୍ତି। ଏଭଳି ହୋଇଥିଲେ ଭାରତ ଯେ ଜଣେ ମହାନ କ୍ରୀଡ଼ାବିତ୍‌ଙ୍କୁ ହରାଇଥାନ୍ତା ‌ଏଥିରେ ଦ୍ବିବିଧା ନାହିଁ। କାରଣ ନୀରଜ ଏବେ ଏକକାଳୀନ ଅଲିମ୍ପିକ୍, ବିଶ୍ବ ଓ ଏସିଆଡ୍‌ ବିଜେତା ଅଛନ୍ତି ଜାଭଲିନ୍‌ରେ। ଯେଉଁ ସଫଳତାର ଫର୍ଦ ଭାରତୀୟ କ୍ରୀଡ଼ା ଇତିହାସରେ ପୂର୍ବରୁ କେବେ ନଥିଲା। ଆର୍‌ସିବିର ଇନୋଭେସନ୍‌ ଲାବ୍ସ ଲିଡର୍ସ ମିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀରଜ ତାଙ୍କ ଖେଳ ଜୀବନର ବିକଳ୍ପ ସମ୍ପର୍କରେ କହିଥିଲେ କ୍ରିକେଟ୍ ଆଗ୍ରହ କଥା। ‘କ୍ରିକେଟ୍ କଥା ମନକୁ ଆସିଲେ ମୁଁ ବ୍ୟାଟିଂ ଓ ବୋଲିଂ କରିପାରେ ବୋଲି ଭଲ ଭାବେ ଜାଣିଛି। ମୁଁ କିନ୍ତୁ ବୋଲିଂ କରିବା ଅପେକ୍ଷା ଭଟ୍ଟା (ଫିଙ୍ଗିବା)କୁ ପସନ୍ଦ କରିଥାଏ।’ ବୋଲି ନୀରଜ ପ୍ରକାଶ କରିଥିଲେ। ଜର୍ମାନିର ବିଶ୍ବ ରେକର୍ଡଧାରୀ ଜାଭଲିନ୍‌ ଫିଙ୍ଗାଳି ଜାନ୍ ଜେଲେଞ୍ଜି ମୋ ଆଦର୍ଶ ବୋଲି ସେ କହିଥିଲେ। ସେହିଭଳି ‘ଭାଗ୍ ମିଲ୍‌ଖା ଭାଗ୍‌’ ତାଙ୍କ ପ୍ରିୟ ଚଳଚ୍ଚିତ୍ର ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଖେଳାଳି ନ ‌ହୋଇନଥିଲେ କ’ଣ କରିଥାନ୍ତେ ବୋଲି ପ୍ରଶ୍ନ ହେବାରୁ ନୀରଜ କହିଥିଲେ ମୁଁ ଫଟୋଗ୍ରାଫିକୁ ଭାରି ପସନ୍ଦ କରେ। ଯେଉଁଆଡେ ଯାଏ ଫଟୋ ଉଠାଇଥାଏ। ଶ୍ରେୟସ ଆୟରଙ୍କୁ ଅତି ଷ୍ଟାଇଲିସ୍ କ୍ରିକେଟର୍ ମଧ୍ୟ କହିଥିଲେ ନୀରଜ। ଶୁବମନ ଗିଲ୍‌ ଓ ବିରାଟ କୋହଲି ମଧ୍ୟ ଷ୍ଟାଇଲିସ୍ ବୋଲି ସେ କହିବାକୁ ଭୁଲି ନଥିଲେ।