ବାଂଲାଦେଶ ବିପକ୍ଷ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ହାରିସ୍ ରୌଫ୍‌ଙ୍କୁ ସାଥି ବୋଲର ସାହିନ ଶାହ ଆଫ୍ରିଦି ବୁଧବାର ରାତିରେ ଅପ୍ରତ୍ୟାଶିତ ଭାବେ ଉପହାର ଦେଇଛନ୍ତି। ଦିନିକିଆ କ୍ରିକେଟ୍‌ରେ ୫୦ ୱିକେଟ୍‌ ପୂରଣ କରିଥିବାରୁ ‌ରୌଫ୍‌ଙ୍କୁ ‌ଆଫ୍ରିଦି ଏକ ସ୍ବତନ୍ତ୍ର ଟ୍ରଫି ପ୍ରଦାନ କରିଛନ୍ତି। ଏହି ସମୟର ଏକ ଭିଡିଓକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏହି ଭିଡିଓରେ ରୌଫ୍‌ଙ୍କ ଚମତ୍କାର ବୋଲି ତଥା କ୍ଷେତ୍ରରକ୍ଷଣ ପ୍ରଦର୍ଶନକୁ ଆଫ୍ରିଦି ପ୍ରଶଂସା କରୁଛନ୍ତି।

Advertisment

publive-image

ଏପରିକି ତାଙ୍କ ସହିତ ୨୦୧୮ରୁ ମିଳିତ ଭାବେ ଏହି କ୍ରିକେଟ୍‌ ଯାତ୍ରାରେ ସାମିଲ୍‌ ହୋଇଥିଲା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ବୋଲିଂ କରୁଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି। ଏଥିସହିତ ଆଗକୁ ମଧ୍ୟ ରୌଫ୍‌ ଅଧିକ ମାଇଲ୍‌ଖୁଣ୍ଟ ପୂରଣ କରନ୍ତୁ ବୋଲି ଆଫ୍ରିଦି ଶୁଭେଚ୍ଛା ଜଣାଇଥିଲେ। ବାଂଲାଦେଶ ବିପକ୍ଷ ଉକ୍ତ ମ୍ୟାଚ୍‌ରେ ରୌଫ୍‌ ଓ ନସୀମ ଶାହ ମିଳିତ ଭାବେ ୭ ୱିକେଟ୍‌ ନେଇଥିଲେ। ତୌହିଦ୍‌ ହୃଦୟଙ୍କୁ ଆଉଟ୍‌ କରି ରୌଫ୍‌ ତାଙ୍କର ୨୭ ତମ ଦିନିକିଆରେ ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଯାହାଫଳରେ ବାଂଲାଦେଶ ୧୯୩ ରନ୍‌ରେ ସୀମିତ ରହିବା ସହ ପାକିସ୍ତାନ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିଲା।