ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଖେଳାଳିଙ୍କୁ ଏହି ଦଳର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ବିରୟାନୀ ଭୋଜି ଦେଇଛନ୍ତି। ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବର୍ଷ ବି ଜାରି ରହିଛି। ରାୟୁଡୁ ଚଳିତ ଋତୁରେ ସିଏସ୍‌କେର ସଦସ୍ୟ ନଥିଲେ ମଧ୍ୟ ନିଜ ପ୍ରିୟ ଦଳର ଖେଳାଳିଙ୍କୁ ଆପ୍ୟାୟିତ କରିବାକୁ ଭୁଲି ନାହାନ୍ତି। ସିଏସ୍‌କେ ଶୁକ୍ରବାର ଏଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବାର ରହିଛି। ଏହି ସୁଯୋଗରେ ରବୀନ୍ଦ୍ର ଜାଡ଼େଜା ଓ ଦୀପକ ଚହରଙ୍କ ସହ ବହୁ ସିଏସ୍‌କେ ଖେଳାଳି ଅମ୍ବାତିଙ୍କ ବାସଭବନକୁ ଯାଇ ହାଇଦ୍ରାବାଦୀ ବିର୍‌ୟାନୀର ମଜା ନେଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଏବେକାର ଅଧିନାୟକ ଋତୁରାଜ ଗାଏକ୍ବାଡ୍ କିନ୍ତୁ ଏହି ପାର୍ଟିରେ ଅନୁପସ୍ଥିତ ଥିଲେ।

ଖୋଲିଲା ମୟଙ୍କ ୟାଦବଙ୍କ ବିଜୁଳି ବେଗର ରହସ୍ୟ

Advertisment

publive-image

ଆଇପିଏଲ୍‌ରେ ବିଜୁଳି ବେଗରେ ବଲ୍ ପକାଇ ଭାରତୀୟ ଦ୍ରୁତ ବୋଲିଂର ନୂଆ ଭବିଷ୍ୟତ ଭାବେ ଉଭା ହୋଇଥିବା ମୟଙ୍କ ୟାଦବଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ନିୟମିତ ଭାବେ ଘଣ୍ଟାପ୍ରତି ୧୪୫ କିମିରୁ ଅଧିକ ବେଗରେ ବଲ୍ ପକାଇବା ସହ ଚଳିତ ଆଇପିଏଲ୍‌ର ଦ୍ରୁତତମ ବଲ୍ (୧୫୬.୭ କିଲୋମିଟର) ପକାଇ ଚହଳ ସୃଷ୍ଟି କରିଛନ୍ତି ସେ। ସଂପ୍ରତି ତାଙ୍କୁ ଦ୍ରୁତ ବୋଲିଂର ଦୁଇ ମହାରଥୀ ସୋଏବ ଅଖତର ଓ ସନ୍ ଟେଟ୍‌ଙ୍କ ସହ ତୁଳନା କରାଗଲାଣି। ତେବେ ଏହି ଅସାଧାରଣ ବୋଲିଂ ଦକ୍ଷତା ପଛର ରହସ୍ୟ ଖୋଲିଛନ୍ତି ମୟଙ୍କଙ୍କ ମା’। ନିରାମିଷ ଓ ସାତ୍ତ୍ବିକ ଖାଦ୍ୟ ହିଁ ମୟଙ୍କଙ୍କ ବୋଲିଂ ବଳର ଅସଲ କାରଣ ବୋଲି କହିଛନ୍ତି ସେ। ଏକ ସାକ୍ଷାତ୍‌କାର ଅବସରରେ ମୟଙ୍କଙ୍କ ମା’ ମମତା ୟାଦବ କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ମୟଙ୍କ ନିରାମିଷ ଖାଦ୍ୟ ଖାଇ ଆସୁଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାଲି, ଭାତ, ରୁଟି, କ୍ଷୀର, ଦହି ଓ ସବୁଜ ପନିପରିବା ଖାଉଛନ୍ତି। ମାଛ, ମାଂସକୁ ସଂପୂର୍ଣ୍ଣ ପରିତ୍ୟାଗ କରିଛନ୍ତି। ମୟଙ୍କ ନିରାମିଷ ଖାଦ୍ୟ ଖାଇବାର ଦୁଇଟି କାରଣ ମମତା ଦର୍ଶାଇଛନ୍ତି। ପ୍ରଥମତଃ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ମୟଙ୍କଙ୍କର ଅଗାଢ଼ ବିଶ୍ବାସ ରହିଛି। ଦ୍ବିତୀୟରେ ନିରାମିଷ ଖାଦ୍ୟକୁ ତାଙ୍କ ଶରୀର ଠିକ୍ ଭାବେ ଗ୍ରହଣ କରୁ ନଥିଲା। ଶରୀର ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା। ମୟଙ୍କ ଦିନେ ନା ଦିନେ ଭାରତୀୟ ଦଳରୁ ଖେଳିବ ବୋଲି ମଧ୍ୟ ଏହି ଅବସରରେ ମମତା ଦୃଢ଼ ଆଶା ପୋଷଣ କରିଛନ୍ତି।