ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ଦୁଃଖଦ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଏବେ ଚର୍ଚ୍ଚାକୁ ଆସିଛି। ପୁଅ ଜୋରାଭରକୁ ଜନ୍ମଦିନ ଶୁଭେଛା ଜଣାଇବା ଅବସରରେ ଧାୱନ ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଥିବା ତାଙ୍କ ଲିଖିତ ବାର୍ତାରୁ ପ୍ରତୀୟମାନ ହୋଇଛି। ପତ୍ନୀ ଆୟଶାଙ୍କଠାରୁ ୨ ବର୍ଷ ତଳୁ ଛାଡ଼ପତ୍ର ନେଇଥିବା ଧାୱନ ଏକାନ୍ତ ଜୀବନ ବିତାଉଛନ୍ତି। ଜନ୍ମଦିନରେ କିନ୍ତୁ ମଙ୍ଗଳବାର ପୁଅ ଜୋରାଭରକୁ ଭାରି ମନେ ପକାଇଛନ୍ତି। ଭଲ ମଣିଷ ହେବାକୁ ଧାୱନ ପରାମର୍ଶ ଦେଇଥିବାବେଳେ ଭବିଷ୍ୟତରେ ଏକାଠି ହେବାର ଆଭାସ ଦେଇଛନ୍ତି। ‘ବର୍ଷେ ବିତିଗଲା ବ୍ୟକ୍ତିଗତ ଭାବେ ଦେଖିନାହିଁ, ଗତ ୩ ମାସ ହେବ ବ୍ଲକ୍ ହୋଇଯାଇଛି। ତେଣୁ ପୁରୁଣା ଫଟୋକୁ ଛାଡ଼ି ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି।
ଯଦିଓ ମୁଁ ତୁମ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରୁନାହିଁ। କିନ୍ତୁ ଟେଲିପାଥିରେ ସଂଯୁକ୍ତ ରହିଛି। ତୁମ ପାଇଁ ମୁଁ ଗର୍ବିତ, ମୁଁ ଜାଣିଛି ତୁମେ ଭଲ କରୁଛ ଏବଂ ସୁନ୍ଦର ଭାବେ ବଢ଼ୁଛ। ପାପା ତୁମକୁ ଭାରି ଭଲ ପାଉଛନ୍ତି ଏବଂ ମନେ ପକାଉଛନ୍ତି। ସେ ସବୁବେଳେ ସକରାତ୍ମକ ଓ ଈଶ୍ବରଙ୍କ କୃପାରୁ ତୁମ ହସକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଦୁଷ୍ଟ ହୁଅ, କିନ୍ତୁ ନଷ୍ଟ ହୁଅନି। ଦୟାଳୁ, ନମ୍ର, ଧୈର୍ଯ୍ୟବାନ ଓ ଶକ୍ତିମାନର ଗୁଣମାନ ରଖିଥାଅ। ତୁମକୁ ଦେଖିବାରୁ ବଞ୍ଚିତ ହେବା ସତ୍ତ୍ବେ ମୁଁ ପ୍ରାୟ ପ୍ରତି ଦିନ ବାର୍ତା ଲେଖୁଛି, ଦୈନଦିନର ଭଲମନ୍ଦ ବୁଝିବାକୁ ବାଟ ଖୋଜୁଛି। ମୋ ଜୀବନରେ କ’ଣ ନୂଆ ତାହା ବି ଜଣାଉଛି। ଢ଼େର ସାରା ଭଲ ପାଇବା ଜୋରା...ତୁମ ପାପା’।