ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ରେ ନୂଆ ଭୂମିକାରେ ଆସୁଥିବା ରହସ୍ୟ ଉପରୁ ପରଦା ହଟାଇଛନ୍ତି। ବାସ୍ତବରେ ଧୋନି ଜିଓ ସିନେମାର ଏକ ଆଇପିଏଲ୍ ବିଜ୍ଞାପନରେ ଯୁଗଳ ଭୂମିକାରେ ଆସୁଥିବା ଦେଖାଯାଇଛି। ଯେଉଁଥିରେ ଧୋନି ଉଭୟ ଯୁବାବସ୍ଥାରେ ଓ ବୟସ୍କ ଭାବେ ମୋବାଇଲ୍ରେ ମ୍ୟାଚ୍ ଦେଖୁଛନ୍ତି। ଏହି ବିଜ୍ଞାପନର ଭିଡିଓକୁ ଧୋନି ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହ ‘ନୂଆ ଋତୁ, ନୂଆ ଭୂମିକା! ସମସ୍ତ ପ୍ରକାରର ଆକ୍ସନ୍ ଆପଣମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ’ ବୋଲି ଶୀର୍ଷକ ଲେଖିଥିଲେ। ସୂଚନାଯୋଗ୍ୟ, ସୋମବାର ଧୋନି ତାଙ୍କ ସାମାଜିକ ଗଣମାଧ୍ୟମ ପେଜ୍ରେ ନୂଆ ଋତୁର ନୂଆ ଭୂମିକା ଆସୁଥିବା ଉପରେ ସଙ୍କେତ ଦେଇଥିଲେ। ଏହାପରେ ପ୍ରଶଂସକମାନେ ସିଏସ୍କେରେ ତାଙ୍କର ନୂଆ ଭୂମିକା ଉପରେ ଅନେକ କିଛି ଅନୁମାନ କରିଦେଇଥିଲେ।
ଦଲାଇଲାମାଙ୍କୁ ଭେଟିଲେ ଇଂଲଣ୍ଡ ଖେଳାଳି
ଇଂଲଣ୍ଡର କିଛି ଖେଳାଳି ବୁଧବାର ଶାନ୍ତିଦୂତ ତଥା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଧର୍ମଶାଳାର ମ୍ୟାକ୍ଲଏଡ୍ଗଞ୍ଜରେ ଥିବା ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ। ରବିବାର ସଂଧ୍ୟାରେ ଫଟୋ ପ୍ରକାଶ କରି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି ସୂଚନା ଦେଇଛି। ଦଲାଇଲାମାଙ୍କୁ ଭେଟିଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଜ୍ୟାକ୍ କ୍ରଲି, ଟମ୍ ହାର୍ଟଲି, ଡାନ୍ ଲରେନ୍ସ, ଓଲି ପୋପ୍ ଓ ସହକାରୀ ପ୍ରଶିକ୍ଷକ ମାର୍କସ ଟ୍ରେସ୍କୋଥିକ।