ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦାଣ୍ଡିଆ ନାଚୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ୩ ଦିନିଆ ପ୍ରାକ୍ବିବାହ ଉତ୍ସବରେ ଯୋଗ ଦେବା ଅବସରରେ ସେ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ଦାଣ୍ଡିଆ ନୃତ୍ୟ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ତାରକା ବୋଲର ଡ୍ବେନ୍ ବ୍ରାଭୋ ମଧ୍ୟ ଧୋନି ଓ ସାକ୍ଷୀଙ୍କ ସହ ତାଳ ଦେଇ ଦାଣ୍ଡିଆ ନାଚିଥିଲେ। ଗୁଜରାଟର ଜାମ୍ନଗରରେ ଆୟୋଜିତ ଏହି ଉତ୍ସବରେ ବଲିଉଡ୍ ତାରକା, କ୍ରୀଡ଼ାବିତ୍ ଏବଂ ବହୁ ନାମିଦାମୀ ବ୍ୟକ୍ତି ଯୋଗ ଦେଇଛନ୍ତି।
କାର୍ ଦୁର୍ଘଟଣାରେ ଗୁରୁତର ହୋଇ କ୍ରିକେଟ୍କୁ ଫେରିବାକୁ ଜୋରଦାର୍ ଉଦ୍ୟମ କରୁଥିବା ୱିକେଟ୍ ରକ୍ଷକ ଋଷଭ ପନ୍ତ ରବିବାର ବାଟି ଖେଳୁଥିବା ଦେଖିବାକୁ ମିଳିଛି। ୨୬ ବର୍ଷୀୟ ପନ୍ତ ଏହାର ଏକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ପ୍ରକାଶ କରି ପିଲାବେଳର ସ୍ମୃତିକୁ ତାଜା କରିଛନ୍ତି। ପନ୍ତଙ୍କୁ ପାଖରେ ପାଇ ତାଙ୍କ ଘର ପାଖ ପିଲାମାନେ ବେଶ୍ ଖୁସି ହୋଇଥିଲେ। ପନ୍ତ ମଧ୍ୟ ବେଶ୍ ଆନନ୍ଦର ସହ ବାଟି ଖେଳର ମଜା ନେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ ଯେ ପନ୍ତ ଆଗାମୀ ଆଇପିଏଲ୍ରେ କ୍ରିକେଟ୍କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।
ମାତୃତ୍ବ ଲାଭ ସତ୍ତ୍ବେ ଅଲିମ୍ପିଆନ୍ ଦୀପିକା କୁମାରୀଙ୍କ ଖେଳ ଉପରେ ଏହା କୌଣସି ପ୍ରଭାବ ପକାଇନି। ୨୦୨୨ ଡିସେମ୍ବରରେ କନ୍ୟା ସନ୍ତାନର ମା’ ହେବାର ୨୮ ଦିନ ପରେ ଅଭ୍ୟାସ ଆରମ୍ଭ କରି ନିଜକୁ ଫିଟ୍ ରଖିଥିଲେ ସେ। ଏହା ପୂର୍ବରୁ ୨୦୨୨ ଜୁନ୍ରେ ପ୍ୟାରିସ୍ ତୀରନ୍ଦାଜି ବିଶ୍ବକପ୍ରେ ଭାରତର ପ୍ରତିନିଧିତ୍ବ କରିଥିଲେ ଦୀପିକା। ଚଳିତ ବର୍ଷ ଏସିଆ କପ୍କୁ ପ୍ରତ୍ୟାବର୍ତ୍ତନ କରି ୨ଟି ସ୍ବର୍ଣ୍ଣ ଜିତିଥିଲେ। ଗତବର୍ଷ ୨୯ ବର୍ଷୀୟ ଦୀପିକା ୧୦ ମାସର ଝିଅକୁ ଘରେ ଛାଡ଼ି ଦକ୍ଷିଣ କୋରିଆରେ କିମ୍ ହ୍ୟୁଙ୍ଗଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେବାକୁ ଯାଇଥିଲେ। ଏହା ତାଙ୍କୁ କୌଣସି ଚାପ ଦେଉନି କି ଖେଳ ଉପରେ ପ୍ରଭାବ ପକାଉନି ବୋଲି ଏବେ କହିଛନ୍ତି ଅର୍ଜୁନ ଓ ପଦ୍ମଶ୍ରୀ ବିଜୟିନୀ ଦୀପିକା କୁମାରୀ।