ନୂଆଦିଲ୍ଲୀ: ‘‘ସର୍ବଦା ପୁଲିସ ଅଧିକାରୀ ହେବି ବୋଲି ସ୍ବପ୍ନ ଦେଖୁଥିଲି। ଜାଣିଥିଲି ଏହା କଷ୍ଟକର କାମ, କିନ୍ତୁ ସବୁବେଳେ ସେହି ପୋଷାକ ପିନ୍ଧିବାକୁ ଚାହୁଥିଲି ଏବଂ ଏହାର ମଜା ଅନୁଭବ କରିବାକୁ ଇଚ୍ଛା କରୁଥିଲି। ଯାହା ଏବେ ପୁରଣ ହୋଇଛି ବୋଲି ଶୁକ୍ରବାର ଉତ୍ତରପ୍ରଦେଶ ପୁଲିସରେ ଡିଏସ୍‌ପି ଭାବେ ନିଯୁକ୍ତି ହେବା ପରେ କହିଛନ୍ତି ଭାରତୀୟ ମହିଳା କ୍ରିକେଟର୍‌ ଦୀପ୍ତି ଶର୍ମା। ଗତ କିଛି ବର୍ଷ ହେବ ଚମତ୍କାର ପ୍ରଦର୍ଶନ କରିଥିବାରୁ ଆଗ୍ରାର ଦୀପ୍ତିଙ୍କୁ ଗତମାସରେ ରାଜ୍ୟ ପୁଲିସରେ ଡିଏସ୍‌ପି ଚାକିରି ଦେବାର ପ୍ରତିଶ୍ରୁତି ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅଲ୍‌ରାଉଣ୍ଡର ଦୀପ୍ତି ୨୦୨୨-୨୩ ଋତୁ ଲାଗି ‌ଶ୍ରେ‌ଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ ଭାବେ ବିସିସିଆଇ ଦ୍ବାରା ସମ୍ମାନିତ ହୋଇଥିଲେ। ୨୦୨୨ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ସେ ସଦସ୍ୟ ରହିଥିଲେ।