ତିରୁପତି: ସଂପ୍ରତି ଆହତ ଯୋଗୁଁ କ୍ରିକେଟ୍‌ଠୁ ଦୂରେଇ ରହିଥିବା ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ ଈଶ୍ବରଙ୍କ ପ୍ରେମରେ ପଡ଼ିଛନ୍ତି। ଶୁକ୍ରବାର ସେ ଓ ସାଥୀ ସ୍ପିନର ଅକ୍ଷର ପଟେଲଙ୍କ ସହ ଅାନ୍ଧ୍ରପ୍ରଦେଶର ତିରୁପତିସ୍ଥ ଶ୍ରୀବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ‘‘ଏହି ସ୍ଥାନର ଶକ୍ତି ଏତେ ଯେ ଶବ୍ଦକୁ ଧରି ହେଉନି। ଅବିଶ୍ବସନୀୟ ଓ ଆଧ୍ୟାତ୍ମିକତା ଭରା ଏହି ମନ୍ଦିର ଛାଡ଼ିବା ଅସମ୍ଭବ ହେଉଛି’’ ବୋଲି ପନ୍ତ କହିଛନ୍ତି। ଗତ ଡିସେମ୍ବରରେ କାର୍‌ ଦୁର୍ଘଟଣାରେ ଶିକାର ହୋଇଥିବା ପନ୍ତ ସୁସ୍ଥ ହେବା ପରେ ନିଜର ୨୬ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡ ଗସ୍ତ କରି କେଦାରନାଥ ଓ ବଦ୍ରିନାଥଙ୍କ ଦର୍ଶନ କରିଥିଲେ।