ଭାରତୀୟ ଶିବିରରେ ଗ୍ୟାରି ସୋବର୍ସ
ବାର୍ବାଡସ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଭ୍ୟାସ ଚାଲୁଥିଲା ବେଳେ ସେଠାରେ ପହଞ୍ଚିଥିଲେ ୱେଷ୍ଟଇଣ୍ଡିଜ୍‌ର ମହାନ ଅଲରାଉଣ୍ଡର ଗ୍ୟାରି ସୋବର୍ସ। ଷ୍ଟାଡିୟମ୍‌ ଭିତରେ ପହଞ୍ଚିବା ପରେ ସପତ୍ନୀକ ସୋବର୍ସ ଭାରତୀୟ ଦଳର ଖେଳାଳିମାନଙ୍କୁ ଭେଟିଥିଲେ। ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ଶାର୍ଦ୍ଦୁଳ ଠାକୁର, ଶୁବମନ ଗିଲ୍‌ଙ୍କ ସହିତ ସୋବର୍ସ ହାତ ମିଳାଉଥିବା ଭିଡିଓ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ପୋଡକାଷ୍ଟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ ସୋବର୍ସଙ୍କୁ ସମସ୍ତ ଖେଳାଳିଙ୍କ ସହିତ ପରିଚିତ କରାଇଥିଲେ। ବିସିସିଆଇ ମଧ୍ୟ ତାହାର ଟ୍ବିଟର ହ୍ୟାଣ୍ଡେଲ୍‌ରେ ଭାରତୀୟ ଖେଳାଳିମାନେ ସାକ୍ଷତକରୁଥିବା ଭିଡିଓକୁ ସେୟାର କରିଥିଲା।

Advertisment

publive-image

ରୋହିତଙ୍କ ନୂଆ ଲୁକ୍‌
ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ବର୍ତ୍ତମାନ ବାର୍ବାଡସ୍‌ରେ ଭାରତୀୟ ଦଳ ଅଭ୍ୟାସ କରୁଛି। ଏହି ଶିବିରରେ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ପୂର୍ବରୁ ଦାଢି ସହ ‌ୱେଷ୍ଟଇଣ୍ଡିଜ୍‌ ଯାଇଥିବା ରୋହିତ ଏବେ କ୍ଲିନ୍‌ ସେଭ୍‌ କରିଛନ୍ତି। ଏହାର ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏପରିକି ଦୁଇ ଦିନ ତଳେ ଭାରତୀୟ ଦଳ ବିଚ୍‌ ଭଲିବଲ୍‌ ଖେଳୁଥିବା ଭିଡିଓରେ ମଧ୍ୟ ରୋହିତ କ୍ଲିନ୍‌ ସେଭ୍‌ କରିଥିବା ଦେଖାଯାଇଥିଲା। କିଛି ବର୍ଷ ଧରି ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ବିୟର୍ଡ ଲୁକ୍‌ ଚର୍ଚ୍ଚାରେ ରହିଥିଲା। କୋହଲି, ରାହାଣେ, ପୂଜାରା, ଶାର୍ଦ୍ଦୁଳ, ସାମି, ଜାଦେଜା, ଋଷଭଙ୍କ ପରି ଏକାଧିକ ଖେଳାଳି ଦାଢ଼ି ରଖିବାକୁ ପସନ୍ଦ କରୁଥିଲେ। ‌ଏବେ ରୋହିତଙ୍କ ନୂଆ ରୂପ ତାଙ୍କର ପ୍ରାରମ୍ଭିକ କ୍ରିକେଟ୍‌ ସମୟର ଚେହେରା କଥାକୁ ମନେପକାଇ‌ ଦେଇଛି।

ମଧ୍ୟାହ୍ନଭୋଜନ ଟେବୁଲ୍‌ରେ ସଚିନ, ଯୁବରାଜ, ଅଗରକର ଏକାଠି
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଥିବା ଅଜିତ ଅଗରକର ବୁଧବାର ଲଣ୍ଡନରେ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ସହ ମଧ୍ୟାହ୍ନଭୋଜନ କରିଛନ୍ତି। ଏହି କ୍ରିକେଟର୍‌ମାନଙ୍କ ସହିତ ଅଗରକରଙ୍କ ପତ୍ନୀ ଫାତିମା ଅଗରକର, ଯୁବରାଜଙ୍କ ପତ୍ନୀ ହାଜେଲ୍‌ କିଚ୍‌, ସର୍ଜନ ଡାକ୍ତର ମୁଫଜଲ୍‌ ଲକଡାୱାଲା, ତାଙ୍କ ପତ୍ନୀ ପ୍ରିୟଙ୍କା କାଉଲ୍‌ ପ୍ରମୁଖ ଏଠାକି ମଧ୍ୟାହ୍ନଭୋଜନ କରୁଥିବା ଦେଖାଯାଇଛି। ଏହି ମଧ୍ୟାହ୍ନଭୋଜନ ଜରିଆରେ ସମେସ୍ତ ଏକାଠି ହେବା ସହ ବନ୍ଧୁତ୍ବ ନିବିଡ଼ ହେଉଥିବା ସଂକ୍ରାନ୍ତରେ ସଚିନ ଫଟୋରେ କ୍ୟାପସନ୍‌ ଦେଇଥିଲେ। ଏହା ଉପରେ ବ୍ରାଏନ୍‌ ଲାରା ପ୍ରତିକ୍ରିୟା ଦେବା ସହ ସମସ୍ତଙ୍କ ଗୋଟିଏ ସମୟରେ ହାଏ ଓ ବାଏ କହିଛନ୍ତି। ଏଥିସହ ଏକାଠି ହୋଇ ମଧ୍ୟାହ୍ନଭୋଜନ କରୁଥିବାରୁ ସମସ୍ତେ ଭାଗ୍ୟବାନ ବୋଲି ଲାରା ଉଲ୍ଲେଖ କରିଛନ୍ତି।

publive-image

ପ୍ରବୀଣଙ୍କ କାର୍‌କୁ ଧକ୍କା ଦେଲା ଟ୍ରଲର
ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାର ଓ ତାଙ୍କ ପୁଅ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ମଙ୍ଗଳବାର ରାତିରେ ମେରଟ୍‌ଠାରେ ଏକ ଟ୍ରଲର ସହିତ ପ୍ରବୀଣଙ୍କ ଏସ୍‌ୟୁଭି ଧକ୍କା ହୋଇଥିଲା। ବାଘପଟ୍‌ ରୋଡ୍‌ସ୍ଥିତ ମୁଲତାନ ନଗରର ବାସିନ୍ଦା ପ୍ରବୀଣ ତାଙ୍କ କାର୍‌ରେ ପାଣ୍ଡବ ନଗରରୁ ଫେରୁଥିଲେ। କମିସନରଙ୍କ ଘର ପାଖାପାଖି ହୋଇଥିଲା ବେଳେ ପ୍ରବୀଣଙ୍କ କାର୍‌କୁ ଉକ୍ତ ଟ୍ରଲର ପଛପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। କିନ୍ତୁ ଦୁର୍ଘଟଣାରେ ପ୍ରବୀଣ ଓ ତାଙ୍କ ପୁଅ ସୁରକ୍ଷିତ ଥିବା‌ ବେଳେ କାର୍‌ର ପଛଭାଗ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଟ୍ରଲର ଡ୍ରାଇଭରଙ୍କ ବିରୋଧର ଏତଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ସର୍କଲ ଅଧିକାରୀ ଅରବିନ୍ଦ ଚୌରାସିଆ ସୂଚନା ଦେଇଛନ୍ତି। ଏହି ଘଟଣା ଗତବର୍ଷ ଡିସେମ୍ବରରେ ଋଷଭ ପନ୍ତ୍‌ଙ୍କ ସହିତ ହୋଇଥିବା କାର୍‌ ଦୁର୍ଘଟଣା ଘଟଣାକୁ ପୁଣି ଥରେ ମନେପକାଇ ଦେଇଛି।

‘କ୍ରାଏ ବେବିସ୍‌’ ପରେ ‘ଦ ମଣ୍ଟି ପାଏଥନ୍‌’
ଦ୍ବିତୀୟ ଆସେସ୍‌ ଟେଷ୍ଟରେ ଜନି ବେୟାରଷ୍ଟୋଙ୍କ ରନ୍‌ଆଉଟ୍‌କୁ ନେଇ କ୍ରିକେଟ୍‌ ମଇଦାନକୁ ଛାଡ଼ିଦେଲେ ଅନ୍ୟ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଯଦିଓ ଏହି ଆଲୋଚନାକୁ ବନ୍ଦ କରି ଆଗକୁ ବଢ଼ିବାକୁ ଇଂଲଣ୍ଡ ଖେଳାଳିମାନେ ଚାହିଁଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହି ବିବାଦକୁ ଆଉ ପାଦେ ଆଗକୁ ଟାଣିଛନ୍ତି। ସୋମବାର ଅଷ୍ଟ୍ରେଲିଆ ଖବରକାଗଜ ଦ ୱେଷ୍ଟ ଅଷ୍ଟ୍ରେଲିଆନ୍‌ ଦ୍ବାରା ‘କ୍ରାଏ ବେବିସ୍‌’ ହେଡ୍‌ଲାଇନ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ଶିଶୁ ଅବତାର ଚର୍ଚ୍ଚିତ ହେବା ପରେ ପୁଣି ଥରେ ଆଉ ଏକ ଖବରକାଗଜ ‘ଦ ଡେଲି ଟେଲିଗ୍ରାଫ୍‌’ ପୃଷ୍ଠାରେ ବ୍ର‌ିଟେନ୍‌ର ଚର୍ଚ୍ଚିତ ସର୍କସ ଗ୍ରୁପ୍‌ ‘ଦ ମଣ୍ଟି ପାଏଥନ୍‌’ ଗ୍ରୁପ୍‌କୁ ଷ୍ଟୋକ୍ସ, ଟିଭି ଉପସ୍ଥାପକ ପିଅର୍ସ ମୋର୍ଗାନ୍‌, ପୂର୍ବତନ କ୍ରିକେଟର ଜିଓଫ୍ରେ ବଏକଟ୍‌, ପୂର୍ବତନ ପ୍ରଧ‌ାନମନ୍ତ୍ରୀ ରୁଷି ସୁନକଙ୍କ ଜରିଆରେ ପ୍ରଦର୍ଶିତ କରାଯାଇଛି। ‘ଟକ୍‌ ଟିଭି’ର ଉପସ୍ଥାପକ ମୋର୍ଗାନ୍‌ ଏହି ପୃଷ୍ଠାକୁ ସେୟାର କରିଥିଲେ। ନିଜ କ୍ରିକେଟ ଦଳର ଫାଉଲ୍‌ ପ୍ଲେ’ ବିଷୟରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କ ସମାଲୋଚନାକୁ ସ୍ଥାନିତ କରିଥିବା ମୋର୍ଗାନ୍‌ କ୍ୟାପସନ୍‌ ଦେଇଥିଲେ। ତେବେ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏପ‌ରି ପ୍ରକାଶନ ପାଇଁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନ କରିବାକୁ ବଏକଟ୍‌ କହିଛନ୍ତି।