ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଶନିବାର ରାତିରେ ଚେନ୍ନାଇ ସୁପର୍ କିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ପରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ନିଜ ଛାତିରେ ଜର୍ସି ଉପରେ ଅଟୋଗ୍ରାଫ୍ ନେବା ପରେ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗାଭାସ୍କର ନିଜ ଜୀବନର ଶେଷ ଦୁଇ ଇଚ୍ଛା ପ୍ରକଟ କରିଛନ୍ତି। ‘ଜୀବନର ଶେଷ ମୁହୂର୍ତରେ ମୁଁ ଯଦି ୨ ମିନିଟ୍ ପାଏ ଦୁଇଟି ଅବିସ୍ମରଣୀୟ ମୁହୂର୍ତକୁ ଦେଖିବାକୁ ଚାହିଁବି। ଗୋଟିଏ ହେଉଛି ୧୯୮୩ ମସିହାରେ କପିଳ ଦେବ ବିଶ୍ବକପ୍ ଟ୍ରଫି ତୋଳି ଧରିବା ଏବଂ ଦ୍ବିତୀୟଟି ୨୦୧୧ ବିଶ୍ବକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନି ବିଜୟୀ ଛକା ମାରିବା ପରେ କିଭଳି କଚଟିରେ ବ୍ୟାଟ୍ ଘୁରାଇଥିଲେ। ଏହି ଦୁଇଟି ମୁହୂର୍ତକୁ ଦେଖିପାରିଲେ ମୁଁ ଖୁସିରେ ଓ ଶାନ୍ତିରେ ମରିପାରିବି’।
ନେହେରା-ହାର୍ଦିକ ବାକ୍ଯୁଦ୍ଧ
୨୦୨୨ରେ ଆଇପିଏଲ୍ ପଦାର୍ପଣ କରିବା ପରଠାରୁ ଗୁଜରାଟ ଟାଇଟନ୍ସର ଜୟଯାତ୍ରା ଜାରି ରହିଛି। ପଦାର୍ପଣରେ ବିଜେତା ହୋଇଥିବା ଏହି ଦଳ କ୍ରମାଗତ ଦ୍ବିତୀୟ ଋତୁରେ ପ୍ଲେ ଅଫ୍ ପ୍ରବେଶକୁ ନିଶ୍ଚିତ କରିଛି। ଗୁଜରାଟ ଟାଇଟନ୍ସର ପ୍ରତିଟି ମ୍ୟାଚ୍ରେ କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରାଙ୍କ ଚଳଚଞ୍ଚଳ ରୂପ ସବୁବେଳେ ଚର୍ଚ୍ଚାରେ ରହୁଛି। ମାର୍ଗଦର୍ଶକ ଗ୍ୟାରି କର୍ଷ୍ଟେନ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖିବା ସହ ପ୍ରତି କ୍ଷଣରେ ସେ ଏହାକୁ ପଡ଼ିଆରେ କାର୍ଯ୍ୟକାରୀ ହେବା ଦିଗରେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି। ସୋମବାର ରାତିରେ କିନ୍ତୁ ନେହେରାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ର ପ୍ରଥମ ପାଳି ଅନ୍ତିମ ଭାଗରେ ଗୁଜରାଟ ଟାଇଟନ୍ସ ସଂଘର୍ଷ କରିବାରୁ ନେହେରା ଅସନ୍ତୋଷ ପ୍ରକଟ କରିଥିଲେ। ଶେଷ ୩ ଓଭରରେ ଦଳ ୬ ୱିକେଟ୍ ହରାଇବାରୁ ସେ ପ୍ରବଳ ଅସନ୍ତୁଷ୍ଟ ଥିଲେ। ଗିଲ୍ ତାଙ୍କ ପ୍ରଥମ ଶତକ ହାସଲ କରିବା ବେଳେ ସଭିଏ ତାଳି ମାରି ଅଭିନନ୍ଦନ ଜଣାଉଥିବା ବେଳେ ଜିଟି ଶିବିରରେ ନେହେରା ଚୁପଚାପ ବସି ରହିଥିଲେ। ଶେଷକୁ ଦଳ ୧୮୮ ରନ୍ କରିବା ପରେ ନେହେରା ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବାକ୍ବିତଣ୍ଡାରେ ଲାଗି ରହିଥିଲେ। ଦଳର କ୍ରିକେଟ୍ ନିର୍ଦେଶକ ବିକ୍ରମ ସୋଲାଙ୍କୀ ଶେଷରେ ହାର୍ଦିକଙ୍କୁ ଶାନ୍ତ କରିଥିଲେ।
/sambad/media/post_attachments/wp-content/uploads/2023/05/564fh654sf654fh65fh.jpg)
ଗିଲ୍ କହିଥିଲେ ଛକା ମାରିଦେବି
ଚଳିତ ଆଇପିଏଲ୍ରେ ସୋମବାର ପ୍ରଥମ ଶତକ ହାସଲ କରିଥିବା ଶୁବମନ ଗିଲ୍ ଏବେ ମ୍ୟାଚ୍ ପୂର୍ବରୁ କହିଥିବା ଏକ ପ୍ରତିଶ୍ରୁତି ରଖିଛନ୍ତି। ମ୍ୟାଚ୍ ପୂର୍ବରୁ ସେ ଅଭିଷେକ ଶର୍ମାଙ୍କୁ କହିଥିଲେ, ମୋତେ ବୋଲିଂ କଲେ ଛକା ମାରିଦେବି। ଗିଲ୍ ୧୨ତମ ଓଭରରେ ଅଭିଷେକ ଶର୍ମାଙ୍କୁ ମଧ୍ୟ ଲଗାତାର ଭାବେ ଛକା ଓ ଚୌକା ମାରିଥିଲେ। ନିଜର ଶତକୀୟ ପାଳିରେ ମଧ୍ୟ ଏହା ଥିଲା ଗିଲଙ୍କ ଏକମାତ୍ର ଛକା। ମ୍ୟାଚ୍ ପରେ ଦୁଇଟି କାରଣ ପାଇଁ ଗିଲ୍ ଖୁସି ହୋଇଥିଲେ। ଅଭିଷେକଙ୍କୁ କହି କହି ଛକା ମାରିବା ମୋତେ ଆନନ୍ଦିତ କରିଛି। ସେହିଭଳି ଯେଉଁ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ୍ ପଦାର୍ପଣ କରିଥିଲି ଏବେ ସେହି ଦଳ ବିପକ୍ଷରେ ପ୍ରଥମ ଆଇପିଏଲ୍ ଶତକ ମାରିଥିବାରୁ ଖୁସି ହୋଇଛି। ଜୀବନ ଏକ ବଳୟ ଭଳି ବୋଲି ଗିଲ୍ କହିଛନ୍ତି। ସୂଚନାଯୋଗ୍ୟ, ଶୁବମନ ଗିଲ୍ ଓ ଅଭିଷେକ ଶର୍ମା ୨୦୧୮ ମସିହାରେ ୧୯ ବର୍ଷରୁ କମ୍ ଜୁନିଆର୍ ବିଶ୍ବକପ୍ ବିଜେତା ଦଳର ସଦସ୍ୟ ଥିଲେ। ଉଭୟ ମଧ୍ୟ ପଞ୍ଜାବ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବାରୁ ପରସ୍ପରର ଭଲ ବଂଧୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654h6s5fhfhhfhf.jpg)