ଆଇପିଏଲ୍ ପାଇଁ ପ୍ରସ୍ତୁତ ହେଉଥିବା ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କୁ ସୋମବାର ନେଟ୍ସରେ ଜଣେ ନୂଆ ପ୍ରଶିକ୍ଷଣ ସାଥୀ ମିଳିଛନ୍ତି। ଏହି ନୂଆ ସାଥୀ ଜଣକ ଆଉ କେହି ନୁହଁନ୍ତି, ବରଂ ତାଙ୍କର ତିନି ବର୍ଷର ପୁଅ ଅଗସ୍ତ୍ୟ। ହାର୍ଦିକଙ୍କ ପେଟ ଉପରେ ପୁଅ ଅଗସ୍ତ୍ୟ ବଲ୍ ଧରି ଖେଳୁଥିବାର ଏକ ଫଟୋକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଓ ‘ଲିଟିଲ୍ ଟ୍ରେନିଂ ବଡି’ ଶୀର୍ଷକ ଦେଇଥିଲେ। ହାର୍ଦିକ ଦିନିକିଆ ବିଶ୍ବକପ୍ ବେଳେ ଆହତ ହୋଇଥିଲା ବେଳେ ସେଥିରୁ ମୁକୁଳିବା ପାଇଁ ଅଭ୍ୟାସ କରୁଛନ୍ତି। ଏଥିସହିତ ଆସନ୍ତା ଆଇପିଏଲ୍ ପାଇଁ ମଧ୍ୟ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଆଇପିଏଲ୍ର ଆସନ୍ତା ସଂସ୍କରଣରେ ସେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେବେ।
‘ଇଏ ଆଜିକାଲିର ପିଲା’
ରାଜକୋଟରେ ଇଂଲଣ୍ଡକୁ ହରାଇବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଯୁବ ଖେଳାଳିଙ୍କୁ ସାମାଜିକ ଗଣମଧ୍ୟମରେ ପ୍ରଶଂସା କରିଛନ୍ତି। ଯଶସ୍ବୀ ଜୟସ୍ବାଲ୍, ସର୍ଫରାଜ ଖାନ୍ ଓ ଧ୍ରୁବ ଜୁରେଲଙ୍କ ଫଟୋ ପୋଷ୍ଟ କରିବା ସହ ‘ଇଏ ଆଜିକାଲିର ପିଲାମାନେ’ ବୋଲି ଶୀର୍ଷକ ଦେଇଥିଲେ। ଜୟସ୍ବାଲ୍ ୨୨ବର୍ଷ ୪୯ ଦିନ ବୟସରେ ଦୁଇଟି ଟେଷ୍ଟ୍ ଦ୍ବିଶତକ ଅର୍ଜନ କରି ବିନୋଦ କାମ୍ବଲି ଓ ଡନ୍ ବ୍ରାଡମ୍ୟାନ୍ଙ୍କ ପଛକୁ ରହିଛନ୍ତି। ଏପରିକି କାମ୍ବଲି ଓ କୋହଲିଙ୍କ ପରେ ତୃତୀୟ ବ୍ୟାଟର୍ ଭାବେ ଲଗାତାର ଟେଷ୍ଟ୍ରେ ଦ୍ବିଶତକ ଅର୍ଜନ କରିଛନ୍ତି। ସର୍ଫରାଜ ମଧ୍ୟ ଚତୁର୍ଥ ଭାରତୀୟ ଭାବେ ଟେଷ୍ଟ୍ ପଦାର୍ପଣର ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିଥିଲେ। ଧ୍ରୁବ ମଧ୍ୟ ୱିକେଟ୍ ପଛରେ ତାଙ୍କ କମାଲ୍ ଦେଖାଇ ଚାଲିଛନ୍ତି।
କୋହଲିଙ୍କ କଥା କହି ହର୍ଷ ହଟହଟା
ବିରାଟ କୋହଲିଙ୍କ ଉପରେ ଟିପ୍ପଣୀ ଦେଇ ସାମାଜିକ ଗଣମାଧ୍ୟମରେ ଆକ୍ରୋଶର ଶିକାର ହୋଇଛନ୍ତି କିଂବଦନ୍ତି ଭାଷ୍ୟକାର ହର୍ଷ ଭୋଗ୍ଲେ। ଭୋଗଲେ ମୁମ୍ବାଇର ଇଣ୍ଡିଆ ଟାଲେଣ୍ଟ ଲିଡରସିପ୍ ସମ୍ମିଳନୀ ଓ ଏକ୍ସପୋ କାର୍ଯ୍ୟକ୍ରମରେ ଯୋଗଦେଇ କୋହଲିଙ୍କୁ ଉଦାହରଣ ଭାବେ ଦର୍ଶାଇଥିଲେ। ଏହି ସମୟର ଭିଡିଓକୁ ପିଟିଆଇ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରାଯାଇଥିଲା। ଏଥିରେ ଭୋଗ୍ଲେ କହିଥିଲେ, କୋହଲି ଏବେ ଭାରତ ପାଇଁ ଟେଷ୍ଟ୍ ଖେଳୁଛନ୍ତି ଏବଂ ସେ ଏଥିରୁ ବାହାରିବେ ନାହିଁ। ଆଗକୁ ସେ ଆର୍ସିବି ଓ ଭାରତ ପାଇଁ ଖେଳିବା ଜାରି ରଖିବେ। ଗୋଟିଏ ସମୟ ପରେ ସେ ଦଳର ଭବିଷ୍ୟତ କଥା ଚିନ୍ତା କରି ନିଜେ ଦୂରେଇ ଯିବେ। ତୁମେ କେମିତି ଦୁଇଟି କଥାକୁ ସମାନ କହିପାରିବ ଯେତେବେଳେ ଏହି ଖେଳରେ ମୁଁ (କୋହଲି) ଜଣେ ମହାନ ଖେଳାଳି ହୋଇସାରିଛି। କିନ୍ତୁ ପ୍ରକୃତରେ ବର୍ତ୍ତମାନର ସମୟରେ ଦଳର ସ୍ବାର୍ଥକୁ ଦେଖିବାକୁ ହେବ ଓ ନିଜେ ଦୂରେଇ ଯିବାକୁ ପଡ଼ିବ। କାରଣ ତାଙ୍କ ସ୍ଥାନରେ ଯିଏ ବି ନୂଆ ଖେଳାଳି ଆସିବେ ସେ ୬ ବଲ୍ରୁ ୨୦ ରନ୍ ବାହାର କରିପାରିବେ। କିନ୍ତୁ ଭୋଗ୍ଲେଙ୍କ ଏହି ମନ୍ତବ୍ୟ ପରେ କୋହଲିଙ୍କ ପ୍ରଶଂସକମାନେ ତାଙ୍କୁ ଖରାପ ଭାଷାରେ ପ୍ରତିକ୍ରିୟା ଦେଇଥିଲେ। ତେଣୁ ଭୋଗ୍ଲେ ପିଟିଆଇର ଉକ୍ତ ପୋଷ୍ଟ ଉପରେ ସ୍ପଷ୍ଟୋକ୍ତି ରଖିବାକୁ ଯାଇ ତାଙ୍କ କଥାକୁ ଏଡିଟ୍ କରାଯାଇଥିବା କହିଥିଲେ। ବିରାଟ ପ୍ରତ୍ୟେକ ପରିସ୍ଥିତିରେ ଖେଳିପାରନ୍ତି ଏବଂ ମହାନ ଖେଳାଳିମାନେ ଚାହିଦା ଓ ପ୍ରାଧାନ୍ୟତା ମଧ୍ୟରେ କିପରି ସନ୍ତୁଳନ କରନ୍ତି ତାହା ଭିଡିଓରେ କହିଥିଲେ। କିନ୍ତୁ ମୁଖ୍ୟ କଥାକୁ କାଟି ଦିଆଯାଇଥିଲା।