ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଆଧ୍ୟାତ୍ମିକ ସଂଗୀତ ବାଜିବା ବିରଳ, କିନ୍ତୁ କେଶବ ଆତ୍ମାନନ୍ଦ ମହାରାଜ ଖେଳିବାକୁ ଆସିବାମା‌ତ୍ରେ ଏଭଳି ସଂଗୀତ ଡିଜେରୁ ଶୁଭିଥାଏ-‘ରାମ ସିୟା ରାମ ଜୟ ଜୟ ରାମ’। ଗତ ମାସରେ ଶେଷ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ବେଳେ ମଧ୍ୟ ଏଭଳି ଡିଜେ ସ୍ବର ଶୁଭିଥିଲା। କେପ୍ ଟାଉନ୍ ଟେଷ୍ଟ୍‌ରେ ମଧ୍ୟ ଏଭଳି ସଂଗୀତ ବାଜିବାରୁ ବିରାଟ କୋହଲି ଓ କେଏଲ୍ ରାହୁଲ ଜାଣିବାକୁ ଉତ୍ସୁକତା ଦେଖାଇଥିଲେ। ଶେଷରେ ସ୍ପଷ୍ଟ ‌ହୋଇଥିଲା କେଶବ ମହାରାଜଙ୍କ ଅନୁରୋଧ କ୍ରମେ ଜଣେ ମିଡିଆ ଲେଡି ଏଭଳି ଡିଜେ ସ୍ବର ଶୁଣିବାର ବ୍ୟବସ୍ଥା କରିଥିଲେ।

Advertisment

ଦକ୍ଷିଣ ଆଫ୍ରିକା ଦଳର ଏହି ବାମହାତୀ ସ୍ପିନର୍‌ ଡର୍ବାନ ଜନ୍ମିତ ଭାରତୀୟ ବଂଶୋଦ୍ଭବ। ସମ୍ପ୍ରତି ସେ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ପାଇଁ ମଧ୍ୟ ଡର୍ବାନ୍ ସୁପର ଜାଏଣ୍ଟ୍‌ସର ଅଧିନାୟକ ନିଯୁକ୍ତ ହୋଇଛନ୍ତି। କେଶବ ମହାରାଜ ଦୁଇ ଭାରତୀୟ ପ୍ରଭୁ ହନୁମାନ ଓ ଶ୍ରୀ ରାମଙ୍କ ବଡ଼ ଭକ୍ତ ବୋଲି ସ୍ବୀକାର କରିଥିଲେ। ‘‘ପ୍ରଭୁ ମୋ ପାଇଁ ସର୍ବଶ୍ରେଷ୍ଠ ଆଶୀର୍ବାଦ। ଏହା ଏକ ଛୋଟିଆ ସୁଯୋଗ ମୁଁ ଯାହା ଦେଇପାରିବି। ଏହା ଶୁଣିବା ପରେ ମୁଁ ଖେଳ ଜୋନରେ ରହିଥାଏ ଏବଂ ଅନ୍ୟମାନଙ୍କଠାରୁ ସମ୍ମାନ ଲାଭ କରିଥାଏ। ଧର୍ମ ଓ ସଂସ୍କୃତିକୁ ସମ୍ମାନ କରିବା ଗୁରୁତ୍ବପୂର୍ଣ୍ଣ। ପ୍ରଛଦପଟ୍ଟରେ ‘ରାମ ସିୟା ରାମ୍‌’ ଶୁଣିବା ସୁନ୍ଦର ଅନୁଭବ ଦିଏ’’ ବୋଲି କେଶବ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବର୍ଣ୍ଣବୈଷମ୍ୟ ବାସନ୍ଦରୁ ମୁକ୍ତ ହେବା ପରଠାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ କେଶବ ମହାରାଜଙ୍କ ରୂପରେ ସବୁଠାରୁ ଫଳପ୍ରଦ ସ୍ପିନର୍ ପାଇଛି। ୫୦ ଟେଷ୍ଟ୍‌ରୁ ସେ ୧୫୮ ୱିକେଟ୍ ‌ନେଇସାରିଛନ୍ତି।