ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବା ପରେ ମଧ୍ୟ ସୁରେଶ ରାଇନା ତାଙ୍କ ଫିଟ୍‌ନେସ୍‌ ପ୍ରତି ଅବହେଳା କରିନାହାନ୍ତି। ନିକଟରେ ସାମାଜିକ ଗଣମାଧ୍ୟମରେ ତାଙ୍କର ଦେଶୀ ବ୍ୟାୟାମର କିଛି ଫଟୋ ଓ ଭିଡିଓ ଛାଡ଼ିଥିଲା ବେଳେ ସେଗୁଡ଼ିକ ବେଶ୍‌ ଆଦୃତ ହୋଇଥିଲା। ତାଙ୍କ ଘର ବଗିଚାରେ ସେ ବ୍ୟାୟାମ କରୁଥିବା ଦେଖାଯାଇଥିଲା। ସେଥିରେ ଆଧୁନିକ ଜିମ୍‌ ଉପକରଣ ପରିବର୍ତ୍ତେ ଫିଟ୍‌ନେସ୍‌ ପାଇଁ ମୁଦଗର୍‌ ବ୍ୟବହାର କରୁଥିଲେ। ଏଥିସହିତ କିଛି ପୁସ୍‌ ଅପ୍‌ ଓ ଡମ୍ବଲ୍ସ ବ୍ୟାୟାମ ମଧ୍ୟ କରିଥିବା ଦେଖାଯାଇଥିଲା। ସାମାଜିକ ଗଣମାଧ୍ୟରେ ଛାଡ଼ିଥିବା ଉକ୍ତ ଭିଡିଓରେ ଆମଷ୍ଟର୍ଡାମ୍‌ରୁ ଦେଶୀ ମୁଡ୍‌କୁ ଫେରିଥିବା ସେ କ୍ୟାପସନ୍‌ ଦେଇଥିଲେ। ତାଙ୍କର ଉକ୍ତ ଭିଡିଓ ଉପରେ ପୂର୍ବତନ ଦ୍ରୁତ ବୋଲର ଏସ୍‌. ଶ୍ରୀଶାନ୍ଥ ପ୍ରତିକ୍ରିୟା ରଖି ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ରାଇନା ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ରାଇନା କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ରେସ୍ତରାଁ ବ୍ୟବସାୟରେ ପାଦ ଥାପିଛନ୍ତି। କିଛି ଦିନ ତଳେ ଆମଷ୍ଟର୍ଡାମ୍‌ରେ ‘ଦ ରାଇନା ଇଣ୍ଡିଆନ୍‌ ରେଷ୍ଟୁରାଣ୍ଟ’ ଶୁଭାରମ୍ଭ କରିଛନ୍ତି। ରାଇନା ୨୦୨୨ ସେପ୍ଟେମ୍ବର ୬ ତାରିଖରେ ଅବସର ଘୋଷଣା କରିଥିଲେ। ସେ ୨୨୬ ଦିନିକିଆ, ୭୮ ଟ୍ବେଣ୍ଟି-୨୦ରୁ ଯଥାକ୍ରମେ ୫୬୧୫ ଓ ୧୬୦୫ ରନ୍‌ ସଂଗ୍ରହକ ରିଛନ୍ତି। ଆଇପିଏଲ୍‌ରେ ମଧ୍ୟ ପଞ୍ଚମ ସର୍ବାଧିକ (୨୦୫ ମ୍ୟାଚ୍‌, ୫୫୨୮ ରନ୍‌) ରନ୍‌ ସଂଗ୍ରହକାରୀ ରହିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ୫ ଆଇପିଏଲ୍‌ ଟ୍ରଫି ବିଜୟରେ ରାଇନା ୪ଟିରେ ସାମିଲ ଥିଲେ।

Advertisment

publive-image

ଲାରାଙ୍କ ଦ୍ବିତୀୟ ଘର ଭାରତ
କିଂବଦନ୍ତି ୱେଷ୍ଟଇଣ୍ଡିଜ୍‌ ତାରକା ବ୍ରାଏନ ଲାରା ଭାରତୀୟ ଯୁବ ତାରକାଙ୍କୁ ପ୍ରଶଂସାରେ ପୋତିଛନ୍ତି। ସଂପ୍ରତି ‌ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ଲାଗି ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଦଳ ସମସ୍ତ ଖେଳାଳି ତାଙ୍କ ସହ ମିଶିବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଏପରିକି ଯୁବ ଖେଳାଳି ଅନେକ ଥର ଲାରାଙ୍କୁ ଭେଟି ବିଭିନ୍ନ ଟିପ୍ସ ନେବା ସହ ଫଟୋ ଉଠାଇବାକୁ ଭୁଲି ନାହାନ୍ତି। ଦିନିକିଆ ଶୃଙ୍ଖଳାରେ ଯୁବ ଦଳକୁ ନେଇ ଖେଳୁଥିବା ଭାରତ ତୃତୀୟ ଦିନିକିଆକୁ ୨୦୦ ରନ୍‌ରେ ଜିତିଥିଲା। ଏହି ବିଜୟ ପେରେ ଲାରା ଯୁବ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି। ‌‌ସେ କହିଛନ୍ତି ଯେ ‘ଭାରତ ମୋ ପାଇଁ ଦ୍ବିତୀୟ ଘର। ଏଠାରେ ଅନେକ ଉଦୀୟମାନ ଖେଳାଳି ଅଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି। ଏବେ ସମୟ ଏମିତି ଯେ ଭାରତୀୟ ପୁରଷ ଦଳ ନିକଟରେ ଦୁଇଟି ନୁହେଁ ତିନିଟି ଏକାଦଶ ନେଇ ପଡ଼ିଆକୁ ଓହ୍ଲାଇବାର ଶକ୍ତି ରହିଛି। ମୋ ଏକାଡେମୀ‌ରେ ଏହି ନୂତନ ଅନ୍ତର୍ଜାତୀୟ ତାରକାଙ୍କୁ ଦେଖି ଗର୍ବିତ’’। ସୂଚନାଯୋଗ୍ୟ ଯେ, ତ୍ରିନିଦାଦର ତରୌବାସ୍ଥିତ ବ୍ରାଏନ ଲାରା କ୍ରିକେଟ୍‌ ଏକାଡେମୀଠାରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯାଇଥିଲା।