କାରିବିୟାନ୍ରେ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳାରେ ସଫଳତା ପାଇବା ପରେ ଭାରତୀୟ ଦଳ ସ୍ବଦେଶ ଫେରିଛି। ଦଳ ଫେରିବା ପରେ ଏହାର ଅଧିନାୟକ ରୋହିତ ଶର୍ମା ପରିବାର ସହ ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ବାଲାଜୀ ମନ୍ଦିର ଯାଇଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ପତ୍ନୀ ରିତିକା ଓ ଝିଅ ସହ ରୋହିତ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ପୂଜା ଅର୍ଚ୍ଚନା କରିବା ପରେ ଫେରିଥିଲେ। ରୋହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ନେଇଥିଲେ। ଭାରତୀୟ ଦଳର ପରବର୍ତ୍ତୀ ପ୍ରତିଯୋଗିତା ଏସିଆ କପ୍ ରହିଛି। ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଚଳିତ ମାସ ୩୦ରୁ ଆରମ୍ଭ ହେବ।
ଏଲ୍ପିଏଲ୍ରେ ସାପ ଆତଙ୍କ
ଶ୍ରୀଲଙ୍କାରେ ଚାଲିଥିବା ଲଙ୍କା ପ୍ରିମିୟର୍ ଲିଗ୍ (ଏଲ୍ପିଏଲ୍)ରେ ଏବେ ସାପ ଆତଙ୍କ ଚର୍ଚ୍ଚାରେ ରହିଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଏକାଧିକ ଥର ସାପଙ୍କ ଆବିର୍ଭାବ ଖେଳାଳି ଓ କ୍ୟାମେରାମ୍ୟାନଙ୍କୁ ଚିନ୍ତାରେ ପକାଇଛି। ଶନିବାର ରାତିରେ ବି-ଲଭ୍ କାଣ୍ଡି ଓ ଜାଫ୍ନା କିଙ୍ଗ୍ସ ମ୍ୟାଚ୍ ବେଳେ ଦୁଇ ଥର ସାପ ପଡ଼ିଆ ଭିତରକୁ ପଶି ଆସିଥିଲା। ଦ୍ରୁତ ବୋଲର ଇସୁରୁ ଉଡ଼ାନା ସାପଟିକୁ ମାଡ଼ିପକାଇବା ବେଳକୁ ହଠାତ୍ ଦେଖି ଦୂରେଇ ଯାଇଥିଲେ। ‘ଭାଗ୍ୟବଶତଃ ବର୍ତ୍ତିଗଲେ’ ବୋଲି ଜଣେ ଟ୍ବିଟ୍ କରିଛନ୍ତି। ଆଉ ଏକ ସାପ ଇଲେକ୍ଟ୍ରି ତାର ନିକଟରେ ଥିବାର ଦେଖିବାକୁ ମିଳିଥିଲା। କ୍ୟାମେରାମ୍ୟାନ୍ ଦୂରତା ରଖି ଏହାର ଫଟୋ ଉତ୍ତୋଳନ କରିବା ସହ ଏହାକୁ ଖାଲି ହେବାକୁ ସୁଯୋଗ ଦେଇଥିଲେ।
ହଣ୍ଡ୍ରେଡ୍ରେ ବିରଳ ହ୍ୟାଟ୍ରିକ୍
ଇଂଲଣ୍ଡରେ ଚାଲିଥିବା ଦ ହଣ୍ଡ୍ରେଡ୍ ପ୍ରତିଯୋଗିତାରେ ଏକ ବିରଳ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ଇଂଲଣ୍ଡର ପେସ୍ ବୋଲର ଟାଇମଲ୍ ମିଲ୍ସ। ମନ୍ଥର ବଲ୍ ପକାଇ ସେ ୩ ୱିକେଟ୍ ନେଇଥିବାରୁ ଏହା କ୍ରିକେଟ୍ରେ ବିରଳ ବୋଲି କୁହାଯାଉଛି। ସାଉଦର୍ଣ୍ଣ ବ୍ରେଭ୍ ପାଇଁ ଖେଳିଥିବା ଏହି ଅନ୍ତର୍ଜାତୀୟ ଅଭିଜ୍ଞ ଦ୍ରୁତ ବୋଲର ପ୍ରତିପକ୍ଷ ୱେଲ୍ସ ଫାୟାର୍ ପାଳିର ଶେଷ ୩ ବଲ୍ରେ ମଧ୍ୟ ଏହି ୩ ୱିକେଟ୍ ଅକ୍ତିଆର କରିଥିଲେ। ବେନ୍ ଗ୍ରିନ୍, ହାରିସ୍ ରୌଫ୍, ଡେଭିଡ୍ ପେନି ତାଙ୍କ ଶିକାର ହୋଇଥିଲେ। ମିଲ୍ସ ୨୦ ବଲ୍ ବୋଲିଂ କରି ୧୩ ରନ୍ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ୱେଲ୍ସ ଫାୟାର୍ ମାତ୍ର ୮୭ ରନ୍ରେ ଅଟକିଯାଇଥିଲା। ଜବାବରେ ଫିନ୍ ଆଲେନଙ୍କ ୨୨ ବଲ୍ ୩୧ ରନ୍ ବଳରେ ବ୍ରେଭ୍ ବିଜୟୀ ହୋଇଥିଲା।