ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କୁ କ୍ରିକେଟର୍‌ ମହମ୍ମଦ ସାମି ବିବାହ କରିବାର ଚର୍ଚ୍ଚା ଢେର କିଛି ଦିନ ହେବ ଲାଗି ରହିଛି। ଏପରିକି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ‘ଏଆଇ’ ସହାୟତାରେ ଉଭୟଙ୍କ ଫଟୋକୁ ମିଶାଇ ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ପ୍ରେମିକ-ପ୍ରେମିକା ଯୋଡ଼ି ଭାବେ ଦର୍ଶାଯାଉଛି। ନାନା ପ୍ରକାର ମିମ୍ ଛଡ଼ାଯାଉଛି। ତେବେ ସାନିଆଙ୍କ ସହ ତାଙ୍କର ବାହାଘର ହେଉଥିବା ଖବର କେବଳ ଗୁଜବ ଛଡ଼ା ଆଉ କିଛି ନୁହେଁ ବୋଲି ସାମି ଏକ ପଡ୍‌କାଷ୍ଟ୍‌ରେ ଯୋଗଦେଇ କହିଛନ୍ତି। ସେହିଭଳି ଏଭଳି ଗୁଜବକୁ ବିଶ୍ବାସ କରିବା କିମ୍ବା ଏହାକୁ ପ୍ରଚାରପ୍ରସାର କରିବାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି।

Advertisment

ଏହି ଅବସରରେ ସାମି କହିଛନ୍ତି, ଏହା ଅତି ଖରାପ କଥା। କେବଳ ମଜା ଉଠାଇବା ଲାଗି ଏଭଳି ଗୁଜବ ସୃଷ୍ଟି କରାଯାଇଛି। ହେଲେ ଏବେ କ’ଣ ବି କରାଯାଇପାରେ। ମୁଁ ନିଜେ ଯେତେବେଳେ ‌‌ମୋ ଫୋନ୍ ଖୋଲୁଛି, ସାନିଆ ଓ ମୋତେ ନେଇ ତିଆରି କରାଯାଇଥିବା ମିମ୍ ଦେଖିବାକୁ ପାଉଛି। ମୁଁ କେବଳ ଏତିକି କହିବି ଯେ କାହାର ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ମିମ୍ କିମ୍ବା ଗୁଜବ ସୃଷ୍ଟି କରିବା ଆଦୌ ଠିକ୍ କଥା ନୁହେଁ। ଲୋକମାନେ ନକଲି ଆଇଡିରୁ ଏଭଳି କାରନାମା କରୁଛନ୍ତି। ମିମ୍ ଛାଡ଼ି ଖସି ବି ଯାଉଛନ୍ତି।