ନୂଆଦିଲ୍ଲୀ: ସାଧାରଣତଃ ୧୪ ବର୍ଷର ପିଲାର ଇଚ୍ଛା ରେସ୍ତୋରାଁରେ ବସି ନିଜ ପସନ୍ଦର ଖାଦ୍ୟ ଖାଇବା। ହେଲେ ‌ଶନିବାର ମାତ୍ର ୧୪ ବର୍ଷ ୧୨୩ ଦିନ ବୟସରେ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ପସନ୍ଦ କିନ୍ତୁ ଅଲଗା ଥିଲା। ‌ରାଜସ୍ଥାନ ରୟାଲ୍ସର ଏହି ସ୍ବଳ୍ପ ବୟସ୍କ ଖେଳାଳି କ୍ରିକେଟ୍‌ ଲାଗି ନିଜର ପ୍ରିୟ ଖାଦ୍ୟ ମଟନ ଓ ପିଜାକୁ ବାଏ ବାଏ କରିଦେଇଛନ୍ତି। ଖାଦ୍ୟ ଲାଳସାକୁ ପଛରେ ପକାଇଥିବା ଏହି ବିହାର ଯୁବକ ଶନିବାର ଆଇପିଏଲ୍‌ ଖେଳି ଇତିହାସ ରଚିଛନ୍ତି। ସବଠୁ କନିଷ୍ଠ ଖେଳାଳି ଭାବେ ଆଇପିଏଲ୍‌ ଖେଳିବାରେ କୀର୍ତ୍ତି କରିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍‌ରେ ସେ ଭାରତର ଅନ୍ୟତମ ପ୍ରମୁଖ ଦ୍ରୁତ ବୋଲର ଶାର୍ଦୁଳ ଠାକୁରଙ୍କୁ ଛକା ମାରି ଏହି ଧନି ଲିଗ୍‌ରେ ଅଭିଯାନ ଆରମ୍ଭ କରିଥିଲେ।

Advertisment

ସୂର୍ଯ୍ୟବଂଶୀଙ୍କ ଖାଇବା ନେଇ ତାଙ୍କ ପ୍ରଶିକ୍ଷକ ମନୀଷ ଓଝା କହିଛନ୍ତି ଯେ ‘‘ମଟନ ଖାଇବା ପାଇଁ ତାଙ୍କୁ ପୂରା ମନା, ଏଥିସହ ତାଙ୍କ ଖାଦ୍ୟ ଶାରଣୀରୁ ପିଜାକୁ ବି ବାହର କରିଦିଆଯାଇଛି। ସେ ଯେତେବେଳେ ଛୋଟ ଥିଲେ ପିଜାକୁ ବହୁତ ଭଲ ପାଉଥିଲା। କିନ୍ତୁ ଏବେ ଏହାକୁ ମୋଟେ ଖାଉନାହିଁ। ସେ ବହୁତ ଆଗକୁ ଯିବ। କିପରି ପାଳି ଆରମ୍ଭ କଲେ ଦେଖିଲ। ମୋର ବିଶ୍ବାସ ଆଗାମୀ ମ୍ୟାଚ୍‌ଗୁଡ଼ିରେ ‌ବଡ଼ ସ୍କୋର୍‌ କରିବ। ସେ ଜଣେ ନିର୍ଭୀକ ବ୍ୟାଟର୍‌। ତାଙ୍କ ପାଖରେ ଯୁବରାଜ ସିଂହଙ୍କ ଭଳି ଆକ୍ରମଣାତ୍ମକ ପ୍ରତିଭା ରହିଛି। ଅଭ୍ୟାସ ଅଧିବେଶନ ବେଳେ ସୂର୍ଯ୍ୟବଂଶୀର ପରିଶ୍ରମକୁ ଦଳର ହାଇ ପରଫର୍‌ମାନ୍ସ ନି‌ର୍ଦ୍ଦେଶକ ଜୁବିନ ଭାରୁଚା ଦେଖିଥିଲେ। ସେହିଦିନ ରାତି ୮ଟାରେ ତାଙ୍କୁ ମ୍ୟାନେଜ୍‌ମେଣ୍ଟରୁ ମେସେଜ୍‌ ଆସିଲା, ଆଇପିଏଲ୍‌ ‌ପଦାର୍ପଣ ପାଇଁ ପ୍ରସ୍ତୁତ ରୁହ। ସେ ବହୁତ ଖୁସି ହୋଇ ମୋତେ ଫୋନ୍‌ କଲା, ରାହୁଲ ଦ୍ରାଭିଡ଼ ସାର୍‌ ଓ ଦଳର ମ୍ୟାନେଜ୍‌ମେଣ୍ଟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ଖେଳିବାକୁ କହିଛନ୍ତି। ଏହାକୁ ନେଇ ସେ ବହୁତ ଚାପରେ ଥିଲା। ମୁଁ ତାଙ୍କୁ କହିଲି ଛକା ବାଲା ବଲ୍‌ ଆସିଲେ ମାରିବୁ ରହିବୁନି। ସେ ସର୍ବଦା ରାହୁଲ ଦ୍ରାବିଡ଼ଙ୍କୁ ପ୍ରଶଂସା କରେ ଏବଂ ବହୁତ ସ‌ହଯୋଗ କରୁଥିବା କହେ’’।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୧୧ରେ ବିଶ୍ବକପ୍‌ ଜିତିଥିଲା। ସେହିବର୍ଷ ମାର୍ଚ୍ଚ ୨୭ରେ ସୂର୍ଯ୍ୟବଂଶୀଙ୍କ ଜନ୍ମ। ଏବେ ୧୪ ବର୍ଷ ବୟସରେ ସେ ବିହାର ପକ୍ଷରୁ ୫ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିସାରିଲେଣି। ତେବେ ଶନିବାର ରାତିରେ ସେ ୨୦ ବଲ୍‌ରୁ ୩୪ ରନ୍ ସଂଗ୍ରହ‌ କରି ଷ୍ଟମ୍ପିଂ ହୋଇଯିବା ପରେ କାନ୍ଦି କାନ୍ଦି ପଡ଼ିଆରୁ ‌ଫେରିବା ଅନେକ ପ୍ରଶଂସକଙ୍କୁ ବି ଭାବବିହ୍ବଳ କରିପକାଇଥିଲା।