ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରେ କରାଚି କିଙ୍ଗ୍ସ ଓ ମୁଲତାନ ସୁଲତାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ ଦେଖିବାକୁ ଆସିଥିଲେ ସୋଏବ୍ ମଲ୍ଲିକଙ୍କ ପତ୍ନୀ ସନା ଜାଭେଦ୍। କିନ୍ତୁ ପଡ଼ିଆକୁ ଆସିବା ବେଳେ ଦର୍ଶକମାନେ ତାଙ୍କୁ ଚିଡ଼ାଇଥିବା ଦେଖାଯାଇଥିଲା। ସନାଙ୍କୁ ଦର୍ଶକମାନେ ସୋଏବ୍ଙ୍କ ପୂର୍ବତନ ପତ୍ନୀ ସାନିଆ ମିର୍ଜାଙ୍କ ନାମ ଧରି ସମ୍ବୋଧନ କରିବା ସହ ବାରମ୍ବାର ଚିଡ଼ାଉଥିଲେ। ଏହି ସମୟର ଏକ ଭିଡିଓକୁ ଜଣେ ଦର୍ଶକ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା ବେଳେ ଅନେକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ଭିଡିଓରେ ସନା ଦର୍ଶକଙ୍କୁ ଦେଖି ହାତ ହଲାଉଥିବା ଦେଖାଯାଇଥିଲା। ସୋଏବ୍ ଓ ସାନିଆଙ୍କ ମଧ୍ୟରେ ବିଚ୍ଛେଦ ହୋଇଯିବା ପରେ ଅଭିନେତ୍ରୀ ସନାଙ୍କୁ ବିବାହ କରିଛନ୍ତି। କିନ୍ତୁ ପାକିସ୍ତାନରେ ମଧ୍ୟ ସାନିଆଙ୍କ ସମର୍ଥକ ଥବା ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି।
ପତ୍ନୀଙ୍କୁ ପୁରସ୍କାର ଉତ୍ସର୍ଗ
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଜାଡ଼େଜା ତାଙ୍କର ଏହି ପୁରସ୍କାରକୁ ବିଧାୟିକା ପତ୍ନୀ ରିଭାବାଙ୍କୁ ଉତ୍ସର୍ଗ କରିଛନ୍ତି। ସ୍ଥାନୀୟ ତାରକା ଜାଡ଼େଜା ଏହି ମ୍ୟାଚ୍ର ପ୍ରଥମ ପାଳିରେ ୧୧୨ ରନ୍ ସଂଗ୍ରହ କରିଥିଲା ବେଳେ ଇଂଲଣ୍ଡର ଦ୍ବିତୀୟ ପାଳିରେ ୫ ୱିକେଟ୍ ସଫଳତା ପାଇଥିଲେ। ଭାରତ ବିଜୟୀ ହେବା ପରେ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ବିସିସିଆଇ ଜାରି କରିଥିବା ଏକ ଭିଡିଓରେ ଜାଡ଼େଜା କହିଛନ୍ତି ଯେ, ଘରୋଇ ପଡ଼ିଆରେ ଏହି ‘ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି’ ପୁରସ୍କାର ମୋ ପାଇଁ ସ୍ବତନ୍ତ୍ର। ଏହି ପୁରସ୍କାରକୁ ମୁଁ ମୋ ପତ୍ନୀଙ୍କୁ ଉତ୍ସର୍ଗ କରୁଛି। ପ୍ରଚ୍ଛଦ ପଟରେ ସେ ବହୁତ କଠିନ ପରିଶ୍ରମ କରିଛନ୍ତି। ସେ ସବୁବେଳେ ମୋତେ ଆତ୍ମବିଶ୍ବାସ ଯୋଗାଇ ଦେଇଥାନ୍ତି। ଗତ କିଛି ଦିନ ତଳେ ଜାଡ଼େଜାଙ୍କ ବାପା ରିଭାବାଙ୍କ ବିରୋଧରେ ପାରିବାରିକ ଅଭିଯୋଗ ଆଣିଥିଲେ। କିନ୍ତୁ ରିଭାବାଙ୍କୁ ସମର୍ଥନ ଜଣାଇବାକୁ ଜାଡ଼େଜା ଆଗକୁ ଆସିଥିଲେ।