ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାରତୀୟ ଟେନିସ୍‌ ତାରକା ସୁମିତ ନଗଲ ଏଭ ଭିନ୍ନ ଢଙ୍ଗରେ ଚର୍ଚ୍ଚାକୁ ଆସିଥିଲେ। ଦୁଇ ଦିନ ତଳେ ଜଣେ ସିଡେଡ୍‌ ଖେଳାଳିଙ୍କୁ ପରାସ୍ତ କରି ଇତିହାସ ରଚିଥିବା ନଗଲ ମେଲବର୍ଣ୍ଣ କ୍ରିକେଟ୍‌ ପଡ଼ିଆକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ତାଙ୍କ ପିଲାଦିନର କଥା ମନେ ପକାଇ ପୁଣି ଥରେ ବ୍ୟାଟ୍‌ ଧରି ବ୍ୟାଟିଂ କରିବାକୁ ଯାଇଥିଲେ। ଏମ୍‌ସିଜିର ଇନ୍‌ଡୋର ନେଟ୍ସରେ ସେ ପ୍ୟାଡ୍‌ ପିନ୍ଧି ବ୍ୟାଟିଂ କରିବା ସହିତ ପୁଣି ଥରେ ପୁରୁଣା ସ୍ମୃତିକୁ ମନେପକାଇ ଥିଲେ। ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ସେ କହିଥିଲେ ଯେ, ବହୁ ବର୍ଷ ଧରି ସେ କ୍ରିକେଟ୍‌ ଖେଳି ନାହାନ୍ତି। ଏତେ ଦିନ ପରେ ପ୍ୟାଡ୍‌ ପିନ୍ଧିଥିବାରୁ କ’ଣ ହେବ ସେ ଜାଣି ନାହାନ୍ତି। କିନ୍ତୁ ଯେତେବେଳେ ସେ ବ୍ୟାଟିଂ କରିଥିଲେ, ଏକାଧିକ ବ୍ୟାକଫୁଟ୍‌ ଡିଫେନ୍ସ କରିଥିବା ଦେଖାଯାଇଥିଲା। ଏକାଧିକ ବଲ୍‌ ଖେଳିସାରିବା ପରେ କଭର ଡ୍ରାଇଭ୍‌ ମାରିବା ଆରମ୍ଭ କରିଥିଲେ। ତାଙ୍କ ମତରେ, ପିଲା‌ଦିନେ ସେ ବହୁତ କ୍ରିକେଟ୍‌ ଖେଳିଛନ୍ତି। ହେଲେ ସେତିକି ସମୟ ଯଦି ସେ ଟେନିସ୍‌ ଖେଳିଥାନ୍ତେ, ତାହେଲେ ଆହୁରି ଆଗକୁ ବଢ଼ିପାରିଥାନ୍ତେ। କିନ୍ତୁ ଏହାକୁ ନେଇ ସେ କାହାକୁ ଅଭିଯୋଗ କରିବେନି। ଏବେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ଏବଂ ଲକ୍ଷ୍ୟ ଦିଗରେ ବଢ଼ିବା ପାଇଁ କଠିନ ପରିଶ୍ରମ କରୁଥିବା ନଗଲ କହିଛନ୍ତି।