ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍ ଫାଇନାଲ୍ରେ ଭାରତର ପ୍ରାଧାନ୍ୟ ଭରା ବିଜୟ ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ପୂର୍ବତନ ଅଲ୍ରାଉଣ୍ଡର୍ ଯୁବରାଜ ସିଂହ। ମହମ୍ମଦ ସିରାଜ (୬/୨୧) ପ୍ରଦର୍ଶନ ସହ ଶ୍ରୀଲଙ୍କାକୁ ମାତ୍ର ୫୦ ରନ୍ରେ ଅଲ୍ଆଉଟ୍ କରି ଭାରତ ଏହି ଫାଇନାଲ୍କୁ ମାତ୍ର ୬.୧ ଓଭରରେ ଜିତିଯାଇଥିଲା। ବିଜୟ ପରେ ଯୁବରାଜ ସିଂହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ‘ଶେଷରେ ଆମ ପିଠିରୁ ମାଙ୍କଡ଼ ଓହ୍ଲାଇଗଲା’। ଯୁବିଙ୍କ ଏହି ସଂକ୍ଷିପ୍ତ ପ୍ରତିକ୍ରିୟାଟି ତୁରନ୍ତ ଭାଇରାଲ୍ ହୋଇଯାଇଛି। ଏହା ମଧ୍ୟ ଭାରତର ୨୩ ବର୍ଷ ତଳର ଏକ ଲଜ୍ଜାରୁ ମିଳିଥିବା ଯନ୍ତ୍ରଣା ଦୂର ହୋଇଥିବା ତାଙ୍କ ଉକ୍ତିଟି ଦର୍ଶାଇଥିଲା। ୨୦୦୦ ମସିହା ଅକ୍ଟୋବର ୨୯ ତାରିଖରେ ସାରଜାରେ କୋକାକୋଲା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭାରତକୁ ଶ୍ରୀଲଙ୍କା ୨୬.୩ ଓଭରରେ ୫୪ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା। ଚାମିଣ୍ଡା ଭାସ୍ ୫/୧୪ ପ୍ରଦର୍ଶନ ସହ ଏହି ବିପର୍ଯ୍ୟୟ ଘଟାଇଥିଲେ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଯୁବରାଜ ସିଂହ ଓ ବିନୋଦ କାମ୍ବଲିଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା। କେବଳ ରବିନ ସିଂହ ହିଁ ଦୁଇ ଅଙ୍କ (୧୧) ସ୍କୋର୍ କରିପାରିଥିଲେ। ରବିବାର ରାତିରେ ଏସିଆ କପ୍ ବିଜୟ ପରେ ଏହି ଭୂତ କାନ୍ଧରୁ ଓହ୍ଲାଇ ଯାଇଥିବାରୁ ଯୁବରାଜ ସିଂହ ଶେଷରେ ଲେଖିଛନ୍ତି ‘ଅଭିନନ୍ଦନ ପିଲାମାନେ, ଏହି ଫର୍ମକୁ ବିଶ୍ବକପ୍ ସାରା ଜାରି ରଖ’।
ନ୍ୟୁଜିଲାଣ୍ଡ୍ର ନୂଆ ଜର୍ସି
ଗତ ସଂସ୍କରଣ ବିଶ୍ବକପ୍ରେ ଦୁର୍ଭାଗ୍ୟଜନକ ଭାବେ ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡ୍ ଏଥର ସବୁ ସାମର୍ଥ୍ୟ ଓ ଦମ୍ରେ ବିଶ୍ବକପ୍ ଖେଳିବ। ଏଥି ପାଇଁ କ୍ବିୱି ଦଳ ମଧ୍ୟ ଅନେକ କିଛି ନୂଆ କୌଶଳ ଓ ସୃଜନଶୀଳ ପ୍ରକ୍ରିୟା ସହ ଭାରତ ଆସୁଛି। ଦଳ ଘୋଷଣା ଷ୍ଟାଇଲ୍ରୁ ଏହା ଆରମ୍ଭ ହୋଇଛି। ପ୍ରତି ଖେଳାଳିଙ୍କ ଦଳ ସେମାନଙ୍କ ପତ୍ନୀ, ପ୍ରେମୀ ଓ ପିଲାଙ୍କ ମାଧ୍ୟମରେ ଘୋଷଣା କରାଯାଇଛି। ସୋମବାର ନ୍ୟୁଜିଲାଣ୍ଡ୍ ମଧ୍ୟ ଏହାର ନୂଆ ଜର୍ସି ଘୋଷଣା କରିଛି। ପାରମ୍ପାରିକ ଭାବେ ନ୍ୟୁଜିଲାଣ୍ଡ୍ ଜର୍ସି କଳା, ଧଳା ଓ ପାଉଁସିଆ ରଙ୍ଗର ହୋଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନ୍ୟୁଜିଲାଣ୍ଡ୍ ଜର୍ସି ଉନ୍ମୋଚନ କରିଛି। ସଦ୍ୟତମ ଜର୍ସି ପରିଧାନ କରି ଲୋକି ଫର୍ଗୁସନ୍, ଟ୍ରେଣ୍ଟ୍ ବୋଲ୍ଟ, ଟମ୍ ଲଥାମ୍ ଏହାର ଘୋଷଣା କରିଛନ୍ତି। କେନ୍ ୱିଲିୟମସନ୍ଙ୍କ ଦଳ ଗତ ସଂସ୍କରଣ ଫାଇନାଲ୍ରେ ଇଂଲଣ୍ଡ ନିକଟରୁ ଦୁଇ ଥର ଟାଇ (ମ୍ୟାଚ୍ ଓ ସୁପର୍ ଓଭର) ପରେ ବାଉଣ୍ଡରି କାଉଣ୍ଟ୍ରେ ହାରି ଉପବିଜେତା ହୋଇଥିଲା।
ରିୟଲ୍ ମାଡ୍ରିଡ୍ରେ ଦାଦା ଓ ଦିଦି
ଫୁଟ୍ବଲ୍ ସହିତ ପଶ୍ଚିମବଙ୍ଗର ବିଶେଷ ସମ୍ପର୍କ ରହିଛି। ସୋମବାର ଏହି ରାଜ୍ୟର ଦୁଇ ଚେହେରା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଫୁଟ୍ବଲ୍ ପ୍ରସିଦ୍ଧ କ୍ଲବ୍ ରିୟଲ୍ ମାଡ୍ରିଡ୍ରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ବେଙ୍ଗଲରେ ଫୁଟ୍ବଲ୍ର ବିକାଶ ପାଇଁ ମଧ୍ୟ ଆଲୋଚନା କରିଛନ୍ତି। ମୋହନ ବାଗାନ, ଇଷ୍ଟ୍ ବେଙ୍ଗଲ୍, ମହମ୍ମଡାନ୍ ସ୍ପୋର୍ଟିଂର ପ୍ରତିନିଧିମାନେ ମଧ୍ୟ ସାଣ୍ଟିଆଗୋ ବେର୍ଣ୍ଣାବିୟୁ ଷ୍ଟାଡିୟମ୍ରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗେ ଦେଇଥିଲେ। ଆଲୋଚନାରେ ଲା’ ଲିଗା ସଭାପତି ଜାଭିଏର ଟେବାସ ମଧ୍ୟ ଯୋଡ଼ି ହୋଇଥିଲେ।