ଗ୍ରେନାଡ଼ା (ସେଣ୍ଟ୍ ଜର୍ଜ): ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରେ ୱିକେଟ୍ରକ୍ଷକ ଜୋସୁଆ ଦା ସିଲ୍ଭା (୧୦୦*, ୨୫୭ ବଲ୍, ୧୦ ଚୌକା)ଙ୍କ ଅପରାଜିତ ଶତକ ବଳରେ ଘରୋଇ ୱେଷ୍ଟ୍ଇଣ୍ଡିଜ୍ ପ୍ରଥମ ପାଳିରେ ୯୩ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଯାଇଛି। ଇଂଲଣ୍ଡର ପ୍ରଥମ ପାଳି ସ୍କୋର୍ ୨୦୪ ଜବାବରେ ଏକ ସମୟରେ ୧୨୮ ରନ୍ରେ ୭ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିବା ଘରୋଇ ଦଳ ଶନିବାର ତୃତୀୟ ଦିବସ ମଧ୍ୟାହ୍ନ ବିରତିର ଠିକ୍ ପୂର୍ବରୁ ହିଁ ୨୯୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ସିଲ୍ଭା ଟେଷ୍ଟ୍ ଜୀବନର ପ୍ରଥମ ଶତକ ଜମାଇବା ସହିତ ଆଲ୍ଜେରି ଜୋସେଫ (୨୮), କେମାର ରୋଚ୍ (୨୫) ଏବଂ ଜୟଦେନ୍ ସିଲେସ (୧୩)ଙ୍କୁ ସାଥୀ କରି ଦଳୀୟ ସ୍କୋର୍ରେ ୧୬୯ ରନ୍ ଯୋଡ଼ିଥିଲେ। ସେ ଶେଷ ୩ ୱିକେଟ୍ରେ ଯଥାକ୍ରମେ ଜୋସେଫଙ୍କ ସହ ୪୯, ରୋଚ୍ଙ୍କ ସହ ୬୮ ଏବଂ ସିଲେସ୍ଙ୍କ ସହ ୫୧ ରନ୍ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ୩ ଏବଂ କ୍ରେଗ୍ ଓଭରଟନ୍, ସାକତିବ୍ ମେହମୁଦ୍ ଓ ବେନ୍ ଷ୍ଟୋକ୍ସ ୨ ଲେଖାଏଁ ୱକେଟ୍ ପାଇଥିଲେ। ସିଲେସ୍ଙ୍କୁ ନିଜ ବୋଲିଂରେ କଟ୍ ଓ ବୋଲ୍ଡ କରି ଜୋ ରୁଟ୍ ହିଁ ୱେଷ୍ଟଇଣ୍ଡିଜ୍ ପାଳିରେ ପୂର୍ଣ୍ଣଛେଟ ଟାଣିଥିଲେ। ଶନିବାର ତୃତୀୟ ଦିବସର ରିପୋର୍ଟ ଲେଖା ହେଲା ବେଳକୁ ଭ୍ରମଣକାରୀ ଇଂଲଣ୍ଡ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୨୭ ରନ୍ କରିଛି। ଏଥି ସହିତ ହାତରେ ୭ ୱିକେଟ୍ ଥାଇ ୬୬ ରନ୍ରେ ପଛୁଆ ରହିଛି।
ସିଲ୍ଭାଙ୍କ ଶତକ: ଇଣ୍ଡିଜ୍କୁ ୯୩ ରନ୍ର ଅଗ୍ରଣୀ
/sambad/media/post_attachments/wp-content/uploads/2022/03/d45g6da465g45g6dgdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)