ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ମିନତି ମହାପାତ୍ର ଭେଲଡ୍ରୋମ୍ଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶାର ସ୍ବସ୍ତି ସିଂହ ରୌପ୍ୟ ପଦକ ଜିତିଛନ୍ତି। ଏହି କିଟ୍ ଛାତ୍ରୀ ମହିଳା ସ୍କ୍ରାଚ୍ ରେସ୍ରେ ଏହି ପଦକ କରାୟତ୍ତ କରିଥିଲେ। ଓଭରଅଲ୍ ଟିମ୍ ପୁରୁଷ ଓ ମହିଳାରେ ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ପୁରୁଷରେ ୟୁନିଭର୍ସିଟି ଅଫ୍ କେରଳ ଦ୍ବିତୀୟ ଓ ସାବିତ୍ରୀ ଫୁଲେ ପୁଣେ ବିଶ୍ବବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛନ୍ତି। ମହିଳାରେ ବେଙ୍ଗାଲୁରୁ ନର୍ଥ ଏବଂ ଚଣ୍ଡିଗଡ଼ ୟୁନିଭର୍ସିଟି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରେଷ୍ଠ ଖେଳାଳି ପୁରସ୍କାର ୟୁନିଭର୍ସିଟି ଅଫ୍ କେରଳର ଅଥର୍ବ ପାଟିଲ (ପୁରୁଷ) ଓ ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟର ପୂଜା ଧାନୋଲେ (ମହିଳା) ପାଇଛନ୍ତି।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ କିଟ୍ ବିଶ୍ବବିଦ୍ୟାଳୟ କୁଳପତି ଶରଣଜିତ ସିଂହ, ଓଡ଼ିଶା ସାଇକ୍ଲିଂ ସଂଘ ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, କିଟ୍ ବିଶ୍ବବିଦ୍ୟାଳୟ କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି, ଏଆଇୟୁ ପର୍ଯ୍ୟବେକ୍ଷକ ଅନୀଲ କୁମାର, ଓଡ଼ିଶା ସାଇକ୍ଲିଂ ସଂଘ ସମ୍ପାଦକ ପ୍ରସନ୍ନ ରାଉତ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ୫ ଦିନିଆ ପ୍ରତିଯୋଗିତାରେ ୪୧ ବିଶ୍ବବିଦ୍ୟାଳୟରୁ ୪୦୦ରୁ ଊର୍ଧ୍ବ ଖେଳାଳି ଅଂଶଗ୍ରହଣ କରିଥିଲେ।