ହକିରୁ ରୌପ୍ୟ: ଅଷ୍ଟ୍ରେଲିଆଠୁ ୦-୭ରେ ହାରିଲେ, ଓଡ଼ିଶାକୁ ମିଳିଲା ଦ୍ବିତୀୟ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିର ସୋମବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକ ପାଖିଆ ଭାବେ ଭାରତକୁ ୭-୦ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ଅଷ୍ଟ୍ରେଲିଆର ଲଗାତାର ସପ୍ତମ ସ୍ବର୍ଣ୍ଣ ପଦକ। ୧୯୯୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକି ସାମିଲ ହେବା ପରଠୁ ଅଷ୍ଟ୍ରେଲିଆ ଲଗାତାର ଭାବେ ବିଜେତା ହୋଇଆସୁଛି। ଅନ୍ୟପକ୍ଷରେ ଭାରତ ତୃତୀୟ ଥର ଲାଗି ହକିରେ ରୌପ୍ୟ ପଦକ‌ ଜିତିଛି। ପୂର୍ବରୁ ଭାରତ ୨୦୧୦ ଓ ୨୦୧୪ରେ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ହାରି ମଧ୍ୟ ରୌପ୍ୟ ପଦକ ପାଇଥିଲା। ସୋମବାରର ଫାଇନାଲ୍‌ ପୂର୍ବରୁ ତୃତୀୟ ସ୍ଥାନ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୬-୩ରେ ହରାଇ ଇଂଲଣ୍ଡ କାଂସ୍ୟ ପଦକ ଜିତିଥିଲା।

ସୋମବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମୂଳରୁ ଶେଷ ଯାଏଁ ଭାରତ ଉପରେ ଆଧିପତ୍ୟ ବିସ୍ତାର କରିଥିଲା। ଏଥିସହ ଅଧିନାୟକ ମନ୍‌ପ୍ରୀତ ସିଂହ ରିଟାର୍ଡ ହର୍ଟ ହେବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ବ୍ଲେକ୍‌ ଗୋଭର୍ସ (୯ ମିନିଟ୍‌) ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲେ। ଏହାପରେ ନାଥନ ଇଫ୍ରାଉମ୍ସ (୧୪, ୪୨ ମିନିଟ୍‌) ଓ ଜାକବ ଆଣ୍ଡରସନ (୨୨, ୨୭ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ଟମ୍‌ ୱିକ୍‌ହାମ (୨୬ ମିନିଟ୍‌) ଓ ଫ୍ଲାଇନ ଓଗିଲଭି (୪୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓଡ଼ିଶାକୁ ଆସିଛି ଦ୍ବିତୀୟ ପଦକ। ଭାରତୀୟ ପୁରୁଷ ଦଳରେ ଅନ୍ୟତମ ସଦସ୍ୟ ଥିବା ଏକମାତ୍ର ଓଡ଼ିଆ ଅମିତ ରୋହିଦାସ ରାଜ୍ୟ ପାଇଁ ଦ୍ବିତୀୟ ପଦକ ଯୋଡ଼ିଛନ୍ତି। କାଂସ୍ୟ ବିଜେତା ଭାରତୀୟ ମହିଳା ଦଳର ସଦସ୍ୟା ଦୀପ୍‌ଗ୍ରେସ ଏକ୍କା ପ୍ରଥମ ପଦକ ଅଣିଥିଲେ।

ସମ୍ବନ୍ଧିତ ଖବର