ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ୨୭ତମ ଜାତୀୟ ଫେଡେରେସନ୍‌ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ‌ଦୌଡ଼ରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ପୁରୁଷରେ ଅନିମେଶ କୁଜୁର ‌ରୌପ୍ୟ ଜିତିଥିଲା ବେଳେ ମହିଳାରେ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ‌କାଂସ୍ୟ ପଦକ ପାଇଛନ୍ତି। ଉଭୟ ଦୁଇଟି ଲେଖାଏଁ ପଦକ ସହ ଅଭିଯାନ ଶେଷ କରିଛନ୍ତି। ୨୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ଅନିମେଶ ବୁଧବାର ୧୦୦ ମିଟର ରେସ୍‌କୁ ୧୦.୫୦ ସେକେଣ୍ଡରେ ଶେଷ କରିଥି‌ଲେ। ଏହା ତାଙ୍କର ଚଳିତ ଋତୁରେ ଶ୍ରେଷ୍ଠ ହାସଲ କରିଥିବା ସମୟ। ପଞ୍ଜାବର ଗୁରିନ୍ଦରବୀର ସିଂହ (୧୦.୩୫ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ହରଜିତ ସିଂହ (୧୦.୫୬ ସେକେଣ୍ଡ) କାଂସ୍ୟ ପାଇଥିଲେ। ରୌପ୍ୟ ଜିତିବା ପରେ ଅନିମେଶ କହିଛନ୍ତି, ‘‘୧୦.୫୦ ସେକେଣ୍ଡ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ସହ ଜାତୀୟ ପଦକ ଜିତିଛି। ପୂର୍ବରୁ ୧୦.୫୧ ଥିଲା। ଏଥିରେ ଉନ୍ନତି ହୋଇଛି। ଏବେ ପ୍ରତିଯୋଗିତା ପାଇଁ ୟୁରୋପ ଯାଉଛି। ସେଠାରେ ୪/୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି। ‌ଭଲ ପ୍ରଦର୍ଶନ ଦେଇ ଅଲିମ୍ପିକ୍ସ ଟିକେଟ୍‌ ହାତେଇବାକୁ ଚେ‌ଷ୍ଟା କରିବି।’’

Advertisment

publive-image

ପୂର୍ବରୁ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିବା ଶ୍ରାବଣୀ ୧୦୦ ମିଟରରେ (୧୧.୭୬ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। କର୍ଣ୍ଣାଟକର ସ୍ନେହା ଏସ୍‌ଏସ୍‌ (୧୧.୬୩ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ତାମିଲନାଡ଼ୁର ଗିର୍ଧାରାଣୀ ରବି (୧୧.୬୭ ସେକେଣ୍ଡ) ରୌପ୍ୟ ଜିତିଥିଲେ। କାଂସ୍ୟ ଜିତିବା ପରେ ଶ୍ରାବଣୀ କହିଛନ୍ତି ଯେ, ‘‘ଏଠାରେ ଉଭୟ ୨୦୦ ଓ ୧୦୦ ମିଟରରେ ‌ଋତୁର ଶ୍ରେଷ୍ଠ ସମୟ ପାଇଛି। ଡିସେମ୍ବରରୁ ମୁଁ ଅଭ୍ୟାସ ଆରମ୍ଭ କରିଛି। ଏହା ମୋର ପ୍ରାକ୍‌ଋତୁ। ଏହି ପ୍ରତିଯୋଗିତା‌ ‌ମୋ ପାଇଁ ଅଭ୍ୟାସ ସଦୃଶ। ଏବେ ମୁଁ ବୈଷୟିକ ଭାବେ କେତେ ଭଲ କରିପାରୁଛି ତାହା ଉପରେ ନଜର ରଖିଛି। ଯଦି ମୁଁ ୧୧.୪ କିମ୍ବା ୫ କରିପାରିଥାନ୍ତି ତେବେ ବହୁତ ଖୁସି ହୋଇଥାନ୍ତି। ଭୁବନେଶ୍ବରରେ ଅଭ୍ୟାସ ଚଲାଇଛି। ସବୁ ସୁବିଧା ରହିଛି। ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଆହୁରି ଭଲ କରିବାକୁ ଚେଷ୍ଟା କରିବି।’’ ୧୫୦୦ ମିଟର ‌ଦୌଡ଼ରେ ଭାଗ ନେଇଥିବା ଲକ୍ଷ୍ମୀପ୍ରିୟା କିଷାନ (ମହିଳା) ଓ ଅଶୋକ ଦଣ୍ଡସେନା (ପୁରୁଷ) ଯଥାକ୍ରମେ ନିଜନିଜ ବର୍ଗରେ ଷଷ୍ଠ ଓ ପଞ୍ଚମ ସ୍ଥାନରେ ଅଭିଯାନ‌ ଶେଷ କରିଥିଲେ। ଲକ୍ଷ୍ମୀପ୍ରିୟା ୪:୩୪.୭୯ ସେକେଣ୍ଡରେ ଏବଂ ଅଶୋକ ୩:୪୭.୩୮ ସେକେଣ୍ଡରେ ଏହି ରେସ୍‌ ଶେଷ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୪ ରୌପ୍ୟ, ୧ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ‌ଏଥିରେ ଧାବକ ଅନିମେଶ (ସ୍ବର୍ଣ୍ଣ, ରୌପ୍ୟ) ଓ ଶ୍ରାବଣୀ (ରୌପ୍ୟ, କାଂସ୍ୟ) ଦୁଇଟି ଲେଖାଏଁ ପଦକ ପାଇଛନ୍ତି। ଅନ୍ୟ ଦୁଇ ରୌପ୍ୟ ପଦକ ସ୍ବାଧୀନ ମାଝି ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ ଜିତିଥିଲେ। ସ୍ବାଧୀନ ଉଚ୍ଚଡିଆଁରେ ଏବଂ ପ୍ରଜ୍ଞା ବାଧାଦୌଡ଼ରେ ଏହି ପଦକ ପାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୧୮ ଜଣ ଖେଳାଳି ଭାଗ ନେଇଥିଲେ।

ସ୍ବର୍ଣ୍ଣ ବିଜୟ ପରେ ନୀରଜ କହିଛନ୍ତି ଯେ ‘‘ପ୍ରତିଯୋଗିତା ବହୁତ ଭଲ ଥିଲା। ହେଲେ ପାଗ ଟିକେ ଗରମ ଥିଲା। ତେଣୁ ପ୍ରଦର୍ଶନ ଭଲ ହୋଇ ନଥିଲା। ନିକଟରେ ଦୋହାରୁ ଫେରିଛି। ବିଶ୍ରାମ କରିପାରିନି। ବହୁ ଦିନପରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳି ବହୁତ ଭଲ ଲାଗିଲା। ଏଥିରୁ ଦୌଡ଼କୁଦର ଭବିଷ୍ୟତ ଉଜ୍ଜଳ ରହିଥିବା ଜଣାପଡୁଛି। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମୋ ପାଇଁ ବଡ଼ କଥା। ୯୦ ମିଟର ଓ ରେକର୍ଡ ସେ ସବୁ ହୋଇପାରିବ କିନ୍ତୁ ପଦକ ସହଜ ହୋଇ ନଥାଏ। ମୁଁ ବହୁଦିନ ହେଲା ୯୦ ମିଟର ଲାଗି ଚେଷ୍ଟା ଓ ପରିଶ୍ରମ ଚଲାଇଛି। ଭାରତରେ ଭଲ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଖେଳିବାକୁ ଭଲ ଲାଗୁଛି। ମନୁ ଓ କିଶୋର ମଧ୍ୟ ଟକ୍କର ଦେଉଛନ୍ତି। କିଶୋର ୮୭ ମିଟର ଫିଙ୍ଗି ଦେଉଛନ୍ତି। ଆମେ ଅଲିମ୍ପିକ୍ସରେ ଜାଭ୍‌ଲିନ୍‌ରେ ଅଧିକ ପଦକ ଆଶା ରଖିଛୁ। ପ୍ୟାରିସ୍‌ ଅଲିମ୍ପିକ୍ସ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଚତୁର୍ଥ ଥ୍ରୋରେ ରହିଯିବାକୁ ‌ଚାହିଥିଲି। ଭାବିଥିଲି ମନୁ ମୋତେ ଟପିଯିବେ। ‌ହେଲେ ତାଙ୍କ ଥ୍ରୋ ଠିକ୍‌ରେ ନଯିବାରୁ ସ୍ବର୍ଣ୍ଣ ପଦକ ପାଇଥିଲି। ଅଲିମ୍ପିକ୍ସ ପୂର୍ବରୁ ଆଉ ଦୁଇ ତିନି ପ୍ରତିଯୋଗିତା ରହିଛି। କିନ୍ତୁ ରିସ୍କ ନେବିନି।’’