ବିଶ୍ବ ଭାରୋତ୍ତୋଳନରେ ମୀରାବାଇଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଭାରତର ତାରକା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ହାତରେ ଆଘାତ ଲାଗିଥିବା ସତ୍ତ୍ବେ କଲମ୍ବିଆର ବେଗୋଟାରେ ଚାଲିଥିବା ବିଶ୍ବ ଭାରୋତ୍ତୋଳନାରେ ରୌପ୍ୟ ପଦକ ଜିତିଛନ୍ତି। ୪୯ କେଜି ବିଭାଗରେ ମୀରାବାଇ ସ୍ନାଚ୍‌ରେ ୮୭ କେଜି ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୩ କେଜି ଉତ୍ତୋଳନ କରିଥିଲେ। ଏହି ବୟସବର୍ଗରେ ଚୀନ୍‌ର ଜିଆଙ୍ଗ ହୁଇହୁଆ ୨୦୬ କେଜି ସହ ସ୍ବର୍ଣ୍ଣ ଏବଂ ଟୋକିଓ ଅଲିମ୍ପିକ ବିଜେତା ହୋଉ ଝିହୁଆ ୧୯୮ କେଜିରେ ‌କାଂସ୍ୟ ପଦକ ଜିତିଥିଲେ। ବିଶ୍ବ ପ୍ରତିଯୋଗିତାରେ ମୀରାବାଇଙ୍କର ଏହା ଦ୍ବିତୀୟ ପଦକ ଥିଲା। ୨୦୧୭ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ମୀରାବାଇଙ୍କୁ ଗତ ସେପ୍ଟେମ୍ବରରେ ଏକ ଅଭ୍ୟାସ ବେଳେ ହାତରେ ଆଘାତ ଲାଗିଥିଲା।

ଆହତ ସତ୍ତ୍ବେ ଅକ୍ଟୋବରରେ ହୋଇଥିବା ଜାତୀୟ କ୍ରୀଡ଼ାରେ ସେ ଅଂଶଗ୍ରହଣ କରିଥିଲେ। ତ‌େବେ ଆହତ ପାଇଁ ବିଶ୍ବ ପ୍ରତିଯୋଗିତାକୁ ଏଡ଼ାଇ ହେବନାହିଁ ବୋଲି ତାଙ୍କ ପ୍ରଶିକ୍ଷକ ବିଜୟ ଶର୍ମା କହିଛନ୍ତି। ଏବେ ପରବର୍ତ୍ତୀ ଇଭେଣ୍ଟ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଥିବାରୁ ତାଙ୍କୁ ସୁସ୍ଥ କରିବା ପାଇଁ କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅଲିମ୍ପିକ୍‌ ଯୋଗ୍ୟତା ନିୟମ ଅନୁସାରେ ୨୦୨୩ ବିଶ୍ବ ପ୍ରତିଯୋଗିତା ଓ ୨୦୨୪ ବିଶ୍ବକପ୍‌ରେ ଖେଳିବା ବାଧ୍ୟତାମୂଳକ କରାଯାଇଛି। ମୀରାବାଇ ଏହି ଦୁଇ ପ୍ରତିଯୋଗିତା ବ୍ୟତୀତ ଆସନ୍ତା ବର୍ଷ କଣ୍ଟିନେଣ୍ଟାଲ୍‌ ଚାମ୍ପିଅନସିପ୍‌, ଗ୍ରାଁ ପ୍ରି ୧ ଓ ୨ ଏବଂ ୨୦୨୪ କଣ୍ଟିନେଣ୍ଟାଲ୍‌ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର