ପୁନିତଙ୍କୁ ‌ରୌପ୍ୟ; କାଂସ୍ୟ ଜିତିଲେ ଗ୍ରାସେସନ, ସବିତା

ଭୁବନେଶ୍ବର: ହରିୟାଣାର ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ବୁଧବାର ଓଡ଼ିଶାକୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। କିଟ୍‌ ତଥା ଉତ୍କଳ କରାଟେ ସ୍କୁଲ୍‌ ଛାତ୍ର ପୁନିତ ଚନ୍ଦ୍ର ସାହୁ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ବୁଧବାର ପୁରୁଷ ୯୬ କେଜି ବର୍ଗରେ ମୋଟ ୨୭୮ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସ୍ନାଚ୍‌ରେ ୧୧୫ ଏବଂ କ୍ଲିନ୍‌ ଓ ଜର୍କରେ ୧୬୩ କେଜି ଭାର ଉଠା‌ଇ ପୁନିତ ରୌପ୍ୟ ପଦକ କରାୟତ କରିଥିଲେ। ପୁନିତ କିଟ୍‌ରେ ବିଏସ୍‌ସି ପଢୁଥିଲା ବେଳେ କମ୍ପ୍ୟୁଟର ସାଇନ୍ସରେ ପ୍ରଥମ ବର୍ଷ ଛାତ୍ର। ସେ ମଧ୍ୟ ଉତ୍କଳ କରାଟେ ସ୍କୁଲ୍‌ର ଛାତ୍ର ବୋଲି ଏହାର ପ୍ରତିଷ୍ଠାତା ଡଃ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ଫଳରେ ପୁନିତଙ୍କ ପଦକ ହାସଲ ସଫଳତା ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ପ୍ରଫେସର ଅତ୍ୟୁତ ସାମନ୍ତ ଏବଂ ଉତ୍କଳ କରାଟେ ସ୍କୁଲ୍‌ ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି।

ଏହି କ୍ରୀଡ଼ାରେ ଭାଗ ନେଇଥିବା ଉତ୍କଳ କରାଟେ ସ୍କୁଲ୍‌ର ଛାତ୍ରୀ ମୋନାଲି କିନ୍ତୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ତେବେ ଓଡ଼ିଶା ଆର୍‌ଏଫ୍‌ ଦୌଡ଼କୁଦ ଗୁଣବତ୍ତା କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଏ ଗ୍ରାସେସନ ଜୀଭା ପୁରୁଷ ୧୧୦ ମିଟର ବାଧାଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ସେ ୧୩.୬୮ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ଗତକାଲି ଲମ୍ବଡିଆଁରେ ସବିତା ଟପ୍ପୋ ଓଡ଼ିଶା ପାଇଁ କାଂସ୍ୟ ମଧ୍ୟ ଜିତିଥିଲେ। ଏଥି ସହିତ ଏହି ପ୍ରତିଯୋଗିତାରୁ ଓଡ଼ିଶା ୪ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ) ପଦକ ହାସଲ କରିସାରିଛି।

ସମ୍ବନ୍ଧିତ ଖବର