ଅନ୍ତଲ୍ୟ: ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍ ଷ୍ଟେଜ୍-୧ରେ ଶନିବାର ଜ୍ୟୋତି ସୁରେଖା ଭେନ୍ନମ କମ୍ପାଉଣ୍ଡ ବର୍ଗରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ଭେଟିଦେବା ପରେ ରବିବାର ରିକର୍ଭ ଦଳ ରୌପ୍ୟ ଏବଂ ବ୍ୟକ୍ତିଗତ ରିକର୍ଭରେ ବି ଧୀରାଜ କାଂସ୍ୟ ପଦକ ହାସଲ କରିଛି। ଅତନୁ ଦାସ, ବି ଧୀରାଜ ଓ ତରୁଣଦୀପ ରାଇଙ୍କୁ ନେଇ ଗଠିତ ତିନି ଜଣିଆ ରିକର୍ଭ ଦଳ ଫାଇନାଲ୍ରେ ଲି ଝୋଙ୍ଗ୍ୟୁଆନ, କ୍ବି ଜିଆଙ୍ଗ୍ସୋଉ ଓ ୱି ସାହୋକ୍ସଙ୍କୁ ନେଇ ଗଠିତ ଚୀନ୍ ଦଳ ନିକଟରୁ ୪-୫ (୨୮-୨୮) ଟାଇବ୍ରେକର୍ରେ ପରାସ୍ତ ହୋଇ ସ୍ବର୍ଣ୍ଣରୁ ବଞ୍ଚିତ ରହିଥିଲା। ସ୍କୋର୍ ଟାଇ ରହିବା ପରେ ଫାଇନାଲ୍ ସର୍ଟରେ ପଛରେ ପଡ଼ିଯାଇ ଭାରତ ନାଟକୀୟ ପରାଜୟ ବରଣ କରିଥିଲା। ଫଳରେ ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଥିବା ରିକର୍ଭ ଦଳ ୧୩ ବର୍ଷ ଧରି ଲାଗି ରହିଥିବା ସ୍ବର୍ଣ୍ଣ ପଦକ ମରୁଡ଼ିର ଅବସାନ ଘଟାଇ ପାରିଲାନି। ତେଣୁ ୫ ଥର ସ୍ବର୍ଣ୍ଣ ଜିତିଥିବା ଭାରତ ତୃତୀୟ ଥର ପାଇଁ ବିଶ୍ବକପ୍ ରୌପ୍ୟରେ ସନ୍ତୁଷ୍ଟ ରହିଲା। ୨୦୦୮ରେ ପ୍ରଥମ ଥର ସ୍ବର୍ଣ୍ଣ ଜିତିଥିବା ଭାରତ ୨୦୧୦ ସାଂଘାଇରେ ହିଁ ଶେଷ ଥର ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲା। ଏହାପରେ ୨୦୧୪ରେ ଷ୍ଟେଜ୍-୧ ଏବଂ ଷ୍ଟେଜ୍-୪ରେ ରୌପ୍ୟ ପଦକ ହାସଲ କରିଥିଲା।
ଅନ୍ୟପକ୍ଷରେ ରବିବାର ରିକର୍ଭ ଦଳଗତ ବର୍ଗରେ ରୌପ୍ୟ ଜିତିଥିବା ବି ଧୀରାଜ ବ୍ୟକ୍ତିଗତ କାଂସ୍ୟ ମୁକାବିଲାରେ ୫-୩ରେ କାଜାଖସ୍ତାନର ଲଫତ ଅବ୍ଦୁଲିନଙ୍କୁ ପରାସ୍ତ କରିଥିଲେ। ଫଳରେ ଜ୍ୟୋତି (୨ ସ୍ବର୍ଣ୍ଣ)ଙ୍କ ଭଳି ଧୀରାଜ ମଧ୍ୟ ୨ (ରୌପ୍ୟ ଓ କାଂସ୍ୟ) ପଦକ ଜିତିବାର ଗୌରବ ପାଇଛନ୍ତି। ୨୦୨୧ ପରେ ରିକର୍ଭ ବ୍ୟକ୍ତିଗତ ବର୍ଗରେ ଏହା ପ୍ରଥମ ପଦକ। ଚଳିତ ବିଶ୍ବକପ୍ ଷ୍ଟେଜ୍-୧ ରବିବାର ଶେଷ ହୋଇଯାଇଥିଲା ବେଳେ ଧୀରାଜଙ୍କ କାଂସ୍ୟ ସହିତ ଭାରତ ମୋଟ ୪ ପଦକରେ ଅଭିଯାନ ଶେଷ କରିଛି। ଏହି ବିଶ୍ବକପ୍ରେ ଭାରତ ୨ ସ୍ବର୍ଣ୍ଣ ବ୍ୟତୀତ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛି।