ସିଲି ପଏଣ୍ଟ୍‌:ଫୁଟବଲ୍ ପଡ଼ିଆରେ ବିବାହ ପ୍ରସ୍ତାବ

ସାଣ୍ଟିଆଗୋ (ଚିଲି): ସାଣ୍ଟିଆଗୋରେ ଚାଲିଥିବା ଚିଲିଆନ୍ ଫୁଟବଲ୍ ଲିଗ୍ ଅବସରରେ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ଭେନେଜୁଏଲା ଫୁଟବଲର୍‌ ଏଡୁଆର୍ଡ ବେଲୋ ବେଶ୍ ଚର୍ଚିତ ହୋଇଛନ୍ତି। ରବିବାର ରାତିରେ ଏଭରଟନ୍ ଏବଂ ଆଣ୍ଟୋଫାଗସ୍ତା ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ଅବସରରେ ଏହି ଘଟଣା ଘଟିଥିଲା। ଆଣ୍ଟୋଫାଗସ୍ତା ଦଳର ପ୍ରତିନିଧିତ୍ବ କରୁଥିବା ବେଲୋ ଦ୍ବିତୀୟ ମିନିଟ୍‌ରେ ଏକ ଚମତ୍କାର ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରିବା ପରେ ସିଧା ଦର୍ଶକ ଷ୍ଟାଣ୍ଡକୁ ଦୌଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ନିଜ ପ୍ରେମିକାଙ୍କୁ ଆଣ୍ଠୁମାଡ଼ି ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରେମିକା ହଁ ଭରିବା ପରେ ବେଲୋ ତାଙ୍କୁ ସେହିଠାରେ ମୁଦି ପିନ୍ଧାଇ ଦେଇଥିଲେ। ଏହି ନିଆରା ଗୋଲ୍ ଉତ୍ସବ ପାଳନକୁ ଦର୍ଶକ ବି ମନଭରି ଉପଭୋଗ କରିଥିଲେ। ହେଲେ ବେଲୋଙ୍କ ଯୁଗଳ ଗୋଲ୍ ସ‌େତ୍ତ୍ବ ଆଣ୍ଟୋଫାଗସ୍ତା ଦୁର୍ଭାଗ୍ୟଜନକ ଭାବେ ଏହି ମ୍ୟାଚ୍‌କୁ ୨-୩ରେ ହାରି ଯାଇଥିଲା।

ସମ୍ବନ୍ଧିତ ଖବର