ସିଲି ପଏଣ୍ଟ୍‌:ଆଇପିଏଲ୍‌ ‘ଓ୍ଵାଗ୍ସ’ଙ୍କ ମଧ୍ୟରେ ଅନୁଷ୍କା ଶ୍ରେଷ୍ଠ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମରେ କିଛି ଖେଳାଳିଙ୍କ ‘ଓ୍ଵାଗ୍ସ’ (ପତ୍ନୀ ଓ ପ୍ରେମିକା)ଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ନିଜ ନିଜ ପତି ଏବଂ ପ୍ରେମିକଙ୍କ ମନବଳ ବଢ଼ାଇବା ଲାଗି ଷ୍ଟାଡିମୟରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ। ଏହି କ୍ରୀଡ଼ା ତାରକାମାନଙ୍କ ‘ଓ୍ଵାଗ୍ସ’ଙ୍କ ଉପରୁ ମଧ୍ୟ କ୍ୟାମେରା ଲେନ୍ସ ପିଛା ଛାଡ଼ୁନଥିଲା। ଏମାନଙ୍କ ବିଭିନ୍ନ ଶୈଳୀର ଫଟୋ ସାମାଜିକ ଗଣ ମାଧ୍ୟମରେ ଛାଇ ଯାଉଥିଲା। ଏହି ‘ଓ୍ଵାଗ୍ସ’ଙ୍କ ମଧ୍ୟରେ ସବୁଠୁ ଲୋକପ୍ରିୟ ହୋଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା।
ଅନୁଷ୍କା ଶର୍ମା: ଆର୍‌ସିବି ମ୍ୟାଚ୍‌ ବେଳେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ସବୁ ଫଟୋଗ୍ରାଫରଙ୍କ ଲେନ୍ସ ରହିଥାଏ। ଏକ ମ୍ୟାଚ୍‌ ବେଳେ ଗ୍ୟାଲେରିରେ ଥିବା ଅନୁ ପତି ବିରୁଙ୍କୁ ଉଡ଼ନ୍ତା ଚୁମ୍ବନ ଦେଉଥିବାର ଦୃଶ୍ୟ କ୍ୟାମେରା ଲେନ୍ସରେ ଧରାପଡ଼ିଥିଲା। ଏହି ଫଟୋ କିଛି ସମୟ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲା।
ସାକ୍ଷୀ ଧୋନି: କ୍ୟାପ୍‌ଟେନ୍‌ କୁଲ୍‌ଙ୍କୁ ବିବାହ ପରେ ସାକ୍ଷୀ କ୍ରିକେଟ୍‌ ପ୍ରେମରେ ପଡ଼ି ଯାଇଥିଲେ। ବିଶ୍ୱର ଯେଉଁଠିକୁ ବି ପତି ମହେନ୍ଦ୍ର ସିଂହ ଧୋନି ଯାଆନ୍ତି ଷ୍ଟାଣ୍ଡ୍‌ରେ ସେ ସାଥୀରେ ରହି ପୂରା ସମର୍ଥନ ଦେଇଥାନ୍ତି। ଚଳିତ ଆଇପିଏଲ୍‌ରେ ସାକ୍ଷୀ ଏବଂ ତାଙ୍କ ୩ ବର୍ଷର ଝିଅ ଜିଭାଙ୍କ ଫଟୋ ପ୍ରସିଦ୍ଧ ଲାଭ କରିଥିଲା।
ଋତିକା ସାଜଦେ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକାଦଶତମ ଆଇପିଏଲ୍‌ରେ ସେପରି କରିସ୍ମା ଦେଖାଇ ନାହାନ୍ତି। କିନ୍ତୁ ପତ୍ନୀ ଋତିକା ତାଙ୍କ ସହ ରହି ଆସିଛନ୍ତି। ଏଭଳି ପ୍ରଦର୍ଶନ ସତ୍ୱେ ଋତିକା କିନ୍ତୁ ରୋହିତ ଭାରତୀୟ କ୍ରିକେଟ୍‌ର ସୁପରଷ୍ଟାର ବୋଲି ଅବିହିତ କରିଛନ୍ତି।
ରାଧିକା ରାହାଣେ: ପତି ଅଜିଙ୍କ୍ୟ ରାହାଣେଙ୍କ ପରି ରାଧିକା ମଧ୍ୟ ଶାନ୍ତ ରୁଚିର। ସେ ମଧ୍ୟ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଲଗାତାର ବିଫଳ ରାହାଣେଙ୍କୁ ଉତ୍ସାହିତ କରି ଚାଲିଥିଲେ।
ଆୟେଶା ଧଓ୍ଵନ୍‌: ଅୟେଶା ମୁଖାର୍ଜୀ ଧଓ୍ଵନ୍‌ଙ୍କୁ କେହି କେବେ ବାହାରେ ଦେଖିବାକୁ ପାଇ ନଥାନ୍ତି। କିନ୍ତୁ ପତି ଶିଖରଙ୍କ ମ୍ୟାଚ୍‌ ବେଳେ ସେ ହାଇଦ୍ରାବାଦ ସନ୍‌ରାଇଜର୍ସର ଜର୍ସି ପିନ୍ଧି ପଡ଼ିଆରେ ନିଜର ପ୍ରିୟ ମଣିଷକୁ ଉତ୍ସାହିତ କରିବାର ଦେଖିବାକୁ ମିଳିଥାଏ। ଶିଖରଙ୍କ ଏହି ମେଲ୍‌ବର୍ନ ଜନ୍ମିତ ପତ୍ନୀ ଜଣେ ସୌଖିନ୍‌ ମୁଷ୍ଟିଯୋଦ୍ଧା ସାଙ୍ଗକୁ ଫେସନ୍‌ ପ୍ରେମୀ। ତାଙ୍କ ବାହୁ ଏବଂ ପିଠିରେ ଥିବା ଟାଟୁ କ୍ୟାମେରା ଲେନ୍ସରେ ଧରା ପଡ଼ିଥିଲା।
ହାଜେଲ କିଚ୍‌: ଯୁବରାଜ ସିଂହଙ୍କ ପତ୍ନୀ ହାଜେଲ୍‌ କିଚ୍‌ଙ୍କୁ କିଙ୍ଗସ ଏକାଦଶ ପଞ୍ଜାବର ପ୍ରତିଟି ମ୍ୟାଚ୍‌ରେ ବେଳେ ଦଳର ପତାକା ଧରି ଠିଆ ହେବାର ଦେଖାଯାଇଥିଲା।
ପ୍ରିୟଙ୍କା ରାଇନା: ସୁରେଶ ରାଇନାଙ୍କୁ ସମର୍ଥନ ଦେବାରେ ସର୍ବଦା ପ୍ରିୟଙ୍କା ଆଗରେ ରହିଥାନ୍ତି। ରାଇନା ବହୁଦିନ ଦଳରୁ ବାଦ୍‌ ପଡ଼ିବା ପରେ ଶେଷରେ ଇଂଲଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରିୟଙ୍କା ମଧ୍ୟ ରାଇନାଙ୍କ ମ୍ୟାଚ୍‌ ବେଳେ ପଡ଼ିଆରେ ଉପସ୍ଥିତ ରହି ଉତ୍ସାହିତ କରିଥାନ୍ତି।
ପ୍ରୀତି ନାରାୟଣ: ଚେନ୍ନାଇର ଏସ୍‌ଏନ୍‌ ଇଂଜିନିୟରିଂ କଲେଜ୍‌ରେ ପ୍ରୀତି ଏବଂ ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା। ଏହାପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରୀତି ହେଉଛନ୍ତି ଅଶ୍ୱିନୀଙ୍କ ସବୁଠୁ ବଡ଼ ପ୍ରଶଂସକ। ଚଳିତ ଋତୁରେ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେଇଥିବା ପତି ଅଶ୍ୱିନୀଙ୍କ ପାଇଁ ପ୍ରୀତି ପଡ଼ିଆରେ ଉପସ୍ଥିତ ରହି ଦଳକୁ ପୂରା ସମର୍ଥନ ଦେଇଥିିଲେ।

ସମ୍ବନ୍ଧିତ ଖବର