ସିଲି ପଏଣ୍ଟ୍‌:ଭାରତର ପରାଜୟ ପଛରେ ଭାରତୀୟ

କୁଆଲାଲମ୍ପୁର୍‌: ଏସିଆ ମହିଳା କ୍ରିକେଟ୍‌ରେ ଭାରତର ପ୍ରାଧାନ୍ୟ ରବିବାର ଶେଷ ହୋଇଯାଇଥିଲା। ପୂର୍ବ ୬ ଥର ବିଜେତା ହୋଇଥିବା ଭାରତୀୟ ଦଳକୁ ଫାଇନାଲରେ ହରାଇ ବାଂଲାଦେଶ ମହିଳା ଦଳ ଏସିଆ କପ୍‌ ଜିତି ନେଇଥିଲା। କେବଳ ଫାଇନାଲ୍‌ରେ ନୁହେଁ ଲିଗ୍‌ରେ ମଧ୍ୟ ଭାରତକୁ ହରାଇଥିଲା ବାଂଲାଦେଶ। ଏଥି ସହ ଦୁର୍ବଳ ଦଳରୁ ଶକ୍ତିଶାଳୀ ପାଲଟିଥିବା ବାଂଲାଦେଶ କ୍ରିକେଟ୍‌କୁ ମଧ୍ୟ ମିଳିଛି ଐତିହାସିକ ସଫଳତା। କିନ୍ତୁ ଏକତା ଅନେକଙ୍କୁ ଜଣା ନଥିବ ଯେ ଭାରତର ଏହି ପରାଜୟ ପଛରେ ରହିଛନ୍ତି ଜଣେ ଭାରତୀୟ। ସେ ଜଣଙ୍କ ହେଲେ ଭାରତୀୟ ଦଳର ପୂର୍ବତନ ଖେଳାଳି ଅଞ୍ଜୁ ଜୈନ। ମାତ୍ର ମାସକ ତଳେ ବାଂଲାଦେଶ ଦଳର ଦାୟିତ୍ୱ ନେଇ ଏବେ ଏସିଆ ବିଜେତା କରାଇ ପାରିଛନ୍ତି ଏହି ୪୩ ବର୍ଷୀୟା ବିଗତ ଦିନର ଓ୍ଵିକେଟ୍‌ରକ୍ଷିକା। ଦେଶ ପାଇଁ ୬୫ ଦିନିକିଆ ଏବଂ ୮ ଟେଷ୍ଟ୍‍ ଖେଳିଥିବା ଅଞ୍ଜୁ ତାଙ୍କ ଅଭିଜ୍ଞତାର ଭରପୂର ଫାଇଦା ଉଠାଇ ଶକ୍ତିଶାଳୀ ଭାରତକୁ ଦୁଇ ଥର ହରାଇବାର ସମସ୍ତ ଶ୍ର୍ରେ୍ରୟ ପାଇଛନ୍ତି। ‘ବାଂଲାଦେଶ ମହିଳା ମୁକୁଟ ବିଜେତା ହେବା ଭଲ କଥା।

ପିଲାମାନେ ଭଲ ପରିଶ୍ରମ କରିଥିଲେ ଏବଂ ପ୍ରସ୍ତୁତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରି ସଫଳତା ପାଇଲେ’ ବୋଲି କହିଛନ୍ତି ଅଞ୍ଜୁ। ଭାରତୀୟ ମାନେ ଭଲ ଫର୍ମରେ ଥିଲେ। ମିତାଲି ରାଜ, ହରମନପ୍ରୀତ୍‌ କଉର୍‌, ସ୍ମୃତି ମନ୍ଧାନା ଏବଂ ସ୍ପିନରମାନଙ୍କ ପାଇଁ ଯୋଜନା କରିବାକୁ ପଡ଼ିଥିଲା। ଆମର ପରବର୍ତୀ ଲକ୍ଷ୍ୟ ହେଉଛି ନଭେମ୍ବରରେ େଓ୍ଵଷ୍ଟଇଣ୍ଡିଜ୍‌ର ହେବାକୁ ଥିବା ବିଶ୍ୱ ଟେ୍ଵଣ୍ଟି-୨୦ ପାଇଁ ଯୋଗ୍ୟତା ଅର୍ଜନ ବୋଲି କହିଥିଲେ ଅଞ୍ଜୁ। ଫାଇନାଲ୍‌ରେ ଭାରତ ଚାପରେ ରହି ହାରିଲା। ଲିଗରେ ହାରିବା ଏବଂ ୬ ଥର ବିଜେତା ରହିବାର ଚାପ ଥିଲା ଭାରତ ଉପରେ ବୋଲି ଅଞ୍ଜୁ କହିଥିଲେ।
କେବଳ ଅଞ୍ଜୁ ଏକମାତ୍ର ଭାରତୀୟ ନଥିଲେ ବାଂଲାଦେଶର ଐତିହାସିକ ବିଜୟ ପଛରେ। ସହକାରୀ ପ୍ରଶିକ୍ଷକ ଦେବିକା ପଲ୍‌ସିକର ଏବଂ ଫିଜିଓଥେରାପିଷ୍ଟ୍‍ ଅନୂଜା ଦାଲ୍‌ଭୀ ମଧ୍ୟ ଥିଲେ ଅନ୍ୟ ଦୁଇ ଭାରତୀୟ। ସୂଚନାଯୋଗ୍ୟ ଅଞ୍ଜୁ ଗତି ଋତୁରେ ବିଦର୍ଭ ମହିଳା ଦଳର ପ୍ରଶିକ୍ଷକ ଥିଲେ। ପୂର୍ବରୁ ୨୦୧୨ ମସିହାରେ ମହିଳା ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଏବଂ ୨୦୧୩ ମସିହାରେ ୫୦ ଓଭର ବିଶ୍ୱକପ୍‌ରେ ଭାରତୀୟ ଦଳ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ବାଂଲାଦେଶ ଦଳର ପ୍ରଶିକ୍ଷକ ହେବାରେ ଅଞ୍ଜୁ ଦ୍ୱିତୀୟ ଭାରତୀୟ। ଦୁଇଟି ଦଫାରେ ପୂର୍ବତନ ଭାରତୀୟ ଅଧିନାୟିକା ମମତା ମାବେନ୍‌ ୨୦୧୧ ଏବଂ ୨୦୧୩ରେ ମଧ୍ୟ ଦାୟିତ୍ୱ ନେଇଥିଲେ।
ବାଂଲାଦେଶର ପୁରୁଷ କ୍ରିକେଟ୍‌ ଦଳ ଏବେ ଆଫଗାନିସ୍ତାନ ବିପକ୍ଷରେ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୦-୩ରେ ହାରିଥିବାବେଳେ ମହିଳାଙ୍କ ଏହି ଐତିହାସିକ ବିଜୟ ଦେଶରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଛି। ବିଶେଷ କରି ଗତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳ ୦-୫ରେ ଦିନିକିଆ ଏବଂ ୦-୩ରେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ହାରି ଫେରିବାର ନିରାଶାକୁ ଭୁଲିଯାଇଛି। ବାଂଲାଦେଶ ଦେଶ ମହିଳାଙ୍କ ପାଇଁ ଆଗକୁ ବହୁ ପ୍ରତିଯୋଗିତା, ଦ୍ୱିପାକ୍ଷିକ ଶୃଙ୍ଖଳା ଥିବାରୁ ଏବେ ଅଞ୍ଜୁଙ୍କଠାରୁ ନିଶ୍ଚିତ ଆଶା ଅଧିକ ରହିବ।

ସମ୍ବନ୍ଧିତ ଖବର