ସିଲି ପଏଣ୍ଟ୍‌:ପୁଟିନଙ୍କ ସହ ଜିମ୍ନାଷ୍ଟ୍‌ଙ୍କ ଚୋରା ପୀରତି

ମସ୍କୋ  : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ପରିଗଣିତ ଭ୍ଲାଦିମିର ପୁଟିନ ଚତୁର୍ଥ ଥର ପାଇଁ ରୁଷିଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଜଣେ ଏକଛତ୍ରବାଦୀ ଶାସକ ଏବଂ ରୁକ୍ଷ ରାଷ୍ଟ୍ରାଧ୍ୟକ୍ଷ ଭାବେ ପୁଟିନ ଯେତିକି ପରିଚିତ, ନିଜ ରଙ୍ଗୀନ ମିଜାଜ, ଶାରୀରିକ ସୁସ୍ଥତା ଏବଂ ବେପରୁଆ ଜୀବନ ଶୈଳୀ ପାଇଁ ସେତିକି ଚର୍ଚିତ। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅବଶ୍ୟ ବିଶେଷ ତଥ୍ୟ ବାହାରକୁ ଆସେନି। ତଥାପି ତାଙ୍କର ବହୁ ପ୍ରେମିକା ଥିବା ଅନେକ ସମୟରେ ଚର୍ଚା ହୁଏ। ସେହି ପ୍ରେମିକାଙ୍କ ମଧ୍ୟରୁ ସବୁଠାରୁ ଚର୍ଚିତ ତାରକା ହେଲେ ଜିମ୍ନାଷ୍ଟିକ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ୩୫ ବର୍ଷୀୟା ଏଲିନା କାବାଏବା। ଋଷିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ୪ ବର୍ଷ ପରେ ଅର୍ଥାତ୍‌ ୨୦୦୮ରେ ହିଁ ପୁଟିନ-କାବାଏବା ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା। ରୁଷିଆର ଏକ ସମ୍ବ୍ରାନ୍ତ ପରିବାରରୁ ଆସିଥିବା ସୁନ୍ଦରୀ କାବାଏବାଙ୍କୁ ପ୍ରଥମ ଦେଖାରେ ହିଁ ପୁଟିନ ପ୍ରେମ କରି ବସିଥିଲେ। ସେତେବେଳେ ପୁଟିନ ତାଙ୍କଠାରୁ ପାଖା ପାଖି ୩୦ ବର୍ଷ ବଡ଼ ଥିଲେ।

ହେଲେ ପୁଟିନଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କ୍ଷମତା ଜାଲରେ କାବାଏବା ଫସି ଯାଇଥିଲେ। ୨୫ ବର୍ଷ ବୟସରେ ସେ ୫୫ ବର୍ଷୀୟ ପୁଟିନଙ୍କୁ ପ୍ରେମ କରି ବସିଥିଲେ। ଏପରିକି ଉଭୟ ଲୁଚି ଛପି ବିବାହ କରି ନେଇଥିବା ଏବଂ ମାତା-ପିତା ହୋଇ ସାରିଥିବା ମଧ୍ୟ କୁହାଯାଏ। ୨୦୧୪ରେ ପୁଟିନ ନିଜ ପ୍ରଥମ ପତ୍ନୀ ଲୁଦମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏହି ସଂପର୍କ ଅଧିକ ନୀବିଡ଼ ହୋଇ ଯାଇଥିବା ଜଣା ପଡ଼ିଛି। ସେବେଠାରୁ ପୁଟିନ-କାବାଏବା ସଂପର୍କ ରୁଷିଆ ସହ ବିଶ୍ୱ ଗଣମାଧ୍ୟମରେ ମଧ୍ୟ ଚର୍ଚାର ବିଷୟ ହୋଇ ରହି ଆସିଛି। ଅନେକ ସରକାରୀ ଉତ୍ସବରେ ଉଭୟ ଯୋଗ ଦେବାର ଫଟୋ ପ୍ରକାଶ ପାଇଛି। ତେବେ ଦୁଇ ଜଣ ଯାକ ଏକାଠି ଫଟୋ ଉଠାଇ ଥିବାର ନଜିର ପ୍ରାୟ ନାହିଁ। ୨୦୧୫ରେ କାବାଏବା ତାଙ୍କ ଅଙ୍ଗୁଳିରେ ବିବାହ ମୁଦି ପିନ୍ଧିଥିବା ଦେଖିବାକୁ ମିଳିବା ପରେ ପୁଟିନଙ୍କୁ ସେ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ବିବାହ କରିବେ ବୋଲି ଅନୁମାନ କରାଯାଇଥିଲା। ଏପରିକି ସେହିବର୍ଷ ସେ ଦ୍ୱିତୀୟ ଥର ପାଇଁ ପୁଟିନଙ୍କ ସନ୍ତାନର ମା’ ହେବାକୁ ଯାଉଥିବା ନେଇ ଜୋର ସୋରରେ ଚର୍ଚା ହୋଇଥିଲା। ପୁଟିନ କିମ୍ବା କାବାଏବାଙ୍କ ପକ୍ଷରୁ କିନ୍ତୁ ଏପର୍ଯ୍ୟନ୍ତ ଏଭଳି କୌଣସି ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର