ରସିକିଆ ଇମ୍ରାନ :୬୫ ବର୍ଷରେ ତୃତୀୟ ବିବାହ

ସିଲି ପଏଣ୍ଟ୍‌

ଲାହୋର: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଇମ୍ରାନ୍‌ ଖାନ୍‌ ନିଜ ରସିକିଆ ମିଜାଜର ଆଉ ଏକ ପରିଚୟ ଦେଇଛନ୍ତି। ଯୁବାବସ୍ଥାରେ ପାକିସ୍ତାନ କ୍ରିକେଟ୍‌ ଦଳର ‘ଲଭର ବଏ’ ଭାବେ ପରିଚିତ ଥିବା ଇମ୍ରାନ୍‌ ୬୫ ବର୍ଷ ବୟସରେ ତୃତୀୟ ବିବାହ କରିଛନ୍ତି। କ୍ରିକେଟ୍‌ରୁ ଅବସର ନେବା ପରେ ରାଜନୀତିରେ ପାଦ ଦେଇ ପାକିସ୍ତାନର ପ୍ରମୁଖ ବିପକ୍ଷ ଦଳ ତେହରିକ୍‌-ଇ-ଇନସାଫର ମୁଖ୍ୟ ପଦ ଅଳଙ୍କୃତ କରିଥିବା ଇମ୍ରାନ୍‌ ରବିବାର ନିଜ ଆଧ୍ୟାତ୍ମିକ ପରାମର୍ଶଦାତ୍ରୀ ବୁସ୍ରା ମାନେକାଙ୍କୁ ଇସଲାମୀୟ ରୀତି ନୀତିରେ ବିବାହ କରିଛନ୍ତି। ଏହି ବିବାହ ଲାହୋରରେ ଥିବା ବୁସ୍ରାଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଇମ୍ରାନ୍‌ ଏହି ଅବସରରେ କଳା ରଙ୍ଗର ବ୍ଲେଜର ଏବଂ ଧଳା ରଙ୍ଗର ସେରଓ୍ଵାନୀ ପିନ୍ଧିଥିଲେ। ଅନ୍ୟ ପକ୍ଷରେ ବୁସ୍ରାଙ୍କ ମୁହଁ ଏକ କପଡାରେ ଆଚ୍ଛାଦିତ ହୋଇଥିଲା ବେଳେ ବାହାରକୁ କେବଳ ତାଙ୍କ ଅଖି ଦୁଇଟି ଦେଖା ଯାଉଥିଲା। ଏହି ଚର୍ଚିତ ବିବାହ ଉତ୍ସବରେ ଇମ୍ରାନ ଏବଂ ବୁସ୍ରାଙ୍କ କେତେକ ନିକଟତମ ବନ୍ଧୁ ଏବଂ ପରିବାର ବର୍ଗ ହିଁ ଯୋଗ ଦେଇଥିଲେ।

୪୩ ବର୍ଷୀୟା ବୁସ୍ରା ପାକିସ୍ତାନରେ ବେଶ୍‌ ଲୋକପ୍ରିୟ ହୋଇଥିଲା ବେଳେ ଇମ୍ରାନ୍‌ ସମ୍ଭବତଃ ଏହି ଦେଶର ସବୁଠାରୁ ବଡ଼ ସେଲିବ୍ରେଟି। ସେଥିପାଇଁ ଏହି ଦୁଇ ଜଣଙ୍କ ବିବାହ ଏବେ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଇମ୍ରାନ୍‌ ପୂର୍ବରୁ ୧୯୯୫ ମସିହାରେ ବ୍ରିଟିସ୍‌ ସୁନ୍ଦରୀ ଜେମିମା ଖାନଙ୍କୁ ବିବାହ କରିଥିଲେ। ୨୦୦୪ରେ ଉଭୟଙ୍କର ଛାଡ଼ପତ୍ର ହୋଇ ଯାଇଥିଲା। ୨୦୦୫ରେ ସେ ରେହମ ଖାନ୍‌ ନାମକ ଜଣେ ଟେଲିଭିଜନ୍‌ ଉପସ୍ଥାପିକାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ମାତ୍ର ୧୦ ମାସ ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ବୁସ୍ରା ପୂର୍ବରୁ ଖଓ୍ଵର ଫରିଦ ମାନେକା ନାମକ ଜାଣ ସରକାରୀ ଅଧିକାରୀଙ୍କୁ ବିବାହ କରିଥିଲେ। କିଛି ମାସ ତଳେ ସେ ଖଓ୍ଵରଙ୍କୁ ଛାଡ଼ପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର