ସଚିନଙ୍କୁ ଭେଟିବାକୁ ଚାହାନ୍ତି ସିମ୍ବା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍‌ ଛାଡ଼ିବାର ଢେର କିଛି ବର୍ଷ ହେଲାଣି। ତାଙ୍କ ପ୍ରଶଂସକ ସଂଖ୍ୟା କିନ୍ତୁ କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଅଭିନେତାଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଯେମିତି ଏବେ ବି ସଚିନ ପ୍ରେମରେ ପୂରା ପାଗଳ। ଅଭିନେତା ସିମ୍ବା ନାଗପାଲ ମଧ୍ୟ ତାଙ୍କର ଜଣେ ବହୁତ ବଡ଼ ପ୍ରଶଂସକ। ସିମ୍ବାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ହେଲା ନିଜ ଆଦର୍ଶ ତଥା ପ୍ରିୟ କ୍ରିକେଟର୍‌ ଓ ଭାରତ ରତ୍ନ ସଚିନଙ୍କୁ ଥରେ ମାତ୍ର ଭେଟିବା। ଶନିବାର ୪୮ତମ ଜନ୍ମ ଦିବସ ଅବସରରେ ସଚିନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସିମ୍ବା କହିଛନ୍ତି ଯେ ପିଲାବେଳୁ ମୁଁ ସଚିନଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ରହି ଆସିଛି। କ୍ରିକେଟ୍ ଇତିହାସର ସେ ହେଉଛନ୍ତି ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ସତ କହିବାକୁ ଗଲେ ପିଲାବେଳେ ଯେତେବେଳେ ବି ମୁଁ କ୍ରିକେଟ୍ ‌ଖେଳୁଥିଲି, ସେତେବେଳେ ସଚିନଙ୍କୁ ସ୍ମରଣ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲି। ସତରେ ସେ ହେଉଛନ୍ତି କ୍ରିକେଟ୍‌ର ଭଗବାନ। ଗତବର୍ଷର କୋଭିଡ୍ ଲକ୍‌ଡାଉନ୍ ବେଳେ ମୁଁ ତାଙ୍କ ବିଷୟରେ ବହୁତ କିଛି ପଢ଼ିଛି। ସେ ଜଣେ ଅସାଧାରଣ ଓ ଅତୁଳନୀୟ କ୍ରିକେଟର। ସବୁଠାରୁ ବଡ଼ କଥା ହେଲା ସେ ଜଣେ କୋମଳ ହୃଦୟର ମଣିଷ।

ସଚିନ ସାର୍‌ଙ୍କ ଭଳି ଖେଳାଳି ବହୁ ପିଢ଼ି ପରେ ଜନ୍ମ ନିଅନ୍ତି। ତାଙ୍କୁ ପାଇ ଆମେ ନିଜକୁ ଭାଗ୍ୟଶାଳୀ ମନେ କରିବା ଉଚିତ। ତାଙ୍କୁ ପଡ଼ିଆ ଭିତରେ ଖେଳୁଥିବାର ଦେଖିବା କୌଣସି ସୁଖଦ ସ୍ବପ୍ନଠାରୁ କିଛି କମ୍ ନଥିଲା। ଜୀବନ କାଳ ଭିତରେ ତାଙ୍କୁ ଅନ୍ତତଃ ଥରେ ଭେଟିବା ମୋର ଲକ୍ଷ୍ୟ ଓ ଆଗ୍ରହ। ସୂଚନାଯୋଗ୍ୟ ଯେ ସିମ୍ବା ନାଗପାଲ ହେଉଛନ୍ତି ଜଣେ ମଡେଲ ଓ‌ ଟେଲିଭିଜନ୍ ଅଭିନେତା। ସଂପ୍ରତି ସେ ‘ଶକ୍ତି: ଅସ୍ତିତ୍ବ ‌କେ ଏହସାସ୍’ ନାମକ ଏକ ଧାରାବାହିକରେ ଅଭିନୟ କରୁଛନ୍ତି।

ସମ୍ବନ୍ଧିତ ଖବର