ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଖେଳିପାରିବେନି ସିମେନ୍ୟା

ପ୍ୟାରିସ୍: ଦକ୍ଷିଣ ଆଫ୍ରିକା ଧାବିକା କା‌ଷ୍ଟର ସି‌ମେନ୍ୟା ସେପ୍ଟେମ୍ବର ୨୮ ତାରିଖରୁ ଦୋହାରେ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତାରେ ଖେଳିପାରିବେନି। ମଙ୍ଗଳବାର ସ୍ବିଜରଲାଣ୍ଡ ନ୍ୟାୟଧୀସ ଆଇଏଏଏଫ୍‌ ବିବାଦୀୟ ଟେଷ୍ଟୋଷ୍ଟେରୋନ୍ (ମହିଳାଙ୍କ ଦେହରେ ପୁରୁଷ ହର୍ମୋନ୍‌) ନିୟମକୁ ବଳବତ୍ତରେ ରଖିବାରୁ ସିମେନ୍ୟା ଏହି ପ୍ରତିଯୋଗିତାରେ ଭାଗନେଇପାରିବେ ନାହିଁ। ଆଇଏଏଏଫ୍‌ ପୂର୍ବରୁ ବିବାଦୀୟ ଟେଷ୍ଟୋଷ୍ଟେରୋନ୍ ନିୟମରୁ ୧୦୦ ଓ ୨୦୦ରୁ ବାଦ୍‌ ଦେଇଥିଲା। ହେଲେ ୪୦୦ରୁ ଊର୍ଧ୍ବ ବର୍ଗରେ ଏହି ନିୟମ ଲାଗୁ ରଖିଥିଲା। କିନ୍ତୁ ସିମେନ୍ୟା ଏହାକୁ ବିରୋଧ କରି ସ୍ବିସ୍‌ ଫେଡେରାଲ ସୁପ୍ରିମ କୋର୍ଟ ଦ୍ବାରସ୍ତ ହୋଇଥିଲେ। ଏହା ପରେ ଆଇଏଏଏଫ୍‌ ସିମେନ୍ୟାଙ୍କ ନିଷ୍ପତ୍ତି ସ୍ବିସ୍‌ କୋର୍ଟ ଉପରେ ଛାଡ଼ିଥିଲା। ସିମେନ୍ୟାଙ୍କ ଦେହରେ ପୁରୁଷ ହର୍ମୋନ୍‌ ମାତ୍ରା ଅଧିକ ଥିବାରୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ସେ ବିଶ୍ବ ପ୍ରତିଯୋଗିତାରେ ଭାଗନେଇପାରିବେ ନାହିଁ। ମୁଁ ଏଥିପାଇଁ ନିରାଶ, ‌କଷ୍ଟ ଅର୍ଜିତ ସ୍ବର୍ଣ୍ଣ ପଦକକୁ ବଜାୟ ରଖିବାର ସୁଯୋଗ ପାଇବି ନାହିଁ। କିନ୍ତୁ ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ଲଢ଼େଇ ଜାରି ରଖିବି ବୋଲି ୨ ଥର ଅଲିମ୍ପିକ୍ ବିଜୟିନୀ ୨୮ ବର୍ଷିଆ ସିମେନ୍ୟା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ନିୟମ ଅଧିନରେ ଦୂତି ଚାନ୍ଦ ଆସୁଥିଲେ ମଧ୍ୟ ଆଇଏଏଏଫ୍‌ ୧୦୦ ଓ ୨୦୦ ମିଟର ବାଦ୍‌ ଦେବାରୁ ଦୂତି ଆଶ୍ବସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର