ସିମେନ୍ୟା ଜିତିଲେ ୨୦୦୦ ମିଟର ରେସ୍‌

ପ୍ୟାରିସ୍‌: ନିଜ ପସନ୍ଦର ଦୂରତ୍ବ ରେସ୍‌ରେ ଭାଗ ନେବା ଉପରେ ଆଇଏଏଏଫ୍‌ ଦ୍ବାରା କଟକଣାର ଶିକାର ହୋଇଥିବା ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ମଙ୍ଗଳବାର ଏଠାରେ ଆୟୋଜିତ କୌଡ଼କୁଦ ପ୍ରତିଯୋଗିତାରେ ୨୦୦୦ ମିଟର ରେସ୍‌ ଜିତି ନେଇଛନ୍ତି। ଏହି ରେସ୍‌ ଜିତିବା ପାଇଁ ସିମେନ୍ୟା ୫ ମିନିଟ୍‌ ୩୮.୧୯ ସେକେଣ୍ଡ ସମୟ ନେଇଥିଲେ। ଏହାପରେ ସିମେନ୍ୟା ଜୁନ୍‌ ୩୦ ତାରିଖରେ କାଲିଫର୍ଣ୍ଣିଆର ଷ୍ଟାନ୍‌ଫୋର୍ଡରେ ୩୦୦୦ ମିଟର ରେସ୍‌ରେ ଭାଗ ନେବେ। ସିମେନ୍ୟା ଚଳିତ ବର୍ଷ ୫୦୦୦ ମିଟର ଜାତୀୟ ବିଜୟିନୀ ହୋଇଥିଲେ। ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ ଦୋହାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସେ ୮୦୦ ମିଟର ସ୍ବର୍ଣ୍ଣ ବଜାୟ ରଖିବା ଲକ୍ଷ୍ୟ ରଖିଛନ୍ତି। ତଥାପି ଏହି ଦୂରତ୍ବ ରେସ୍‌ରେ ଭାଗ ନେବା ଉପରେ କଟକଣା ରହିଥିବାରୁ ସ୍ବିସ୍‌ ଫେଡେରାଲ ଟ୍ରିବୁନାଲ୍‌ (ଏସ୍‌ଏଫ୍‌ଟି)ରେ କରିଥିବା ଆବେଦନର ଶୁଣାଣି ଉପରେ ସବୁକିଛି ନିର୍ଭର କରିବ। ଯଦିଓ ସେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଦକ୍ଷିଣ ଆଫ୍ରିକାର ପ୍ରାଥମିକ ଦଳରେ ସ୍ଥାନ ପାଇଛନ୍ତି ତଥାପି ଏସ୍‌ଏଫ୍‌ଟି ରାୟ ପରେ ୮୦୦ ମିଟର ଭାଗ୍ୟ ନିର୍ଣ୍ଣ ହେବ।

ସମ୍ବନ୍ଧିତ ଖବର