ଇସଲାମାବାଦ: ପାକିସ୍ତାନରେ ରହିବା ଜେଲରେ ରହିବା ଭଳି। ଏଭଳି ବୟାନ ଦେଇ ଚର୍ଚ୍ଚାରେ ନ୍ୟୁଜିଲ୍ୟାଣ୍ଡର ଜଣାଶୁଣା କ୍ରିକେଟର ସାଇମନ୍ ଡୁଲ୍। ସାଇମନ ଏବେ କ୍ରିକେଟ ଖେଳିବା ଛାଡି କମେଣ୍ଟ୍ରି କରିବା ଆରମ୍ଭ କରିଛନ୍ତି। କମେଣ୍ଟ୍ରି ସମୟରେ କହୁଥିବା କଥା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କ ଷ୍ଟ୍ରାଇକ ରେଟକୁ ଲାଇଭ କମେଣ୍ଟ୍ରି ସମୟରେ ସମାଲୋଚନା କରିଥିଲେ। ଏହା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଆମୀର ସୋହେଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

Advertisment

ଏବେ ପୁଣି ଥରେ ପାକିସ୍ତାନକୁ ନେଇ ଦେଇଥିବା ନିଜ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି ସାଇମନ। ସେ କହିଛନ୍ତି ଯେ ପାକିସ୍ତାନରେ ରହିବା ଏକ ଜେଲରେ ରହିବା ଭଳି। ଥରେ ସେ ପାକିସ୍ତାନରେ ଫସିଯାଇଥିବା ବେଳେ ତାଙ୍କୁ ଅନେକ ଦିନ ଭୋକରେ ରହିବାକୁ ପଡିଥିଲା।

ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି, 'ପାକିସ୍ତାନରେ ରହିବା ଜେଲରେ ରହିବା ଭଳି। ମୋତେ ବାହାରକୁ ଯିବାକୁ ଦିଆଯାଇନଥିଲା କାରଣ ବାବର ଆଜମଙ୍କ ଷ୍ଟ୍ରାଇକ ରେଟକୁ ସମାଲୋଚନା କରିଥିବାରୁ ତାଙ୍କ ପ୍ରଶଂସକମାନେ ମୋତେ ଅପେକ୍ଷା କରିଥିଲେ। ମୋତେ ଅନେକ ଦିନ କିଛି ନ ଖାଇ ପାକିସ୍ତାନରେ ରହିବାକୁ ପଡିଥିଲା। ମୁଁ ମାନସିକ ସ୍ତରରେ ବହୁତ ବିବ୍ରତ ହୋଇପଡ଼ିଥିଲି। କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଜଣାଇବି ଯେ କୌଣସି ପ୍ରକାରେ ମୁଁ ପାକିସ୍ତାନରୁ ବାହାରି ଆସିଲି।

ଦେଖିବାକୁ ଗଲେ ଏବେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ‌ରେ ଅଛି। ସେଠାରେ ଦୁଇ ଦେଶର କ୍ରିକେଟ ଟିମ୍ ମଧ୍ୟରେ ୫ଟି ଟି-୨୦ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଲାହୋରରେ ଖେଳାଯିବ। ସିରିଜର ପ୍ରଥମ ତିନୋଟି ଟି -୨୦ ମ୍ୟାଚ୍ ଲାହୋରରେ ଏବଂ ବାକି ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଖେଳାଯିବ ବୋଲି ଜଣାପଡ଼ିଛି।