ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ ଲଳନା ପିଭି ସିନ୍ଧୁ କୋଟିପତି ବନିଗଲେଣି। ଅଲିମ୍ପିକ୍ ଓ ବିଶ୍ବ ପ୍ରତିଯୋଗିତାର ଏହି ରୌପ୍ୟ ପଦ ବିଜୟିନୀ ଚାଇନିଜ୍ ସ୍ପୋର୍ଟସ୍ ବ୍ରାଣ୍ଡ୍ ଲି ନିଙ୍ଗ୍ ସହ ୫୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛନ୍ତି। ସିନ୍ଧୁ ଏହି କଂପାନୀର ବ୍ରାଣ୍ଡ୍ ଭାବେ ୪ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଗତମାସରେ ଅନ୍ୟତମ ଭାରତୀୟ କିଦାମ୍ବି ଶ୍ରୀକାନ୍ତ ଏହି କଂପାନୀ ସହ ୪ ବର୍ଷ ପାଇଁ ୩୫ କୋଟି ଟଙ୍କାରେ ଚୁକ୍ତି ସ୍ବାକ୍ଷର କରିବା ପରେ ସିନ୍ଧୁଙ୍କୁ ଏହି କୋଟିପତି ସୁଯୋଗ ମିଳିଛି। ତେବେ ସିନ୍ଧୁଙ୍କ ଏହି ଚୁକ୍ତି ବ୍ୟାଡ୍ମିଣ୍ଟନ ଜଗତରେ ଅନ୍ୟତମ ସର୍ବାଧିକ ବୋଲି କୁହାଯାଇଛି। କଂପାନୀର ପ୍ରାୟୋଜନ ଓ ସରଞ୍ଜାମ ପ୍ରଚାର ବାବଦରେ ସିନ୍ଧୁ ପ୍ରାୟତଃ ୫୦ କୋଟି ଆୟ କରିବେ ବୋଲି ଲି ନିଙ୍ଗ୍ର ଭାରତରେ ସହଭାଗିତା ଥିବା ସନ୍ଲାଇଟ୍ ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ ମହେନ୍ଦ୍ର କାପୁର କହିଛନ୍ତି। ସିନ୍ଧୁଙ୍କ ଏହି ଚୁକ୍ତି ପ୍ରାୟତଃ କ୍ରିକେଟ୍ ଅଧିନାୟକ ବିରାଟ କୋହଲିଙ୍କ ‘ପୁମା’ ସହ ଚୁକ୍ତିର ପାଖାପାଖି ବୋଲି କାପୁର କହିଛନ୍ତି। ସିନ୍ଧୁ ପ୍ରାୟୋଜନ ବାବଦରେ ୪୦ କୋଟି ଏବଂ ସରଞ୍ଜାମ ବାବଦରେ ଅବଶିଷ୍ଟ ଅର୍ଥ ପାଇବେ ବୋଲି ମହେନ୍ଦ୍ର କାପୁର ସ୍ପଷ୍ଟ କରିଛନ୍ତି। ଅବଶ୍ୟ ସିନ୍ଧୁଙ୍କ ସହ ଲି ନିଙ୍ଗ୍ର ଏହା ଦ୍ବିତୀୟବାର ଚୁକ୍ତି। ଏହା ପୂର୍ବରୁ ୨୦୧୪-୧୫ ଦୁଇ ବର୍ଷ ପାଇଁ ଏହି କଂପାନୀ ସିନ୍ଧୁଙ୍କ ସହ ୨.୫ କୋଟିର ଚୁକ୍ତି କରିଥିଲା। ଏଥର କିନ୍ତୁ ୧୦ ଗୁଣା ଅଧିକରେ ଚୁକ୍ତି ସ୍ବାକ୍ଷର କରିଛି। ୨୦୧୬ରେ ସିନ୍ଧୁ ୟୋନେକ୍ସ ସହ ବାର୍ଷିକ ୩.୫ କୋଟି ହିସାବରେ ୩ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ, ୨୦୧୭ରେ ପୁମା କଂପାନୀ କୋହଲିଙ୍କ ସହ ୮ ବର୍ଷ ପାଇଁ ୧୦୦ କୋଟିର ଚୁକ୍ତି ସ୍ବାକ୍ଷର କରିଥିଲା। ଯାହାକି ବର୍ଷକୁ ପ୍ରାୟ ୧୨.୫ କୋଟିରୁ କମ୍। ସିନ୍ଧୁ ୪ ବର୍ଷରେ ପାଖାପାଖି ୫୦ କୋଟି ପାଇବା ଅର୍ଥ ବର୍ଷକୁ ଆୟ ୧୨.୫ କୋଟିରୁ ସାମାନ୍ୟ କମ୍ ହେବ। ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ଜିତିବା ପରେ ସିନ୍ଧୁ ଗତବର୍ଷ ଫୋର୍ବସ୍ ତାଲିକାରେ ବିଶ୍ବର ସପ୍ତମ ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍ ହୋଇଥିଲେ। ସିନ୍ଧୁ ଓ ଶ୍ରୀକାନ୍ତଙ୍କ ବ୍ୟତୀତ ଭାରତୀୟ ଯୁଗଳ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ୍ ରେଡ୍ଡୀଙ୍କ ସହ ଲି ନିଙ୍ଗ୍ ୨ ବର୍ଷ ପାଇଁ ୪ କୋଟି ଲେଖାଏଁର ଚୁକ୍ତି କରିଥିଲା ବେଳେ ପରୁପଲ୍ଲୀ କାଶ୍ୟପଙ୍କୁ ୨ ବର୍ଷ ପାଇଁ ୮ କୋଟିରେ ଚୁକ୍ତିବଦ୍ଧ କରିଛି।
ସିନ୍ଧୁଙ୍କ ୫୦ କୋଟିର ଚୁକ୍ତି
/sambad/media/post_attachments/wp-content/uploads/2019/02/Untitled-6-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)