ଗୁଆଙ୍ଗ୍ଝୁ: କ୍ରମାଗତ ୭ ଥର ଫାଇନାଲ୍ରେ ଝୁଣ୍ଟିବା ପରେ ଶେଷରେ ପିଭି ସିନ୍ଧୁ ତାଙ୍କର ଏହି ଧାରାକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ବିଡବ୍ଲୁଏଫ୍ ଟୁର୍ ଫାଇନାଲ୍ସର ରବିବାର ଫାଇନାଲ୍ରେ ଅଲିମ୍ପିକ୍ ରୌପ୍ୟ ବିଜୟିନୀ ଏହି ଭାରତୀୟ ଲଳନା ୨୧-୧୯, ୨୧-୧୭ ସିଧାସଳଖ ଗେମ୍ରେ ଗତ ସଂସ୍କରଣର ବିଜୟିନୀ ଜାପାନର ନାଜୋମି ଓକୁହାରାଙ୍କୁ ହରାଇ ବିଜେତା ହୋଇଛନ୍ତି। ଓକୁହାରାଙ୍କ ବିପକ୍ଷରେ ୧ ଘଣ୍ଟା ୨ ମିନିଟ୍ ଲଢ଼ିବା ପରେ ସିନ୍ଧୁ ଐତିହାସିକ ବିଜୟ ହାସଲ କରିଥିଲେ। ଏଥି ସହିତ ସିନ୍ଧୁ ମଧ୍ୟ ପ୍ରଥମ ଭାରତୀୟ ଭାବେ ବିଡବ୍ଲୁଏଫ୍ ଟୁର୍ ଫାଇନାଲ୍ସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଗତ ବର୍ଷ ମଧ୍ୟ ସିନ୍ଧୁ ଫାଇନାଲ୍ ପ୍ରବେଶ କରିଥିଲା ବେଳେ ସମାନ ପ୍ରତିଦ୍ବନ୍ଦ୍ବୀ ଓକୁହାରାଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଚଳିତ ବର୍ଷ ଓକୁହାରାଙ୍କଠୁ ସିନ୍ଧୁ ଗତ ସଂସ୍କରଣ ପରାଜୟର ମଧୁର ପ୍ରତିଶୋଧ ନେଇଗଲେ। ଆଉ ୭ ଫାଇନାଲ୍ ହାରିବା ପରେ ନିଜ ଅଧୁରା ସ୍ବପ୍ନ ସାକାର କରିଥିଲେ। ପୂର୍ବରୁ ଅନ୍ୟତମ ଭାରତୀୟ ଭାବେ ୨୦୧୧ରେ ସାଇନା ନେହୱାଲ୍ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ସେହିପରି ଜ୍ବାଲା ଗୁଟ୍ଟା ଓ ଭି ଦିଜୁ ଯୋଡ଼ି ୨୦୦୯ ସଂସ୍କରଣ ଫାଇନାଲ୍ରେ ପ୍ରବେଶ କରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଫଳରେ ସିନ୍ଧୁ ଏହି ମୁକୁଟ ହାତେଇବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଚଳିତ ବର୍ଷ ବିଭିନ୍ନ କାରଣରୁ କୌଣସି ବଡ଼ ଟ୍ରଫି ଜିତିବାରେ ବିଫଳ ହୋଇଥିବା ୨୩ ବର୍ଷୀୟା ସିନ୍ଧୁଙ୍କ ପାଇଁ ୨୦୧୮ ମସିହାର ଏହା ପ୍ରଥମ ଓ ଅନ୍ତିମ ଟ୍ରଫି ହୋଇଛି। ଏହା ଚଳିତ ବର୍ଷ ମୋର ପ୍ରଥମ ଟ୍ରଫି ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସୀ। ଏଥି ସହିତ ବାରମ୍ବାର ଫାଇନାଲ୍ରେ ହାରୁଥିବା ନେଇ ମୋତେ ଆଉ କେହି ପ୍ରଶ୍ନ କରିବେନି ବୋଲି ସିନ୍ଧୁ ଆଶା ବ୍ୟକ୍ତ କରିଛନ୍ତି। ଏହି ଐତିହାସିକ ବିଜୟ ପାଇଁ ସିନ୍ଧୁଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।
ସିନ୍ଧୁଙ୍କ ସ୍ବପ୍ନ ସାକାର
ପ୍ରଥମ ଭାରତୀୟ ଭାବେ ବିଡବ୍ଲୁଏଫ୍ ଟୁର୍ ଫାଇନାଲ୍ସ ମୁକୁଟ ଜିତିଲେ
/sambad/media/post_attachments/wp-content/uploads/2018/12/Untitled-3-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)