ପଦକ ଜିତିବାର ଦୃଢ଼ ଆଶା ରଖିଛନ୍ତି ସିନ୍ଧୁ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭାରତ ବ୍ୟାଡ୍‌ମିଣ୍ଟନରୁ ନିଶ୍ଚିତ ପଦକ ଅମଳ କରିବ ବୋଲି ଦୃଢ଼ ଆଶାବାଦୀ ରହିଛନ୍ତି ପିଭି ସିନ୍ଧୁ। ନିକଟରେ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୌପ୍ୟ ଜିତିଥିବା ସିନ୍ଧୁ କହିଛନ୍ତି, ଏଥର ଏସୀୟ କ୍ରୀଡ଼ା ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ପାଇନାହୁଁ। ତଥାପି ଗତ ଏସୀୟ କ୍ରୀଡ଼ା ତୁଳନାରେ ଅଧିକ ପଦକ ଜିତିବୁ। ଆମେ ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ମାତ୍ର ଗୋଟିଏ କାଂସ୍ୟ ଜିତିଥିଲୁ। ତାହା ମହିଳା ଦଳଗତ ବର୍ଗରେ ମିଳିଥିଲା। ହେଲେ ଇଣ୍ଡୋନେସିଆରେ ଏହାଠାରୁ ଅଧିକ ପଦକ ଜିତିବୁ ଏବଂ ପଦକ ରଙ୍ଗରେ ମଧ୍ୟ ପରିବର୍ତନ ଆଣିବୁ ବୋଲି ସେ ଜୋର୍‌ଦେଇ କହିଛନ୍ତି। ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ଜିତିବାର ଆତ୍ମବିଶ୍ୱାସ ଆଗକୁ ବଢ଼ାଇବି ବୋଲି ସେ କହିଛନ୍ତି। ଭାରତ ଆଦୌ ଏସୀୟ କ୍ରୀଡ଼ାରେ ମହିଳା ଏକକରେ ପଦକ ଜିତିପାରିନାହିଁ। କେବଳ ୮ ଥର ପୂର୍ବତନ ଜାତୀୟ ବିଜେତା ସୟଦ୍‌ ମୋଦି ହିଁ ଭାରତକୁ ଏହି ଖେଳରେ ଏକମାତ୍ର ପଦକ (କାଂସ୍ୟ) ଭେଟି ଦେଇଛନ୍ତି। ମୋଦି ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ବର୍ଗରେ ହିଁ ଏହି ପଦକ ଜିତିଥିଲେ। ଏଥର ଆମେ ବ୍ୟକ୍ତିଗତ ବର୍ଗରେ ପଦକ ଜିତି ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବୁ ବୋଲି ସିନ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର