ଫାଇନାଲ୍‌ରେ ସିନ୍ଧୁ

ନାନଜିଙ୍ଗ୍‌ (ଚୀନ୍‌): ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟଯାତ୍ରା ଜାରି ରଖି ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟରେ ଥିବା ସିନ୍ଧୁ ଶନିବାର ମହିଳା ଏକକ ସେମିଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଜାପାନୀ ତାରକା ଅକାନେ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ପରାସ୍ତ କରିଛନ୍ତି। ପରସ୍ପର ୧୦ ଥର ମୁହାଁମୁହିଁ ହୋଇଥିଲା ବେଳେ ୟାମାଗୁଚିଙ୍କ ବିପକ୍ଷରେ ସିନ୍ଧୁ ଷଷ୍ଠ ବିଜୟ ହାସଲ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଦୁଇଥରଯାକ ମୁହାଁମୁହିଁରେ ସିନ୍ଧୁ ବିଜୟୀ ହୋଇଥିଲେ। ଏଥି ସହିତ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସିନ୍ଧୁ ମଧ୍ୟ ବିଶ୍ୱ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କଲେ। ରବିବାର ଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଅଲିମ୍ପିକ୍‌ ବିଜୟିନୀ କାରୋଲିନା ମାରିନ୍‌ଙ୍କ ସହ ହେବ। ଫଳରେ ସିନ୍ଧୁଙ୍କ ପାଇଁ ପ୍ରତିଶୋଧ ସୁଯୋଗ ରହିବ। ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲ୍‌ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ ମାରିନ୍‌। କେବଳ ସେତିକି ନୁହେଁ ସିନ୍ଧୁଙ୍କ ବିପକ୍ଷରେ ମାରିନ୍‌ ୬-୫ ବିଜୟ ଅନୁପାତ ରଖିଥିଲେ ମଧ୍ୟ ଚଳିତ ବର୍ଷ ଜୁନ୍‌ରେ ମାଲେସିଆ ଓପନ୍‌ରେ ସିନ୍ଧୁଙ୍କ ନିକଟରୁ ହାରିଥିଲେ। ଗତବର୍ଷ ବିଶ୍ୱ ପ୍ରତିଯୋଗିତାରେ ସିନ୍ଧୁ ଫାଇନାଲ୍‌ରେ ଜାପାନୀ ଖେଳାଳି ନାଜୋମୀ ଓକୁହାରାଙ୍କ ନିକଟରୁ ହାରିଥିଲେ। କିନ୍ତୁ ଚଳିତ ବର୍ଷ ତାଙ୍କୁ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ସ୍ପେନ୍‌ ଲଳନା ମାରିନ୍‌ ଶନିବାରର ଅନ୍ୟ ସେମିଫାଇନାଲ୍‌ରେ ହି ବିଙ୍ଗ୍‌ ଜିଆଓଙ୍କୁ ୧୩-୨୧, ୨୧-୧୬ ଓ ୨୧-୧୩ରେ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଛନ୍ତି। ସିନ୍ଧୁ ଯଦି ଫାଇନାଲ୍‌ରେ ମାରିନ୍‌ଙ୍କୁ ପରାସ୍ତ କରନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ଇତିହାସ ରଚିବେ। କାରଣ ତାଙ୍କ ପୂର୍ବରୁ କୌଣସି ଭାରତୀୟ ଖେଳାଳି ବିଶ୍ୱ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିପାରି ନାହାନ୍ତି। ସିନ୍ଧୁ ଏହା ପୂର୍ବରୁ ବିଶ୍ୱ ପ୍ରତିଯୋଗିତାରେ ଦୁଇ ଥର କାଂସ୍ୟ (୨୦୧୩ ଓ ୨୦୧୪) ଓ ଥରେ ରୌପ୍ୟ (୨୦୧୭) ପଦକ ଜିତି ସାରିଛନ୍ତି। ଅନ୍ୟପକ୍ଷେ ୨୫ ବର୍ଷୀୟା ମାରିନ୍‌ ପୂର୍ବରୁ ଦୁଇଥର  (୨୦୧୪ ଓ ୨୦୧୫) ବିଶ୍ୱ ପ୍ରତିଯୋଗିତା ସ୍ୱର୍ଣ୍ଣ ଜିତିଛନ୍ତି।

ସମ୍ବନ୍ଧିତ ଖବର