ସିଙ୍ଗାପୁର: ଯୁଗଳ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ସିଙ୍ଗାପୁର ଓପନ୍ ସୁପର-୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ସିନ୍ଧୁ ନିଜ ପ୍ରଥମ ମୁକାବିଲାରେ କାନାଡାର ୱେନ୍ ୟୁ ଝାଙ୍ଗଙ୍କୁ ମାତ୍ର ୩୧ ମିନିଟ୍ ସମୟ ନେଇ ୨୧-୧୪, ୨୧-୯ରେ ପରାସ୍ତ କରିଥିଲେ। ଦ୍ବିତୀୟ ରାଉଣ୍ଡ୍ରେ କିନ୍ତୁ ତାଙ୍କ ପାଇଁ କଠିନ ପରୀକ୍ଷା ଅପେକ୍ଷା କରି ରହିଛି। କାରଣ ଏହି ରାଉଣ୍ଡ୍ରେ ସେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ସଂପ୍ରତି ବିଶ୍ବମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଚିନରେ ଚେନ୍ ୟୁ ଫେଇଙ୍କୁ ଭେଟିବେ।
ଅନ୍ୟପକ୍ଷରେ ବିଶ୍ବମାନ୍ୟତାର ୩୪ତମ ସ୍ଥାନରେ ଥିବା ପ୍ରଣୟଙ୍କୁ ନିଜ ମ୍ୟାଚ୍ ଜିତିବା ଲାଗି ବଡ଼ ସଂଘର୍ଷ କରିବାକୁ ପଡ଼ିଥିଲା। ତେବେ ସେ ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଡେନମାର୍କର ରାସମସ୍ ଗେମ୍କେଙ୍କୁ ୧୯-୨୧, ୨୧-୧୬, ୨୧-୧୪ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍କୁ ଯାଇଥିଲେ। ଅନ୍ୟଭାରତୀୟଙ୍କ ମଧ୍ୟରେ ମାଳବିକା ବନ୍ସୋଦ, ଅନମୋଲ ଖରାବ, ପ୍ରିୟାଂଶୁ ରାଜାୱତ ଓ କିରଣ ଜର୍ଜ ନିଜନିଜ ମ୍ୟାଚ୍ ହାରି ନୈରାଶ୍ୟଜନକ ଭାବେ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ।