ବର୍ମିଂହାମ, ୬ା୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କ ସ୍ବର୍ଣ୍ଣ ପଦକ ବିଜୟ ଅଭିଯାନ ଜାରି ରହିଛି। ପ୍ରମୁଖ ଟାଇଟଲ ଦାବିଦାର ସିନ୍ଧୁ ନିଜ ମହିଳା ଏକକ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ମାଲେସିଆର ଗୋ ଜିନ୍ ୱେଇଙ୍କୁ ୧୯-୨୧, ୨୧-୧୪ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଶନିବାର ସିନ୍ଧୁ ତୀବ୍ର ରୋମାଞ୍ଚଭରା ପ୍ରଥମ ସେଟ୍କୁ ୨ ପଏଣ୍ଟ ବ୍ୟବଧାନରେ ହାରିଯାଇଥିଲେ। ତେବେ ଦ୍ବିତୀୟ ସେଟ୍କୁ ୭ ପଏଣ୍ଟ ବ୍ୟବଧାନରେ ଜିତି ସ୍ଥିତି ବରାବର କରିଥିଲେ। ଏହା ପରେ ନିର୍ଣ୍ଣାୟକ ତୃତୀୟ ତଥା ଶେଷ ସେଟ୍ରେ ୧୭-୧୨ର ଅଗ୍ରଣୀ ଲାଭ କରିବା ପରେ ଶେଷରେ ଏହାକୁ ୨୧-୧୮ରେ ଜିତି ମ୍ୟାଚ୍ ଓ ସେମିଫାଇନାଲ୍ ଟିକେଟ ଜିତି ନେଇଥିଲେ। ଏହା ପୂର୍ବରୁ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଏକକରେ ରୌପ୍ୟ ଏବଂ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଏକକରେ କାଂସ୍ୟ ପଦକ ହାସଲ କରିଥିଲେ ସିନ୍ଧୁ।
ସିନ୍ଧୁ ସେମିଫାଇନାଲ୍ରେ ପହଞ୍ଚି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିଲା ବେଳେ ମହିଳା ଏକକରେ ଆକର୍ଷି କାଶ୍ୟପ କିନ୍ତୁ ସେମିଫାଇନାଲ୍ରେ ହାରି ବିଦାୟ ନେଇଛନ୍ତି। ସ୍କଟ୍ଲାଣ୍ଡର କିର୍ଷ୍ଟି ଗିଲ୍ମୋରଙ୍କଠୁ ୧୦-୨୧, ୭-୨୧ରେ ହାରି ଆକର୍ଷି ତାଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ ଅଭିଯାନ ଶେଷ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sindhu.jpg)